ହାଜତ ମୃତ୍ୟୁ ନେଇ ଡିଜିଙ୍କୁ ଭେଟିଲା ରାଜ୍ୟ ଯୁବ କଂଗ୍ରେସ ଉଚ୍ଚ ନ୍ୟାୟାଳୟ ନିୟନ୍ତ୍ରିତ ସ୍ୱତନ୍ତ୍ର ତଦନ୍ତ (ଏସ୍ଆଇଟି) ଦାବି କଲା ଯୁବ କଂଗ୍ରେସ
୨୨ ଡିସେମ୍ବର ଗୁରୁବାର ( ଓଡ଼ିଶା ତାଜା ନ୍ୟୁଜ ) ଭୁବନେଶ୍ୱର :- ବହୁ ଚର୍ଚ୍ଚିତ ମମିତା ମେହେର ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁଙ୍କ ମୃତ୍ୟୁ ଏବେ ଓଡ଼ିଶା ରାଜନିତୀରେ ଚାଂଚଲ୍ୟ ସୃଷ୍ଟି କରିଛି । ଶାସକ ଦଳ ବିଜୁ ଜନତା ଦଳର ବହୁ ନେତା ଓ ମନ୍ତ୍ରୀ ଏହି ମାମଲାରେ ସମ୍ପୃକ୍ତ ରହିଥିବା ସନ୍ଦେହ କରାଯାଉଥିବା ବେଳେ ଏବେ ଗୋବିନ୍ଦ ଆତ୍ମହତ୍ୟା କରିଥିବା କଥାକୁ ଗ୍ରହଣ କରାଯାଇପାରୁ ନାହିଁ । ଏଭଳି ଘଟଣା ରାଜ୍ୟରେ ପ୍ରଥମଥର ପାଇଁ ହୋଇନଥିବାରୁ ଆଜି ଓଡ଼ିଶା ରାଜ୍ୟ ଯୁବ କଂଗ୍ରେସ ସଭାପତି ଡଃ ସ୍ମୃତି ରଞ୍ଜନ ଲେଙ୍କାଙ୍କ ନେତୃତ୍ୱରେ ଏକ ପ୍ରତିନିଧି ମଣ୍ଡଳ ଓଡ଼ିଶା ପୁଲିସ୍ ମହାନିର୍ଦ୍ଦେଶକଙ୍କୁ ଭେଟିବା ସହ ଚାରି ଦଫା ନେଇ ଏକ ଦାବିପତ୍ର ପ୍ରଦାନ କରିଛନ୍ତି । 
ଏଥିରେ ଦର୍ଶାଯାଇଛି ଯେ, ଭାରତୀୟ ପିଙ୍ଗଳ କୋର୍ଟ ୩୦୨ ଦଫା ନେଇ ଯେଉଁ ପୁଲିସ୍ ଅଧିକାରୀମାନେ ଜେଲ ଦରାୟିତ୍ୱରେ ରହିଥିଲେ ସେମାନଙ୍କୁ ତୁରନ୍ତ ଗିରଫ କରାଯାଉ । ଗୋବିନ୍ଦ ସାହୁ ମୃତ୍ୟୁର ପୋର୍ଷ୍ଟ ମର୍ଟମ ରିପୋର୍ଟକୁ ସର୍ବସାମ୍ମୁଖ୍ୟ କରାଯିବା ସହ ଉଚ୍ଚ ନ୍ୟାୟାଳୟ ନିୟନ୍ତ୍ରିତ ସ୍ୱତନ୍ତ୍ର ବିଚାର ବିଭାଗୀୟ ତଦନ୍ତ ଟିମ୍ (ଏସ୍ଆଇଟି) କରାଯାଉ । ପ୍ରକାଶଯୋଗ୍ୟ, ମମିତା ମେହେର ହତ୍ୟାକାଣ୍ଡ ମାମଲାରେ ଗୋବିନ୍ଦ ସାହୁ ମୁଖ୍ୟ ଅଭିଯୁକ୍ତ ହୋଇଥିବା ବେଳେ ସେ କଂଟାବାଂଝି ହାଜତରେ ବିଚରାଧିନ କଏଦୀ ଭାବେ ରହିଥିଲେ । ଗୋବିନ୍ଦ ସାହୁଙ୍କ ସହ ମନ୍ତ୍ରୀ କ୍ୟାପଟେନ୍ ଦିବ୍ୟଶଙ୍କର ମିଶ୍ରଙ୍କର ଏହି ମାମଲାରେ ସମ୍ପୂର୍ଣ୍ଣ ସମ୍ପୃକ୍ତି ରହିଥିବା ଅଭିଯୋଗ ମଧ୍ୟ ହୋଇଥିଲା । ଯାହାକୁ ନେଇ ସମ୍ପୂର୍ଣ୍ଣ ରାଜ୍ୟରେ ଚର୍ଚ୍ଚା ଜୋର୍ ହୋଇଥିଲା । ଏପରିସ୍ଥିତିରେ ଗୋବିନ୍ଦ ସାହୁ ଦୀର୍ଘଦିନ ପରେ ଆତ୍ମହତ୍ୟା କରିବା ଏବେ ସନ୍ଦେହ ସୃଷ୍ଟି କରିଛି । ପରେ ଗୋବିନ୍ଦଙ୍କ ପତ୍ନୀ ତାଙ୍କ ସ୍ୱାମୀଙ୍କୁ ମାରି ଦିଆଯାଇଥିବା ଅଭିଯୋଗ କରିଛନ୍ତି । ଯାହାକୁ ନେଇ ଓଡ଼ିଶା ରାଜ୍ୟ ଯୁବ କଂଗ୍ରେସ ସଭାପତି ଡଃ ସ୍ମୃତି ରଞ୍ଜନ ଲେଙ୍କାଙ୍କ ନେତୃତ୍ୱରେ ଏକ ପ୍ରତିନିଧି ମଣ୍ଡଳ ଆଜି ପୁଲିସ୍ ମହାନିର୍ଦ୍ଦେଶକଙ୍କ ଉଦ୍ଦେଶ୍ୟରେ ଅତିରିକ୍ତ ଆରକ୍ଷୀ ମହାନିର୍ଦ୍ଦେଶକ (ଆଇନ୍ ଶୃଙ୍ଖଳା) ରାଧା କିଶନ୍ ଶର୍ମାଙ୍କୁ ସାକ୍ଷାତ କରିଛନ୍ତି । ଗୋବିନ୍ଦ ସାହୁଙ୍କ ମୃତ୍ୟୁ ଆତ୍ମହତ୍ୟା ନୁହେଁ ଏହା ଏକ ସୁପରିକଳ୍ପିତ ହତ୍ୟା ବୋଲି ସେ ଅଭିଯୋଗ କରିଛନ୍ତି । ଏହା ସହ ସେ ପୂର୍ବରୁ ଯେକୌଣସି ଘଟଣାରେ ଶାସକ ଦଳର ନେତା ମନ୍ତ୍ରୀ ସମ୍ପୃକ୍ତ ରହିଥିବାର ଅଭିଯୋଗ ହୋଇଛି, ସମସ୍ତ ଘଟଣାର ମୁଖ୍ୟ ଅଭିଯୁକ୍ତଙ୍କର ହଠାତ୍ ଅପମୃତ୍ୟୁ ଗୁଡିକ ଷଡଯନ୍ତ୍ର ବୋଲି ଡଃ ଲେଙ୍କା ପ୍ରକାଶ କରିଛନ୍ତି । ସେ କହିଛନ୍ତି ଯେ, ନୟାଗଡ ଜିଲ୍ଲାର ଛବି ବର୍ଦ୍ଧନଙ୍କ ମୃତ୍ୟୁଠାରୁ ଆରମ୍ଭ କରି ମାହାଙ୍ଗା ଡବଲ ମର୍ଡରର ମୁଖ୍ୟ ଅଭିଯୁକ୍ତ ପ୍ରତାପ ଜେନାଙ୍କ ଅତ୍ୟନ୍ତ ଘନିଷ୍ଠ ପ୍ରଫୁଲ୍ଲ ବିଶ୍ୱାଳଙ୍କର ଦୁଇବର୍ଷ ପୂବରୁ ମୃତ୍ୟୁ ଘଟିଥିଲା । ସେ ସମୟରେ ଏହି ମୃତ୍ୟୁ ଘଟଣାରେ ସେତେବେଳର ଆଇନ୍ ମନ୍ତ୍ରୀ ପ୍ରତାପ ଜେନାଙ୍କ ସମ୍ପୃକ୍ତି ରହିଥିବା ହତ୍ୟାକାଣ୍ଡର ଶିକାର ହୋଇଥିବା ପରିବାରର ଦିବ୍ୟସିଂହ ବରାଳ ଓ କୁଳମଣି