୧୨ ଡିସେମ୍ବର ସୋମବାର ( ଓଡ଼ିଶା ତାଜା ନ୍ୟୁଜ ) ଭୁବନେଶ୍ୱର :- ସରକାରୀ ଚାକିରିରୁ ଅବସରଗ୍ରହଣ କରିଥିବା ସୂଚନା ଓ ଲୋକ ସଂପର୍କ ବିଭାଗର ବରିଷ୍ଠ ଗାଡ଼ି ଚାଳକ (ଡ୍ରାଇଭର) ଶ୍ରୀ ସୁକାନ୍ତ କୁମାର ପାତ୍ରଙ୍କୁ ଆଜି ଅବସରକାଳୀନ ସମ୍ବର୍ଦ୍ଧନା ଦିଆଯାଇଛି । ଶ୍ରୀ ପାତ୍ର ଗତ ନଭେମ୍ବର ୩୦ ତାରିଖରୁ ଅବସରଗ୍ରହଣ କରିଥିଲେ । ବିଭାଗର କର୍ମଚାରୀ କଲ୍ୟାଣ ସମିତି ତରଫରୁ ଆୟୋଜିତ ଏହି ସମ୍ବର୍ଦ୍ଧନା ସଭାରେ ମୁଖ୍ୟ ଅତିଥି ଭାବେ ବିଭାଗର ନିର୍ଦ୍ଦେଶକ ଶ୍ରୀ ଇନ୍ଦ୍ରମଣି ତ୍ରିପାଠୀ ଯୋଗଦେଇ ଅବସରଗ୍ରହଣ କରିଥିବା ଏହି ବରିଷ୍ଠ କର୍ମଚାରୀଶ୍ରୀ ପାତ୍ରଙ୍କୁ ଶ୍ରୀମଦ୍ ଭଗବତ୍ ଗୀତା ଓ ଉତ୍ତରୀୟ ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରିଥିଲେ । ଏହି ପରିପ୍ରେକ୍ଷୀରେ ନିର୍ଦ୍ଦେଶକ ଶ୍ରୀ ତ୍ରିପାଠୀ କହିଲେ ଯେ, ନିଷ୍ଠାପର ଭାବେ କାର୍ୟ୍ୟ କରୁଥିବା କର୍ମଚାରୀମାନଙ୍କୁ ସମସ୍ତେ ଭଲ ପାଆନ୍ତି । ଗାଡି ଚାଳକମାନଙ୍କୁ ଗାଡି ଚାଳନା କରିବା ପାଇଁ ମାନସିକ ଭାବରେ ପ୍ରସ୍ତୁତ ହେବାକୁ ପଡିଥାଏ । 
ବିଶେଷ କରି ସରକାରୀ କାର୍ୟ୍ୟ ସଂପାଦନ କରିବା ବେଳେ ସେମାନଙ୍କୁ ବେଳେ ବେଳେ ଦୀର୍ଘ ସମୟ ଧରି ଅପେକ୍ଷା କରିବାକୁ ପଡିଥାଏ । ଶ୍ରୀ ପାତ୍ର ଜଣେ ଦକ୍ଷ ଗାଡି ଚାଳକ ଥିବା ସହିତ ନିଷ୍ଠାର ସହିତ ନିଜ ଦାୟିତ୍ୱ ସମ୍ପାଦନ କରୁଥିଲେ ବୋଲି ନିର୍ଦ୍ଦେଶକ ଶ୍ରୀ ତ୍ରିପାଠୀ ପ୍ରକାଶ କରିବା ସହିତ ଭଲ ଡ୍ରାଇଭରମାନଙ୍କ କାର୍ୟ୍ୟ ସର୍ବଦା ପ୍ରଶଂସନୀୟ ବୋଲି କହିଥିଲେ।ସୂଚନା ଯୋଗ୍ୟ ଯେ, ଅବସରଗ୍ରହଣ କରିବା ଦିନ ଶ୍ରୀ ପାତ୍ରଙ୍କୁ ସରକାରଙ୍କ ତରଫରୁ ଅବସରକାଳୀନ ପ୍ରୋଭିଜନାଲପେନସନ ପ୍ରଦାନ କରାଯାଇଛି । ବିଭାଗୀୟ ନିର୍ଦ୍ଦେଶକ (ବୈଷୟିକ) ଶ୍ରୀ ସୁରେନ୍ଦ୍ର ନାଥ ପରିଡା, ଅତିରିକ୍ତ ନିର୍ଦ୍ଦେଶକଶ୍ରୀ ସନ୍ତୋଷ କୁମାର ଦାସଏବଂ କର୍ମଚାରୀ କଲ୍ୟାଣ ସମିତିର ଅନ୍ୟ କର୍ମକର୍ତ୍ତାମାନେ ଯୋଗଦେଇ ଅବସରଗ୍ରହଣ କରିଥିବା କର୍ମଚାରୀ ଶ୍ରୀ ପାତ୍ର, ଜଣେ ଶୃଙ୍ଖଳିତ ଓ ସମୟାନୁବର୍ତ୍ତୀ ଗାଡି ଚାଳକ ଥିଲେ ବୋଲି ପ୍ରକାଶ କରିବା ସହିତ ତାଙ୍କର ଅବସରକାଳୀନ ସୁସ୍ଥ ଓ ନିରାମୟ ଜୀବନ କାମନା କରିଥିଲେ । କାର୍ୟ୍ୟକ୍ରମରେ ବିଭାଗର ଯୁଗ୍ମ ଶାସନ ସଚିବ, ବିଭିନ୍ନ ଶାଖାର ଯୁଗ୍ମ ନିର୍ଦ୍ଦେଶକ,ଉପ ନିର୍ଦ୍ଦେଶକ ଏବଂ ଉପ ଶାସନ ସଚିବଙ୍କ ସମେତ ବିଭିନ୍ନ ଶାଖାର ଅନ୍ୟ ପଦାଧିକାରୀ ଓ କର୍ମଚାରୀ କଲ୍ୟାଣ ସମିତିର କର୍ମକର୍ତ୍ତାମାନେ ଉପସ୍ଥିତ ଥିଲେ ।
