୨୩ ଡିସେମ୍ବର ଶୁକ୍ରବାର ( ଓଡ଼ିଶା ତାଜା ନ୍ୟୁଜ ) ଭୁବନେଶ୍ୱର :- ଟାଟା ପାୱାର୍ ଓ ଓଡ଼ିଶା ସରକାରଙ୍କ ଯୌଥ ଉଦ୍ୟୋଗ ଟିପି ସେଂଟ୍ରାଲ୍ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ୍ ଲିମିଟେଡ୍ (ଟିପିସିଓଡିଏଲ୍) ପକ୍ଷରୁ ଏହାର କର୍ମଚାରୀ, ଭେଣ୍ଡର ଏବଂ ଗ୍ରାହକମାନଙ୍କ ମଧ୍ୟରେ ବିଶ୍ୱ ତାପନ, ଜଳବାୟୁ ପରିବର୍ତନକୁ ନେଇ ସଚେତନତା ବୃଦ୍ଧି କରିବା, ଶକ୍ତି ଉତ୍ସକୁ ସଂରକ୍ଷଣ କରିବାର ଆବଶ୍ୟକତା ଏବଂ ସେଥିପାଇଁ ରହିଥିବା ପଥର ପ୍ରସାର କରିବା ଲକ୍ଷ୍ୟ ନେଇ ୨୦୨୨ ଡିସେମ୍ବର ୧୪ରୁ ୨୦ ତାରିଖ ପର୍ଯ୍ୟନ୍ତ ଶକ୍ତି ସଂରକ୍ଷଣ ସପ୍ତାହ ପାଳନ କରାଯାଇଛି । କଟକର ନରାଜ ସ୍ଥିତ ଧନ୍ଦାମୂଳକ ପ୍ରଶିକ୍ଷଣ କେନ୍ଦ୍ରରେ ଶକ୍ତି ସଂରକ୍ଷଣ ଉପରେ ଏକ ସଚେତନତା ଅଧିବେଶନ ଆୟୋଜନ କରାଯାଇଛି ।
କଂପାନିର ପ୍ରମୁଖ ଅଭିଯାନ ‘କ୍ଲବ୍ ଏନର୍ଜି’ର ଅଂଶ ସ୍ୱରୂପ ଟାଟା ପାୱାର୍ କ୍ଲବ୍ ଏନର୍ଜି ଉପରେ ଏକ ସଚେତନତା ମଡ୍ୟୁଲ୍, ଶକ୍ତି ସଂରକ୍ଷଣ ଉପରେ ଅଧିବେଶନ, ବର୍ଜ୍ୟ ପରିଚାଳନା, ସ୍ୱଚ୍ଛତାର ଗୁରୁତ୍ୱ, ପରିବେଶର ସୁରକ୍ଷା ଉପରେ ଅଧିବେଶନ ଆଦି ଅନୁଗୁଳ ଡିଭିଜନର ବିଭିନ୍ନ ସ୍କୁଲ ଯଥା ହିଙ୍ଗୁଳା ହାଇସ୍କୁଲ, ବ୍ରାହ୍ମଣବିଲି ହାଇସ୍କୁଲ, ପତିତପାବନ ହାଇସ୍କୁଲ, ବାସୁଦେବପୁର ହାଇସ୍କୁଲ ଏବଂ ପଂଚାୟତିରାଜ ସ୍କୁଲ କୁଟେଶ୍ୱରରେ ଆୟୋଜନ କରାଯାଇଥିଲା । ଏହି ଭାବ ବିନିମୟ ଭିତିକ ଅଧିବେଶନଗୁଡ଼ିକରେ ପାଖାପାଖି ୩୬୦ରୁ ଅଧିକ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ । ନିରନ୍ତର ଶକ୍ତି ସଂରକ୍ଷଣ ଉପରେ ସ୍କୁଲ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ଲାଗି ସମ୍ବଳ ସଂରକ୍ଷଣ କ୍ଲବ୍ର ପ୍ରସାର କରିବା ଲାଗି କ୍ଲବ୍ ଏନର୍ଜି ଅଭିଯାନରେ ଲକ୍ଷ୍ୟ ରଖାଯାଇଛି ।

