ବେପାରୀଙ୍କ ବେଆଇନ ଧାନ ଜବତ – ମଣ୍ଡିରୁ ଉଠୁ ନାହିଁ ଧାନ

୨୩ ଡିସେମ୍ବର ଶୁକ୍ରବାର ( ଓଡ଼ିଶା ତାଜା ନ୍ୟୁଜ ) କଳାହାଣ୍ଡି :- କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକ ରୁପ୍ରା ପଞ୍ଚାୟତ ଭାଲୁକଟା ଠାରେ ଗୁରୁବାର ନର୍ଲା ତହସିଲଦାର ଶଙ୍କର ବାଗ ଓ ଭବାନୀପାଟଣା ଏସିଏସଓ ଶ୍ରୀ ମୁର୍ମୁଙ୍କ ନେତୃତ୍ୱରେ ଏକ ବେଆଇନ ଧାନ ବେପାରୀଙ୍କ ଗୋଦାମରେ ଚଢ଼ାଉ କରି ଶତାଧିକ ବସ୍ତା ଧାନ ଜବତ୍ କରାଯାଇଛି। ପ୍ରାପ୍ତ ସୂଚନା ଅନୁଯାୟୀ ବିଶ୍ଵସ୍ତ ସୂତ୍ରରୁ ଖବର ପାଇ ଗୁରୁବାର ନର୍ଲା ତହସିଲଦାର ଶଙ୍କର ବାଗ ରୁପ୍ରା ନିକଟସ୍ଥ ଭାଲୁକଟା ଗ୍ରାମର ପ୍ରସନ୍ନ ସାହୁଙ୍କ ଭାଲୁକଟା ଛକ ସ୍ଥିତ ଗୋଦାମରେ ଚଢ଼ାଉ କରି ବେଆଇନ ଭାବେ ଗଚ୍ଛିତ ରଖିଥିବା ଧାନ ଓ ମହୁଲ ଜବତ୍ କରିଛନ୍ତି। ଦୀର୍ଘ ଦିନ ଧରି ଏହି ଅଂଚଳରେ ଧାନ ଓ ବିଭିନ୍ନ କୃଷି ଜାତ ଦ୍ରବ୍ୟର ଚୋରା ବ୍ୟବସାୟ ଚାଲୁଥିବା ଚର୍ଚ୍ଚା ହେଉଥିଲା। ଗୁରୁବାର ସୂଚନା ପାଇ ନର୍ଲା ତହସିଲଦାର ଶଙ୍କର ବାଗ ଓ ଭବାନୀପାଟଣା ଏସିଏସଓ ଶ୍ରୀ ମୁର୍ମୁ ଚଢ଼ାଉ କରି ୩୭୪ ବସ୍ତା ଧାନ ଓ ପଚାଶ କ୍ଵିଣ୍ଟାଲରୁ ଅଧିକ ମହୁଲ ଜବତ୍ କରିଥିବା ଜଣାପଡିଛି। କଷ୍ଟସାଧ୍ୟ ଚାଷ ଅମଳ ସାରି ଚାଷୀ ଧାନ ବିକ୍ରି ପାଇଁ ଅପେକ୍ଷା କରିଥିବା ସମୟରେ ଅଂଚଳର ବିଭିନ୍ନ ମଣ୍ଡି ଗୁଡ଼ିକର ଅବ୍ୟବସ୍ଥା ଯୋଗୁଁ ଚାଷୀ ଅଭାବି ବିକ୍ରୀର ଶିକାର ହେଉଥିବା ନେଇ ଅନେକ ସମୟରେ ଅଭିଯୋଗ ହୋଇଆସୁଛି। ଏଭଳି ସମୟରେ ମଣ୍ଡି ଗୁଡ଼ିକରେ ପେକ୍ସ କର୍ମଚାରୀ,ଆରଏମସି ଓ ମିଲ ମାଲିକ ମାନଙ୍କ ଚକ୍ରାକାର ଶିକାର ହେଉଥିବା ଅଭିଯୋଗ ହେଉଛି।

