୧୪ ଡିସେମ୍ବର ବୁଧବାର ( ଓଡ଼ିଶା ତାଜା ନ୍ୟୁଜ ) ଭୁବନେଶ୍ୱର :- ଆସନ୍ତା ବର୍ଷ ଜାନୁଆରୀ ୧୩ରୁ ୨୯ ତାରିଖ ପର୍ଯ୍ୟନ୍ତ ଓଡ଼ିଶାରେ ପୁରୁଷ ହକି ବିଶ୍ୱକପ୍ ଅନୁଷ୍ଠିତ ହେବାକୁ ଯାଉଛି । ଭୁବନେଶ୍ୱର ସମେତ ରାଉରକେଲା ସହରରେ ଆୟୋଜିତ ହେବାକୁ ଥିବା ଏହି ବିଶ୍ୱସ୍ତରୀୟ ପ୍ରତିଯୋଗିତାକୁ ଆକର୍ଷଣୀୟ କରିବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ବିଭିନ୍ନ ପ୍ରସ୍ତୁତି ଜାରି ରହିଛି । ମହାବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟ ସ୍ତରରେ ହକି ଖେଳର ପ୍ରସାର ପାଇଁ ସରକାରଙ୍କ ପକ୍ଷରୁ ପ୍ରୋତ୍ସାହନ ମଧ୍ୟ ପ୍ରଦାନ କରାଯାଉଛି । ଆଜି ଏହି ପରିପ୍ରେକ୍ଷୀରେ ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟ ଓ ଉଚ୍ଚଶିକ୍ଷା ବିଭାଗ ଆନୁକୂଲ୍ୟରେ ମହିଳା ହକି ପ୍ରତିଯୋଗିତା ଉଦ୍ଘାଟିତ ହୋଇଛି । 
ଏଥି ସହିତ ଦସ୍ତଖତ ଅଭିଯାନ ଓ ଗଣପଦଯାତ୍ରା ଅନୁଷ୍ଠିତ ହୋଇଯାଇଛି । ଆଜି ରମାଦେବୀ ବିଶ୍ୱବିଦ୍ୟାଳୟ ପ୍ରାଙ୍ଗଣରେ ଅନୁଷ୍ଠିତ ଉଦ୍ଘାଟନୀ ଉତ୍ସବରେ ଉଚ୍ଚଶିକ୍ଷା ମନ୍ତ୍ରୀ ଶ୍ରୀ ରୋହିତ ପୂଜାରୀ ଯୋଗଦେଇ କହିଥିଲେ ଯେ ଓଡିଶା ଏକମାତ୍ର ରାଜ୍ୟ ଯେଉଁଠି ଦ୍ୱିତୀୟ ଥର ପାଇଁ ବିଶ୍ୱ ହକି ପ୍ରତିଯୋଗିତା ଆୟୋଜିତ ହେଉଛି । ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ପ୍ରୋତ୍ସାହନରେ, ବିଶ୍ୱ କପ୍ହକି ମାନଚିତ୍ରରେ, ଓଡିଶା ଆଜି ନିଜସ୍ୱ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛି । ସୁନ୍ଦରଗଡ ହକିର ଜନ୍ମକ୍ଷେତ୍ର । ଏହା ସହ ସମ୍ବଲପୁର, ଦେବଗଡ଼, ସୁନ୍ଦରଗଡ଼ ଓ ଅନ୍ୟାନ୍ୟ ଅଂଚଳରେ ହକିକୁ ଏକ ଗଣଖେଳ ଭାବେ ସାଧାରଣ ଲୋକ ଉପଭୋଗ କରନ୍ତି । ଏ ପ୍ରକାର ମନୋଭାବକୁ ରାଜ୍ୟବ୍ୟାପୀ ଜନପ୍ରିୟ କରାଇବାକୁ ରାଜ୍ୟ ସରକାର ଉଦ୍ୟମ କରୁଛନ୍ତି । ସମସ୍ତ ଶିକ୍ଷାନୁଷ୍ଠାନଗୁଡ଼ିକରେ ହକି ପ୍ରୋତ୍ସାହନର କେନ୍ଦ୍ର ହେବା ଉଚିତ ବୋଲି ସେ ମତ ପ୍ରକାଶ କରିଥିଲେ । ଆଗାମୀ ଦିନରେ ଉଚ୍ଚଶିକ୍ଷା ବିଭାଗ ଛାତ୍ରଛାତ୍ରୀମାନଙ୍କ ପାଇଁ ଏକ ଖେଳ ନୀତି ନିର୍ଦ୍ଧାରଣ କରିବାକୁ ଉଦ୍ୟମ କରାଯିବ ବୋଲି କହିଥିଲେ । ରାଜ୍ୟ ଗୃହ ତଥା କ୍ରୀଡ଼ା ଓ ଯୁବସେବା, ଇଲେକ୍ଟ୍ରୋନିକ୍ସ ଏବଂ ଆଇଟି ମନ୍ତ୍ରୀ ଶ୍ରୀ ତୁଷାରକାନ୍ତି ବେହେରା ହକି କ୍ରୀଡ଼ା ବିକାଶ ତଥା ବିଶ୍ୱକପ୍ ଆୟୋଜନ ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଦେବା ସହ କ୍ରୀଡ଼ା ବିଭାଗ ତରଫରୁ ସୁନ୍ଦରଗଡ଼ର ୧୭ଟି ବ୍ଲକରେ ହକି ଷ୍ଟାଡ଼ିୟମ ନିର୍ମାଣ କରାଯାଇଛି ବୋଲି ସୂଚନା ଦେଇଥିଲେ । ରାଉରକେଲା ବିର୍ସାମୁଣ୍ଡା ଷ୍ଟାଡ଼ିୟମର ଭିତ୍ତିଭୂମିର ବିକାଶ କରାଯାଇଛି ।

