ନିଲାଥର ବାସୀଙ୍କ ସ୍ୱପ୍ନ ପୂରଣ କଲେ ଟ୍ଵିଟର ଗାର୍ଲ ଦୀପା ବାରିକ:ବିଜୁ ସେତୁ ପାଇଁ ଟେଣ୍ଡର ପ୍ରକ୍ରିୟା ସମାପ୍ତ

୬ ଡିସେମ୍ବର ମଙ୍ଗଳବାର ( ଓଡ଼ିଶା ତାଜା ନ୍ୟୁଜ ) ବରଗଡ :- ଟ୍ଵିଟର ମାଧ୍ୟମରେ ପଶ୍ଚିମ ଓଡ଼ିଶାର ହଜାର ହଜାର ଅସହାୟ ଲୋକଙ୍କ ସମସ୍ୟାର ସମାଧାନ କରି ଦେଶସାରା ଚର୍ଚ୍ଚାରେ ଥିବା ଟ୍ୱିଟର ଗାର୍ଲ ଦୀପା ବାରିକ ପୁଣିଥରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛନ୍ତି । ଏଥର ନିଜ ବ୍ଲକର ଦୁଇଟି ଗ୍ରାମକୁ ସଂଯୋଗ କରିବା ପାଇଁ ଏକ ବିଜୁ ସେତୁ ହୋଇଛି ଯାହା ସମ୍ଭବ ହୋଇପାରିଛି ଦୀପାଙ୍କ ଟ୍ଵିଟ ମାଧ୍ୟମରେ, ମୁଖ୍ୟମନ୍ତ୍ରୀ ଶୁଣିଛନ୍ତି ଅଞ୍ଚଳବାସୀଙ୍କ ଦୁଃଖ ଏବଂ ଲୋକଙ୍କ ଦିର୍ଘଦିନର ଦାବୀ ହୋଇଛି ପୂରଣ । ବରଗଡ ଜିଲ୍ଲା ପାଇକମାଲ ବ୍ଲକ ଅନ୍ତର୍ଗତ କାଂସଡା ଗ୍ରାମପଞ୍ଚାୟତର ନିଲାଥର ଗ୍ରାମର ଲୋକମାନେ ଗୋଟିଏ ରାସ୍ତା ପାଇଁ ପ୍ରଶାସନିକ ଅଧିକାରୀ ତଥା ରାଜନେତାଙ୍କ ନିକଟକୁ ଦୌଡ଼ି ଦୌଡ଼ି ଥକିଯିବା ପରେ ନିଜେ ଚାନ୍ଦା ଆଦାୟ କରି ଗ୍ରାମବାସୀ ଯାତାୟାତ ପାଇଁ ଏକ ଅସ୍ଥାୟୀ ରାସ୍ତା ମରାମତି କରିଥିଲେ | ଏହା ଜାଣିବା ପରେ ବରଗଡ଼ ଜିଲ୍ଲା ପାଇକମାଲ ବ୍ଲକର ସୁପରିଚିତ ସମାଜସେବୀ ଦୀପା ବାରିକ ଲୋକଙ୍କ ସମସ୍ୟା ସମ୍ପର୍କରେ ୨୦୨୦ ମସିହା ନଭେମ୍ବର ୨୦ ତାରିଖରେ ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ , ଗ୍ରାମ୍ୟ ଉନ୍ନୟନ ବିଭାଗ , ଜଳ ସମ୍ପଦ ବିଭାଗ , ମୋ ସରକାର -୫ ଟିଙ୍କୁ ଟୁଇଟ କରି ଅବଗତ କରାଇଥିଲେ | ସେ ଟ୍ୱିଟ ରେ ଲେଖିଥିଲେ ଯେ ” ଲୋକଂକ କାମ ତ ପ୍ରଶଂସନୀୟ , ହେଲେ ପ୍ରଶାସନ କରୁଛି କଣ ? ତୁରନ୍ତ ସମସ୍ୟାର ସମାଧାନ କରିବାକୁ ଅନୁରୋଧ ‘। ୨୦୨୦ ଡିସେମ୍ବର ୩ ତାରିଖରେ ଏହାର ପ୍ରତ୍ୟୁତ୍ତର ଗ୍ରାମ୍ୟ ଉନ୍ନୟନ ବିଭାଗ ରଖିଥିଲେ । କାଂସଡ଼ା ଗ୍ରାମ ପଞ୍ଚାୟତ ଅଧୀନରେ ଥିବା ୧.୫ କିଲୋମିଟର ବରତୁଣ୍ଡା ଠାରୁ ନିଲାଥର୍ ହେଉଛି ପଞ୍ଚାୟତିରାଜ ବିଭାଗ ଅନ୍ତର୍ଗତ ଏକ ଜିପି / ପିଏସ୍ ରାସ୍ତା । ରାସ୍ତାର ମଝିରେ “ଅଙ୍ଗ” ନଦୀ ପ୍ରବାହିତ ହେଉଅଛି | “ଅଙ୍ଗ” ଉପରେ ଏକ ସେତୁ ପାଇଁ ପ୍ରସ୍ତାବ ଆରମ୍ଭ ହୋଇଛି । ଅନୁମୋଦନ ଏବଂ ପାଣ୍ଠି ପାଇବା ପରେ କାର୍ଯ୍ୟ ଆରମ୍ଭ କରାଯିବ ବୋଲି ପଦ୍ମପୁର ଗ୍ରାମ୍ୟ ଉନ୍ନୟନ ବିଭାଗ ନିର୍ବାହୀ ଅଧିକାରୀ ରିପୋର୍ଟ ପ୍ରଦାନ କରିଥିଲେ । ଠିକ ଦୁଇବର୍ଷ ପରେ ୨୦୨୨ ମସିହା ଡିସେମ୍ବର ୨ ତାରିଖରେ ବରତୁଣ୍ଡା ରୁ ନିଲାଥର ମାଧ୍ୟରେ ଏକ ବ୍ରିଜ ନିର୍ମାଣ ପାଇଁ ଟେଣ୍ଡର ପ୍ରକ୍ରିୟା ଶେଷ ହୋଇଛି।ସ୍ୱତନ୍ତ୍ର ଶ୍ରେଣୀ କଣ୍ଟ୍ରାକ୍ଟର ଗୋପାଳ ଚନ୍ଦ୍ର ସାହୁ ଏହି କାର୍ଯ୍ୟ ପାଇଥିବା ସୂଚନା ରହିଛି। ଏହି ଖବର ପାଇଲା ପରେ ପାଇକମାଲ ଅଞ୍ଚଳରେ ଖୁସିର ଲହରୀ ଖେଳିଯାଇଛି ।

Exit mobile version