ଗେଣ୍ଡୁଫୁଲ ଚାଷକରି ସ୍ୱାବଲମ୍ବୀ ହୋଇପାରିଛନ୍ତି ୧୮ ଜଣ ମହିଳା

ନଭେମ୍ବର ସୋମବାର (ଓଡ଼ିଶା ତାଜାନ୍ୟୁଜ ) ବାଲେଶ୍ୱର :-  ମହିଳାଙ୍କୁ ରୋଜଗାରର ରାସ୍ତା ଦେଖାଇଛି ଗେଣ୍ଡୁଫୁଲ ଚାଷ । ବାଲେଶ୍ୱର ବସ୍ତା ବ୍ଲକ ଗଙ୍ଗାଧରପୁର ଗାଁର ୧୮ ଜଣ ମହିଳା ନିଜସ୍ୱ ଉଦ୍ୟମରେ ଆରମ୍ଭ କରିଛନ୍ତି ଏଭଳି ଏକ ନିଆରା ପ୍ରୟାସ । ଓମ୍ ନାରାୟଣ ଶକ୍ତି ନାମକ ଏକ ଗ୍ରୁପ୍ ଗଠନ କରି ପ୍ରଥମେ କିଛି କିଛି ଟଙ୍କା ସଂଚୟ କରି ସେହି ଟଙ୍କାକୁ ବିନିଯୋଗ କରି ଗେଣ୍ଡୁଫୁଲ ଚାଷ କରିଛନ୍ତି । ଏହି ଚାଷରେ କମ୍ ପରିଶ୍ରମ ଓ କମ୍ ଖର୍ଚ୍ଚ ହେଉଥିବାରୁ ମହିଳା ମାନେ ଏହାକୁ ସହଜରେ କରିପାରୁଛନ୍ତି । ଗାଁର ଜଣେ ବ୍ୟକ୍ତିଙ୍କ ଠାରୁ ୧ ଏକର ଜମି ଲିଜରେ ଆଣି ଫୁଲ ଚାଷ ଆରମ୍ଭ କରିଛନ୍ତି । ଆଉ ଏଥିରେ ମହିଳାଙ୍କୁ ମିଶନ ଶକ୍ତି ପକ୍ଷରୁ ମିଳୁଛି ସହଯୋଗ । ଏହାଦ୍ୱାରା ମହିଳା ମାନେ ଘର କାମ କରିବା ସହ ମାସକୁ ୫ରୁ ୧୦ ହଜାର ଟଙ୍କା ରୋଜଗାର କରିପାରୁଛନ୍ତି । ସେହି ଅର୍ଥରେ ସେମାନେ ସେମାନଙ୍କ ଆବଶ୍ୟକତା ପୂରଣ କରିପାରୁଛନ୍ତି । ପ୍ରଥମେ ହରଗୌରା ଫୁଲ ଚାଷ କରିଥିଲେ ।

ଏହା ପରେ ମିଶନ ଶକ୍ତିରୁ ଆଉ କିଛି ଅର୍ଥ ଆଣି ଗେଣ୍ଡୁ ଚାଷ କଲେ । ଆଗକୁ ଗୋଲାପ ଫୁଲ ଚାଷ କରିବା ପାଇଁ ମନସ୍ଥ କରିଛନ୍ତି ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟା । ବାଲେଶ୍ୱରରୁ ୨ହଜାର ଗେଣ୍ଡୁ ଚାରା ଆଣି ଏକ ଏକର ଜମିରେ ରୋପଣ କରିଥିବା ବେଳେ ସେଥିରୁ ୧୨ ଶହ ଗଛରେ ଫୁଟିଛି ଫୁଲ । ସେହି ଫୁଲକୁ ସ୍ଥାନୀୟ ଅମର୍ଦା ରୋଡ଼, ଭେଲୋରା, ପାଉଁଶକୁଲି ଓ ରାଜଘାଟ ବଜାରରେ ବିକ୍ରି କରନ୍ତି । ଏହା ସହ ସ୍ଥାନୀୟ ବ୍ୟବସାୟୀ ମାନେ ମଧ୍ୟ ଜମି ନିକଟକୁ ଆସି କିଣି ନେଉଛନ୍ତି । ଉତ୍ପାଦିତ ହେଉଥିବା ଫୁଲ ବିକ୍ରି କରିବା ପାଇଁ ସୁବିଧା ସୁଯୋଗ ନଥିବାରୁ କମ୍ ଦାମରେ ବିକ୍ରି କରୁଥିବା ଅଭିଯୋଗ କରିଛନ୍ତି ଫୁଲ ଚାଷୀ । ଶିତଳ ଭଣ୍ଡାର ସହ ବଜାର ବ୍ୟବସ୍ଥା କରାଗଲେ ଫୁଲ ଗୁଡିକୁ ସାଇତି ରଖିବା ସହ ବିକ୍ରି କରିବାରେ ଅସୁବିଧା ହେବ ନାହିଁ ବୋଲି ସେମାନେ କହିଛନ୍ତି ।ସରକାରଙ୍କ ପକ୍ଷରୁ ସାର୍କେଟିଂ ବ୍ୟବସ୍ଥା ସହ ଶିତଳଭଣ୍ଡାର ବ୍ୟବସ୍ଥା କରାଗଲେ ଏହି ଫୁଲ ଓଡ଼ିଶା ସମେତ ବାହାର ରାଜ୍ୟରେ ମଧ୍ୟ ବିକ୍ରି ହୋଇପାରନ୍ତା ।

Exit mobile version