କଳାହାଣ୍ଡି ଜିଲ୍ଲାରେ ନବୀନ ସରକାରଙ୍କର ୨୫ ବର୍ଷରେ ବିକାଶ ର ଦୃଶ୍ୟ 

ସମସ୍ୟା ଘେରରେ ସିଆଲମାଲପଦର ଗାଁ

୦୫ ଡିସେମ୍ବର ସୋମବାର ( ଓଡ଼ିଶା ତାଜା ନ୍ୟୁଜ ) କଳାହାଣ୍ଡି :- ଅର୍ଥନୈତିକ ବିକାଶ, ସାମାଜିକ ପ୍ରଗତି ସହ ଶିକ୍ଷା ଓ ସ୍ଵାସ୍ଥ୍ୟ ଜନିତ ସମସ୍ୟା ସାଧାରଣ ଗ୍ରାମୀଣ ଅଧିବାସୀଙ୍କ ଜୀବନରେ ଗୁଣବତ୍ତା ନିମନ୍ତେ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ । ଆଜିର ସମୟରେ ସାଧାରଣ ଲୋକଟିଏ ପାଇଁ ଖାଦ୍ୟ, ପାନୀୟ ସହ ଶିକ୍ଷା ସ୍ଵାସ୍ଥ୍ୟ ଓ ଜୀବନ ଜୀବିକା ପାଇଁ ସମସ୍ତ ସୁଯୋଗ ସରକାରୀ ସ୍ତରରେ ଉପଲବ୍ଧ ରହିଛି । ହେଲେ ସେ ସବୁର କାର୍ଯ୍ୟକାରୀତା ପାଇଁ ଦାୟିତ୍ଵ ସମ୍ପନ୍ନ ବ୍ୟକ୍ତି ବା ବିଭାଗର ଅବହେଳା ଓ ଉଦାସୀନତା ଯୋଗୁଁ ଆଜି ସାଧାରଣ ଲୋକଟିଏ ନିଜର ମୈଳିକ ଓ ଅର୍ଥନୈତିକ ଆବଶ୍ୟକତା ପୂରଣ କରିବା ଅସମ୍ଭବ ହୋଇ ପଡ଼ୁଛି । ସାରା ଦେଶ ଆଜି ସ୍ବାଧିନତାର ଅମୃତ ମହୋତ୍ସବରେ ମସଗୁଲ ଥିବା ବେଳେ ଏମିତିବି କିଛି ଗାଁ ଅଛି ଯେଉଁଠି ସାଧାରଣ ଲୋକଟିଏ ନିଜର ସାମ୍ବିଧାନିକ ଅଧିକାର ପାଇଁ ବର୍ଷ ବର୍ଷ ଧରି ସଙ୍ଘର୍ଷ କରି ଚାଲିଛି । ଶିଶୁ ମାନଙ୍କୁ ଉପଯୁକ୍ତ ପୋଷଣ, ଲୋକଙ୍କ ଆର୍ଥିକ ଅବସ୍ଥା, ଖାଦ୍ୟ ସୁରକ୍ଷା ବ୍ୟବସ୍ଥା, ସ୍ଵାସ୍ଥ୍ୟ ଓ ଶିକ୍ଷା ଭିତ୍ତିଭୂମି ଦୁର୍ବଳ ହେବା ଓ ଠିକ୍ ନରହିବା ଫଳରେ ଦେଶରେ କ୍ଷୁଧା ସମସ୍ୟା ସୃଷ୍ଟି ହେଉଛି। ଏସମସ୍ତ ସ୍ଥିତିକୁ ଅନୁଶୀଳନ କଲେ ବ୍ଲକର କିଛି ଗାଁ ଉପରେ ଆପେ ନଜର ଘୁରି ଆସେ।
ନର୍ଲା ବ୍ଲକର କୁରମେଲ ପଞ୍ଚାୟତ ସିଆଲମାଲ ପଦର ଏମାନଙ୍କ ମଧ୍ୟରୁ ଅନ୍ୟତମ। ଦୀର୍ଘ ଦୁଇ ଦଶନ୍ଧି ଧରି ଲାଞ୍ଜିଗଡ଼ ବ୍ଲକର କିଛି ଗାଁରୁ ଜୀବନ ଜୀବିକା ପାଇଁ କୁରମେଲ ପଞ୍ଚାୟତ ସିଆଲମାଲ ଜଙ୍ଗଲ ଜମି ଉପରେ କିଛି ଆଦିବାସୀ ପରିବାର ବାସ କରିବା ଆରମ୍ଭ କରିଥିଲେ। କୋଡ଼ିଏ ବର୍ଷ ପରେ ମଧ୍ୟ ସିଆଲମାଲ ପଦର ରାଜସ୍ଵ ଗ୍ରାମର ମାନ୍ୟତା ପାଇପାରି ନାହିଁ।୨୦୧୧ ରେ ଜଙ୍ଗଲ ଜମିରେ ଘର ତିଆରି କରିଥିବା ଯୋଗୁଁ କିଛି ବ୍ୟକ୍ତିଙ୍କୁ ଜେଲ୍ ମଧ୍ୟ ଯିବାକୁ ପଡ଼ିଥିଲା । ଆଜି ପର୍ଯ୍ୟନ୍ତ ବାସ କରୁଥିବା ଉକ୍ତ ଜମି ଉପରେ ସେମାନଙ୍କ ମାଲିକାନା ଅଧିକାର ମିଳିପାରି ନାହିଁ। ସରକାରୀ ବାବୁ ମାନଙ୍କ ଅନୁଯାୟୀ ସେହି କାରଣରୁ ସେଠାକାର ନିରୀହ ଆଦିବାସୀ ମାନେ କୈାଣସି ପ୍ରକାର ସରକାରୀ ସୁବିଧା ପାଇ ପାରୁନାହାନ୍ତି ।