ବରାଳ ଅଭିଯୋଗ କରିଥିଲେ । ମନ୍ତ୍ରୀ ପ୍ରତାପ ଜେନାଙ୍କ ସମ୍ପୃକ୍ତିକୁ ନେଇ ପୁଲିସ୍ ଦ୍ୱାରା ଅଭିଯୁକ୍ତ ବୋଲି ସ୍ପଷ୍ଟ ହୋଇଥିବା ପ୍ରଫୁଲ୍ଲ ବିଶ୍ୱାଳ କାଳେ କିଛି ତଥ୍ୟ ପ୍ରଦାନ କରିଦେବ ସେ ନେଇ ତାଙ୍କୁ ହତ୍ୟାକରିବା ପାଇଁ ଯୋଜନା କରାଯାଇଥିବା ପ୍ରକାଶ କରାଯାଇଥିଲା । ଏବେ ଗୋବିନ୍ଦ ସାହୁଙ୍କ ମୃତ୍ୟୁ ଏହାକୁ ଅଧିକ ସନ୍ଦେହଜନକ ସ୍ଥିତିକୁ ଆଣିଛି । ଏହି ଦୁଇଟି ଘଟଣାରେ ଶାସକ ଦଳର ନେତା ମନ୍ତ୍ରୀଙ୍କୁ ଏବେ ଆଶ୍ୱସ୍ତି ମିଳିଯାଇଥିବାବେଳେ ବର୍ତମାନର ସବୁଠୁ ଚର୍ଚ୍ଚିତ ଘଟଣା ପାଇଁ ହାଜତରେ ରହିଥିବା ବିଚାରାଧିନ କଏଦୀଙ୍କ ଭବିଷ୍ୟତ ନେଇ ସନ୍ଦେହ ଦେଖାଦେଇଛି । ଓଡ଼ିଶାରେ ଗୃହ ବିଭାଗର ଦାୟିତ୍ୱ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜ ହାତରେ ରଖିଥିବା ବେଳେ ତାଙ୍କ ବିଭାଗରେ ଏଭଳି ସ୍ଥିତିକୁ ଗ୍ରହଣ କରିହେଉ ନାହିଁ । ଏଥିପାଇଁ ରାଜ୍ୟ ସରକାର ଏହି ଘଟଣାକୁ ଗୁରୁତର ଗ୍ରହଣ କରିବା ସହ ରାଜ୍ୟର ଆଇନ୍ ଶୃଙ୍ଖଳା ବ୍ୟବସ୍ଥାକୁ ସୁଧାରିବା ପାଇଁ ଡଃ ଲେଙ୍କା ପ୍ରକଶ କରିଛନ୍ତି । ଆରକ୍ଷୀ ମହାନିର୍ଦ୍ଦେଶକଙ୍କୁ ଭେଟିଥିବା ପ୍ରତିନିଧି ମମଣ୍ଡଳରେ ଡଃ ଲେଙ୍କାଙ୍କ ସହ ରାଜ୍ୟ ଯୁବ କଂଗ୍ରେସ ପକ୍ଷରୁ ନିରଞ୍ଜନ ନାୟକ, ଜ୍ଞାନରଞ୍ଜନ ରାଉତ, ମାନସ ନାୟକ, ଜଗତ ଜୀବନ ମହାନ୍ତି, ସୁଦୀପ ସାମଲ, ସୋନୁ ସ୍ୱାଇଁ, ବିଶ୍ୱଜିତ ଲେଙ୍କା, ଆଦିତ୍ୟ ପ୍ରସାଦ ପରିଡା, ଆକାଶ କୁମାର ସାମଲ, ଶୁଭ ରଞ୍ଜନ ମହାନ୍ତି, ଦିବ୍ୟ ରଞ୍ଜନ ମହାନ୍ତି, ସମରଜୀତ ସେନା, ଅନୁପ ସାହାଣୀ, ଅନିଲ ସାହୁ, ରାକେଶ ସାହୁ, ସୋନୁ ମହାନ୍ତି, ପ୍ରମୋଦ ବେହେରା, ନରେନ ବେହେରା ଓ ମନୋଜ ତରାଇ ପ୍ରମୁଖ ରହିଥିଲେ ।