ପୂର୍ବରୁ ମଧ୍ୟ ରୁପ୍ରା ପେକ୍ସ ଅଧିନସ୍ଥ ବିଭିନ୍ନ ମଣ୍ଡିରେ ଅବ୍ୟବସ୍ଥା ଓ ଦଲାଲି ନେଇ ଚର୍ଚ୍ଚା ହୋଇଆସୁଥିବା ବେଳେ ବର୍ତମାନ ଏହା ପ୍ରମାଣିତ ହୋଇଥିବା ଅଂଚଳରେ ଚର୍ଚ୍ଚା ହେଉଛି। ଏନେଇ ନର୍ଲା ତହସିଲଦାର ଶଙ୍କର ବାଗଙ୍କ ସହ ଯୋଗାଯୋଗ କରାଯିବା ସେ ପ୍ରକାଶ କରିଥିଲେ ଯେ ସୂଚନା ଅନ୍ୟ ଜଣଙ୍କ ବେଆଇନ ଗୋଦାମ ବିରୁଦ୍ଧରେ ଥିଲା, ହେଲେ ଚଢ଼ାଉ ସମୟରେ ପ୍ରସନ୍ନ ସାହୁଙ୍କ ଭାଲୁକଟା ଗୋଦାମରେ ଧାନ ଠାବ ହୋଇଥିଲା। ଏହାର ଅର୍ଥ ହେଲା ସେହି ଅଂଚଳରେ ଆହୁରି ଅନେକ ବେଆଇନ ବେପାରୀ ସେମାନଙ୍କ ବ୍ୟବସାୟ ଚଳାଇ ଆସୁଛନ୍ତି। ରୁପ୍ରା, ଟୁଟିଙ୍ଗ,ଭୀମକେଲା ଧାନ ଉପମଣ୍ଡିରେ ମିଲର୍ସ ଓ ଅଧିକାରୀଙ୍କ ମନମାନୀ ଯୋଗୁଁ ଚାଷୀଙ୍କ ହଜାର ହଜାର କୁଇଣ୍ଟାଲ ଧାନ ଶୀତ, କାକରରେ ଖୋଲା ଆକାଶ ତଳେ ରହିଛି। ଏନେଇ ଭୀମକେଲା ଓ ପଲସାପଡା ଚାଷୀ ମାନେ ଅଭିଯୋଗ କରିଛନ୍ତି।

ଅଭିଯୋଗ ଅନୁଯାୟୀ କେସିଙ୍ଗାର ବିଟରାଜ, ଜୈନ କେଏସପି ସହ ପ୍ରମୁଖ ରାଇସ ମିଲକୁ ଧାନ ଉଠାଣ ପାଇଁ ଅନୁମତି ମିଳିଛି କିନ୍ତୁ ମିଲମାଲିକ ମାନେ ୫ ରୁ ୭ କେଜି ଧାନ କଟନୀ ନ ହେଲେ ଧାନ ଉଠାଣରେ ରାଜି ହେଉନାହାଁନ୍ତି। ଭୀମକେଲା ଉପମଣ୍ଡିରେ ସପ୍ତାହର ଦୁଇଦିନରେ ଗୋଟିଏ ଦୁଇଟି ଟ୍ରକ ଲାଗି ଧାନ ଉଠାଣ ହେଉଥିବା ଯୋଗୁଁ ଏଠାରେ ଚାଷୀ ମାନଙ୍କ ଟୋକନ ଅବଧି ଶେଷ ହେବାର ଆଶଙ୍କା ଅଛି। ରୁପ୍ରା ଓ ଟୁଟିଙ୍ଗ ଭଲି ଧାନ ମଣ୍ଡିରେ ଚାଷୀ ଧାନ କମ୍ ଓ ବେପାରୀଙ୍କ ଧାନ ଅଧିକ ପଡୁ ଥିବାରୁ ଅସଲ ଚାଷୀଙ୍କ ଅସନ୍ତୋଷ ବୃଦ୍ଧି ପାଉଛି। ତେବେ ବେଆଇନ ଧାନ ଗଛିତ ରଖିବା ଉପରେ ଆଗାମୀ ଦିନରେ ଚଢ଼ାଉ ଆହୁରି ଜୋରଦାର କରାଯିବ ବୋଲି ତହସିଲଦାର ଶ୍ରୀ ବାଗ ପ୍ରକାଶ କରିଛନ୍ତି।

Exit mobile version