ଗାଁରେ ମୋଟ ଷାଠିଏ ପରିବାରର ଦୁଇଶହରୁ ଅଧିକ ବାସିନ୍ଦା ଥିଲେ ହେଁ ସରକାରୀ ସୁବିଧା କହିଲେ କେବଳ ରାସନ୍ କାର୍ଡ ହିଁ ସେମାନଙ୍କ ଭରସା ହୋଇ ଆସୁଛି। ସକାଳୁ ପେଟ ପାଇଁ ଖାଦ୍ୟ ଖୋଜା ଓ ସଞ୍ଜ ନଇଁଲେ ଦିଆସିଲି ଖୋଜା ଏମାନଙ୍କ ନିତିଦିନିଆ କାମ ସାଜିଛି। ଶିକ୍ଷା, ସ୍ଵାସ୍ଥ୍ୟ, ଗମନାଗମନ, ପାନୀୟ ଜଳ, ବିଜୁଳି ଏମାନଙ୍କ ପାଇଁ ସାତସପନ ହୋଇ ରହିଛି। ଜଙ୍ଗଲ ଭିତରେ କିଛି ସମତଳ ଭୂମି ଦେଖି କପା,କାନ୍ଦୁଲ, ମାଣ୍ଡିଆ ଆଦି ଚାଷ କରୁଥିବା ସହ ଋତୁ ଅନୁସାରେ ଝାଡୁ, ବାଉଁଶରେ ବିଭିନ୍ନ ସାମଗ୍ରୀ ତିଆରି କରି ଜୀବିକା ନିର୍ବାହ କରିଆସୁଛନ୍ତି। ନିକଟସ୍ଥ ରାଜସ୍ବ ଗ୍ରାମ ତେର୍ଲୋ ର ଏକ ୱ।ର୍ଡରେ ଏମାନେ ଭୋଟ ଦେଇ ଆସୁଛନ୍ତି। ସରକାରୀ ଯୋଜନା ଏମାନଙ୍କ ପାଇଁ ଅପହଞ୍ଚ ହେଉଥିଲେ ବି ନିର୍ବାଚନ ମାନଙ୍କରେ ଶତପ୍ରତିଶତ ମତଦାନ କରି ଏମାନେ ଜଣେ ଜଣେ ସଚେତନ ନାଗରିକର କର୍ତ୍ତବ୍ୟ ସମ୍ପାଦନ କରି ଆସୁଛନ୍ତି । ନଇ ନାଳ ଦେଇ ଜଙ୍ଗଲି ରାସ୍ତା ହିଁ ଏମାନଙ୍କ ନିତିଦିନିଆ ଯୋଗାଯୋଗର ମାଧ୍ୟମ ସାଜିଛି। ଅଳ୍ପ ବର୍ଷାରେ ଜଙ୍ଗଲି ନାଳ ଗୁଡିକ ଯୋଗୁଁ ଗାଁ ବାହ୍ୟ ଜଗତରୁ ବିଛିନ୍ନ ହୋଇଯାଏ। ଗାଁରେ ସ୍କୁଲ ନାହିଁ, ଅଙ୍ଗନବାଡ଼ି କେନ୍ଦ୍ର ନାହିଁ,ନଳକୂଅ ନାହିଁ, ସ୍ଵାସ୍ଥ୍ୟ ସେବା କଥା ନ କହିବା ଭଲ। ଗାଁର ବାର ଜଣ ପିଲା ତେର୍ଲୋ ପ୍ରାଥମିକ ବିଦ୍ୟାଳୟରେ ପଢନ୍ତି। ଜଙ୍ଗଲି ରାସ୍ତା ଦେଇ ବିପଦଜନକ ଭାବରେ ଯିବା ଆସିବା ସେମାନଙ୍କ ପାଇଁଁ କେବେହେଲେ ନିରାପଦ ହୋଇନାହିଁ। ପିଇବା ପାଇଁ ଗାଁରୁ ଅଧ କିଲୋମିଟର ଜଙ୍ଗଲ ଭିତରେ ଥିବା ଏକ କୂଅ ହିଁ ଏମାନଙ୍କ ଭରସା। ଗତ ୨୦୧୧ରେ ଡାଇରିଆ ଯୋଗୁଁ ଜିଲ୍ଲାରେ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲା ସିଆଲମାଲ। ରାଜସ୍ବ ଗ୍ରାମର ମାନ୍ୟତା ନାହିଁ ବୋଲି ରାସ୍ତା, ବିଜୁଳି, ନଳକୂଅ ଠାରୁ ଆରମ୍ଭ କରି ଆବାସ ଯୋଜନା ପରି ସାମାଜିକ ସୁରକ୍ଷା ଯୋଜନା ଏମାନଙ୍କ ପାଇଁ ଅପହଞ୍ଚ ହୋଇରହିଛି।

