ଫସଲ ବୀମା ରାଶିକୁ ଅଟକାଇଥିଲେ ରାଜ୍ୟ ସରକାର : ନରେନ୍ଦ୍ର ସିଂ ତୋମାର
୨୭ ନଭେମ୍ବର ରବିବାର (ଓଡ଼ିଶା ତାଜାନ୍ୟୁଜ ) ପଦମପୁର :- ବରଗଡରୁ ନୂଆପଡା ଭାୟା ପଦମପୁର ରେଳ ପ୍ରକଳ୍ପକୁ କେନ୍ଦ୍ର ସରକାର ଅନୁମୋଦନ ଦେଇ ସାରିଛନ୍ତି । ସେଥିପାଇଁ ଅର୍ଥର କୌଣସି ଅଭାବ ନାହିଁ । କାମ ଅଟକିଛି ରାଜ୍ୟ ସରକାରଙ୍କ ପାଖରେ । ରାଜ୍ୟ ସରକାର ଜମି ଦେଲେ ରେଳ ପ୍ରକଳ୍ପ ନିର୍ମାଣ କାମ ଆରମ୍ଭ ହେବ । ଯଦି ରାଜ୍ୟ ସରକାର କାଲି ଜମି ଦେବେ ତାହେଲେ ପଅରଦିନ ରେଳ ଲାଇନ ପ୍ରକଳ୍ପର କାମ ଆରମ୍ଭ ହେବ । ରାଜ୍ୟ ସରକାର ଯଦି ଜମି ନଦେବେ କାମ କେମିତି ଆରମ୍ଭ ହେବ ବୋଲି ଆଜି ପଦମପୁର ଉପନିର୍ବାଚନରେ ବିଜେପି ପ୍ରାର୍ଥୀ ପ୍ରଦୀପ ପୁରୋହିତଙ୍କ ପାଇଁ ପ୍ରଚାର ସମୟରେ କହିଛନ୍ତି କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ୱିନି ବୈଷ୍ଣବ । ଅଶ୍ୱିନି ବୈଷ୍ଣବ କହିଛନ୍ତି ଯେ, ବିଜେପିର ପ୍ରାର୍ଥୀ ହୋଇଥିବା ପ୍ରଦୀପ ପୁରୋହିତ ପଦମପୁରର ହକ ପାଇଁ, ବିକାଶ ପାଇଁ ସଂଗ୍ରାମ କରିଆସିଛନ୍ତି । 
ଏଠିକାର ଚାଷିମାନଙ୍କ ପାଇଁ, କେନ୍ଦୁପତ୍ର ତୋଳାଳୀମାନଙ୍କ ପାଇଁ ସେ ସବୁବେଳେ ସଂଗ୍ରାମ କରି ଆସିଛନ୍ତି । ପ୍ରଦୀପ ପୁରୋହିତ ଏଠୁ ନିର୍ବାଚିତ ହୋଇକି ଗଲେ ସେ ହିଁ ରାଜ୍ୟ ସରକାରଙ୍କ ଉପରେ ବିଧାନସଭାରେ ଚାପ ପକାଇ ଜମି ଦେବା ପାଇଁ ରାଜ୍ୟ ସରକାରଙ୍କୁ ବାଧ୍ୟ କରିପାରିବେ । ଆସନ୍ତା ୫ ତାରିଖରେ ପଦପମୁରବାସୀ ପଦ୍ମଫୁଲ ଚିହ୍ନରେ ଭୋଟ ଦେଇ ବିଜେପିକୁ ଜିତାଇବେ ।
ସେହିପରି କେନ୍ଦ୍ର କୃଷିମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ରାଜ୍ୟ ସରକାର ବୀମା କମ୍ପାନୀମାନଙ୍କର ଚୟନ କରନ୍ତି, ସେମାନଙ୍କର ସହିତ ଚୁକ୍ତି କରନ୍ତି । ଫସଲ କ୍ଷୟକ୍ଷତି ରିପୋର୍ଟ ବି ରାଜ୍ୟ ସରକାର କରିଥାଆନ୍ତି । ସାରା ଦେଶରେ ଫସଲ ବୀମା ଯୋଜନାରେ ଚାଷୀମାନେ କ୍ଷୟକ୍ଷତି ପାଇଁ ବୀମା ରାଶି ପାଇପାରୁଛନ୍ତି । ହେଲେ ଓଡିଶାରେ କାହିଁକି ମିଳିପାରୁନଥିଲା । କାରଣ ଏଠାରେ ରାଜ୍ୟ ସରକାର ବୀମା କମ୍ପାନୀମାନଙ୍କ ସହିତ ମିଶି ଚାଷିମାନଙ୍କ ସ୍ୱାର୍ଥ୍ୟ ବିରୋଧରେ କାମ କରୁଥିଲେ ।
