୧୧ ଡିସେମ୍ବର ରବିବାର ( ଓଡ଼ିଶା ତାଜା ନ୍ୟୁଜ ) ବାଲୁଗ :- ଖୋର୍ଦ୍ଧା ଜିଲ୍ଲା ବାଣପୁର ଏନଏସି ସ୍ଥିତ ସେଣ୍ଟ ଜାଭିଅରସ ହାଇସ୍କୁଲ ପରିସରରେ ଆଜି ‘ମାଗଣା ହାଟ’ ନାମକ ଏକ ନିଆରା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମ ଅନ୍ତର୍ଗତ ବହୁ ହିତାଧିକାରୀମାନେ ନିଃଶୁଳ୍କ ଭାବେ ବିଭିନ୍ନ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ ଉକ୍ତ ହାଟରୁ ଗ୍ରହଣ କରିଥିଲେ । ସ୍କୁଲର ଅଧ୍ୟକ୍ଷ ଡ. ଶକ୍ତି ପ୍ରସାଦ ମହାନ୍ତିଙ୍କ ଦ୍ୱାରା ଆୟୋଜିତ ଏହି କାର୍ଯ୍ୟକ୍ରମକୁ ବାଣପୁର ବ୍ଲକ ଅଧ୍ୟକ୍ଷ ଅମରେନ୍ଦ୍ର ରଣସିଂହ, ଖୋର୍ଦ୍ଧା ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ଗୋପୀନାଥ ମହାରଣା ଏବଂ ପର୍ଯ୍ୟଟନ ଅଧିକାରୀ ଜଗନ୍ନାଥ ବେହରା ମିଳିତ ଭାବେ ଉଦଘାଟନ କରିଥିଲେ ।
ସ୍କୁଲ ପକ୍ଷରୁ ପୂର୍ବରୁ ବାଣପୁରବାସୀଙ୍କ ଠାରୁ ସଂଗ୍ରହ କରାଯାଇଥିବା କମ୍ବଳ, ଚାଉଳ, ପୋଷାକ, ପାଠ୍ୟ ଉପକରଣ, ଶିଶୁ ମାନଙ୍କ ପୋଷାକ ଆଦିକୁ ନିଃଶୁଳ୍କ ଭାବେ ହାଟ ମାଧ୍ୟମରେ ହିତାଧିକାରୀଙ୍କୁ ବିତରଣ କରାଯାଇଥିଲା । ତେବେ ଆଶ୍ଚର୍ଯ୍ୟର ବିଷୟ ଉକ୍ତ କାର୍ଯ୍ୟକ୍ରମକୁ ଅଦ୍ଭୁତପୂର୍ବ ସଫଳତା ମିଳିଥିବାର ଦେଖାଯାଇଛି । ପାଖାପାଖି ତିନି ଶହରୁ ଉର୍ଦ୍ଧ୍ଵ ହିତାଧିକାରୀ ମାନେ ଉକ୍ତ ହାଟକୁ ଆସି ସମସ୍ତ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ ଆଗ୍ରହର ସହକାରେ ଗ୍ରହଣ କରିଥିଲେ । ମାତ୍ର କେଇ ଘଣ୍ଟା ମଧ୍ୟରେ ହାଟ ଖାଲି ହୋଇଯାଇଥିବାର ଦେଖିବାକୁ ମିଳିଥିଲା । ଏପରିକି ବହୁ ବଞ୍ଚିତ ହିତାଧିକାରୀ ମାନେ ଅଗ୍ରିମ ହାଟ ପାଇଁ ଉତ୍କଣ୍ଠାର ସହକାରେ ଚାହିଁ ବସିବା ସହ ସେମାନଙ୍କ ନାମ ମଧ୍ୟ ପଞ୍ଜିକରଣ କରିଛନ୍ତି । ତେବେ ଏହାକୁ ମିଶାଇ ତୃତୀୟ ଥର ବାଣପୁରରେ ଏପରି କାର୍ଯ୍ୟକ୍ରମ ହୋଇଥିବାବେଳେ ସମଗ୍ର ବାଣପୁରବାସି ସେଣ୍ଟ ଜାଭିଅରସ ହାଇସ୍କୁଲର ଉକ୍ତ ମହତ କାର୍ଯ୍ୟକ୍ରମକୁ ଭୁୟସୀ ପ୍ରଶଂସା କରିଛନ୍ତି । ଉକ୍ତ କାର୍ଯ୍ୟକ୍ରମରେ ସ୍କୁଲର ସମସ୍ତ ଶିକ୍ଷକ ଓ ଶିକ୍ଷୟିତ୍ରୀ ମାନେ ସହଯୋଗ କରିଥିଲେ ।