ପୁରୁଷ ମାନଙ୍କ ତୁଳନାରେ ମହିଳା ଓ ଶିଶୁଙ୍କ ଆଦିବାସୀ ନେତା ଦୂର୍ଯ୍ୟୋଧନ ମାଝୀ କୁହନ୍ତି ନର୍ଲା ସମେତ ଲାଞ୍ଜିଗଡ଼ ଓ ମଦନପୁର ରାମପୁର ବ୍ଲକରେ ଅନ୍ୟୁନ ୧୬୦ ଏଭଳି ପଦର(ଅଣ ରାଜସ୍ବ) ଗ୍ରାମ ରହିଛି। ରାଜସ୍ବ ଗ୍ରାମର ମାନ୍ୟତା ନଥିଲେ ହେଁ ସେହି ଗ୍ରାମ ଗୁଡିକରେ ସରକାରୀ ଯୋଜନାରେ ଲୋକଙ୍କୁ ସମସ୍ତ ସୁବିଧା ଯୋଗାଇ ଦିଆଯାଉଛି। ହେଲେ ସିଆଲମାଲ ଠାରେ ଏସବୁ ଯୋଜନା ପାଇଁ ଏତେ ପ୍ରତିବନ୍ଧକ କାହିଁକି ରହିଛି। ଜୀବନ ଏଠାରେ ଦୁର୍ବିସହ ହୋଇପଡ଼ିଛି। ପଞ୍ଚାୟତ କାର୍ଯ୍ୟାଳୟ ଠାରୁ ଆରମ୍ଭ କରି ବିଡ଼ିଓ, ଜିଲ୍ଲାପାଳ, ନେତା ମନ୍ତ୍ରୀ ଆଦି ବିଭିନ୍ନ ସ୍ତରରେ ଏମାନେ ଅଭିଯୋଗ, ଗୁହାରି, ନେହୁରା,ଦାବି ଆଦି କରିଆସୁଥିଲେ ହେଁ ଏହି ନିରୀହ ଆଦିବାସୀଙ୍କ ସମସ୍ୟା ପୂର୍ବବତ୍ ରହିଛି ।

ଅପରନ୍ତୁ କିଛି କୁଜିନେତା ଓ ଗାଁ ଟାଉଟର ଏମାନଙ୍କ କାମ କରେଇ ଦେବା ବାହାନାରେ ଏମାନଙ୍କୁ ଲୁଟ କରି ଚାଲିଛନ୍ତି। ଏବିଷୟରେ ନର୍ଲା ବିଡ଼ିଓ ବାସନ୍ତୀ ସେଠୀଙ୍କୁ ପଚାରିବାରୁ ସେ ଉକ୍ତ ଗାଁ ବିଷୟରେ ପ୍ରଶାସନିକ ଓ ଜଙ୍ଗଲ ବିଭାଗର ମତାମତ ଅନୁସାରେ ଆଇନ୍ ଅନୁଯାୟୀ ଯାହା ସମ୍ଭବ ତାହା କରିବେ ଓ ଆଇନ୍ ଅନୁଯାୟୀ ଯାହା ପଦକ୍ଷେପ ନିଆଯିବା ଆବଶ୍ୟକ ତାହା ନିଶ୍ଚିତ ନିଆଯିବ ବୋଲି ପ୍ରକାଶ କରିଥିଲେ ।

 

Exit mobile version