କୁଡୁମୁଲୁଗୁମ୍ମା ନାଗରିକ ମଞ୍ଚ ତରଫରୁ ପୂର୍ବତନ ଗୁରୁଜୀ ପ୍ରଫୁଲ୍ଲ ଚନ୍ଦ୍ର ତ୍ରିପାଠୀଙ୍କୁ ସମ୍ବର୍ଦ୍ଧନା

୨୫ଡିସେମ୍ବର ରବିବାର ( ଓଡ଼ିଶା ତାଜା ନ୍ୟୁଜ ) କୁଡୁମୁଲୁଗୁମ୍ମା :- କୁଡୁମୁଲୁଗୁମ୍ମା ସରକାରୀ ନୋଡାଲ ଉଚ୍ଚ ବିଦ୍ୟାଳୟ ର ପୂର୍ବତନ ଅବସରପ୍ରାପ୍ତ ଓଡ଼ିଆ ଭାଷା ସାହିତ୍ୟ ର ଶିକ୍ଷକ ଶ୍ରୀ ପ୍ରଫୁଲ୍ଲ ଚନ୍ଦ୍ର ତ୍ରିପାଠୀ ମହୋଦୟ ଙ୍କୁ କୁଡୁମୁଲୁଗୁମ୍ମା ନାଗରିକ ମଞ୍ଚ, ପୂର୍ବତନ ଛାତ୍ର ସଂସଦ, ନିର୍ଝରଣୀ ସାହିତ୍ୟ ସଂସଦ ଓ ଡାରଉଇନ୍ ସ୍ମାରକୀ ଯୁକ୍ତ ତିନି ମହାବିଦ୍ୟାଳୟ ତରଫରୁ ଭବ୍ୟ ସ୍ଵାଗତ ଓ ସମ୍ବର୍ଦ୍ଧନା ଅର୍ପଣ କରାଯାଇଛି। ପୂର୍ବତନ ଛାତ୍ର ତଥା ବର୍ତ୍ତମାନ ମହାବିଦ୍ୟାଳୟ ର ଅଧ୍ୟକ୍ଷ ଅଶୋକ ପ୍ରଧାନ ଙ୍କ ଆଵାହକତ୍ୱ ରେ ଆୟୋଜିତ ଏହି ଉତ୍ସବରେ ଯୁବ ସାମାଜିକ କର୍ମୀ ଭଗବାନ ସାହୁ, ବରିଷ୍ଠ ବୁଦ୍ଧିଜୀବୀ ହେମନ୍ତ କୁମାର ଦାଶ,ଲ୍ୟାମ୍ପ ସଭାପତି ଗୋପୀ ପାଙ୍ଗି, ସମାଜସେବୀ ବାଳକୃଷ୍ଣ ପ୍ରଧାନ, ପ୍ରଧାନ ଶିକ୍ଷକ ଦିଲ୍ଲୀପ କୁମାର ଗଣ୍ଡ,ଯୁଵ କ୍ରୀଡା ସଂଗଠକ ଦେବେନ୍ଦ୍ର ରାଉତ, ସାମ୍ବାଦିକ ହୃଷିକେଶ ସେଠୀ ପ୍ରମୁଖ ଯୋଗଦାନ କରି ପୂର୍ବତନ ସାହିତ୍ୟ ଶିକ୍ଷକ ଶ୍ରୀ ପ୍ରଫୁଲ୍ଲ ଚନ୍ଦ୍ର ତ୍ରିପାଠୀ ତଥା ତାଙ୍କ ପରିବାରଜନ ଙ୍କୁ ଉପଢୌକନ ଓ ପୁଷ୍ପଗୁଛ ଦେଇ ସ୍ବାଗତ ସମ୍ବର୍ଦ୍ଧିତ କରିଥିଲେ । କୁଡୁମୁଲୁଗୁମ୍ମା ମାଟି ର କଵି ତଥା ସାହିତ୍ୟିକ ବଳରାମ ପୂଜାରୀ ମଞ୍ଚ ସଂଯୋଜନା କରିଥିବା ବେଳେ କଲେଜ ର ଅଧ୍ୟାପିକା ମଧୁସ୍ମିତା ବିଶ୍ୱାଳ ଓ ପୁଷ୍ପାଞ୍ଜଳୀ ରଣା କାର୍ଯ୍ୟକ୍ରମ ରେ ସହଯୋଗ କରିଥିଲେ। ପୂର୍ବତନ ଛାତ୍ରଛାତ୍ରୀ ଙ୍କୁ ଭେଟିବାକୁ ସୁଦୂର ଯାଜପୁର ଜିଲ୍ଲାରୁ ଶ୍ରୀ ତ୍ରିପାଠୀ ଆସିଥିଲେ କୁଡୁମୁଲୁଗୁମ୍ମା ମାଟି କୁ । ନିଜ ବକ୍ତବ୍ୟରେ ଶ୍ରୀ ତ୍ରିପାଠୀ ସମସ୍ତ ଛାତ୍ରଛାତ୍ରୀ ଙ୍କୁ ଉପଦେଶ ପ୍ରଦାନ ସହ ନିଜ ଜୀବନର ଦୀର୍ଘ କୋଡ଼ିଏ ବର୍ଷ ଏଠି ଶିକ୍ଷକତା କରି ନିଜ କୁ ଧନ୍ୟ ମନେ କରିବା ସହ ମାଲକାନଗିରି ମାଟି ର ଭୂୟୋସି ପ୍ରଶଂସା କରିଥିଲେ। ଜୀବନ ବ୍ୟାପି ସାହିତ୍ୟ ସାଧନା ନିମନ୍ତେ ନିର୍ଝରଣୀ ସାହିତ୍ୟ ସଂସଦ କୁଡୁମୁଲୁଗୁମ୍ମା’ ପକ୍ଷରୁ ତାଙ୍କୁ ସମ୍ବର୍ଦ୍ଧିତ କରିବା ସହ ନୋଡାଲ ଉଚ୍ଚ ବିଦ୍ୟାଳୟ କୁଡୁମୁଲୁଗୁମ୍ମା ର ଆଗାମୀ ଦିନରେ ହେବାକୁ ଥିବା ରୌପ୍ୟ ଜୟନ୍ତୀ ପାଳନ ଅବସରରେ ପୂର୍ବତନ ଛାତ୍ର ସଂସଦ ତରଫରୁ ତାଙ୍କୁ ନିମନ୍ତ୍ରଣ କରାଯାଇଥିଲା। ଇତ୍ୟବସରରେ କୁଡୁମୁଲୁଗୁମ୍ମା ମାଟି ର ସମସ୍ତ ବରିଷ୍ଠ ନାଗରିକ ମାନେ ଶ୍ରୀ ତ୍ରିପାଠୀ ଙ୍କୁ ଭେଟିବା ସହ ଏତେ ଦୂରରୁ ଆସିଥିବା ରୁ କୃତଜ୍ଞତା ଜ୍ଞାପନ କରିଥିଲେ ।

Exit mobile version