ରାଜ୍ୟ ସରକାରଙ୍କ ଚାଷୀମାରଣ ନୀତି ଆଭିମୁଖ୍ୟ ବିରୋଧରେ ରାଜ୍ୟପାଳଙ୍କ ନିକଟରେ ଫେରାଦ ହେଲେ ବିଜେପି ବିଧାୟକଗଣ

୨୫ ନଭେମ୍ବର ଶୁକ୍ରବାର (ଓଡ଼ିଶା ତାଜାନ୍ୟୁଜ ) ଭୁବନେଶ୍ୱର :- ଓଡିଶାରେ ଚାଷୀ ସମସ୍ୟା ଦିନକୁ ଦିନ ଉତ୍କଟ ହେବାରେ ଲାଗିଛି । ଧାନ ସଂଗ୍ରହ ସମୟ ପାଇଁ ଗତ ନଭେମ୍ବର ୧ତାରିଖ ଧାର୍ଯ୍ୟ ହୋଇଥିବାବେଳେ, ଏଯାଏଁ ମଣ୍ଡି ଖୋଲା ହୋଇନାହିଁ । ଧାନର ସହାୟକ ମୂଲ୍ୟ କେନ୍ଦ୍ର ସରକାର ୨୦୪୦ଟଙ୍କା ଧାର୍ଯ୍ୟ କରିଥିଲେ ମଧ୍ୟ ଚାଷୀ ଆଜି ତାରିଖରେ ମଣ୍ଡିର ଅନିୟମତିତା ଯୋଗୁଁ ୧୨୫୦ଟଙ୍କାରେ ବାହାରେ ବିକିବାକୁ ବାଧ୍ୟ ହେଉଛି । ସେଂଟ୍ରାଲ ଟୋକନ ନାଁରେ ମିଲରମାନଙ୍କ ହାତରେ ମଣ୍ଡି ବ୍ୟବସ୍ଥାକୁ ଟେକି ଦେଇଛନ୍ତି ରାଜ୍ୟ ସରକାର । ମିଲର ମର୍ଜିରେ ଧାନ ଉଠୁଛି । ରାଜ୍ୟ ସରକାର ଓ ମିଲରଙ୍କ ସଲାସୁତୁରାରେ ମଣ୍ଡିରେ ବ୍ୟାପକ କଟନୀ ଛଟନୀ ହେଉଛି । ମଣ୍ଡି ଖୋଲିବା ବିଳମ୍ବ କାରଣରୁ ଛୋଟ ଛୋଟ ଚାଷୀମାନେ ନିଜ କଷ୍ଟ ଉପାର୍ଜିତ ଧାନକୁ ବାଧ୍ୟ ହୋଇ ଦଲାଲଙ୍କୁ ବିକ୍ରି କରୁଛନ୍ତି । ଗତ ୪ ବର୍ଷ ହେଲା ଚାଷୀମାନଙ୍କୁ ଇନପୁଟ ସବସିଡି ଦେଇନାହାନ୍ତି ରାଜ୍ୟ ସରକାର । ପଦ୍ମପୁର ଉପନିର୍ବାଚନକୁ ଆଖି ଆଗରେ ରଖି ୨୦୦ କୋଟି ଟଙ୍କାର ଇନପୁଟ ସବସିଡି ଘୋଷଣା କରିଥିଲେ ମଧ୍ୟ, ବର୍ତମାନ ସୁଦ୍ଧା ହିତାଧିକାରୀ ତାଲିକା ବା ସଂପୂର୍ଣ୍ଣ ତଥ୍ୟ ଦେଇନାହାନ୍ତି ରାଜ୍ୟ ସରକାର । ଫସଲ ବୀମା କଂପାନୀମାନଙ୍କ ସହ ଚଂଚକତା କରିଥିବା ରାଜ୍ୟ ସରକାରଙ୍କ କାରଣରୁ ଚାଷୀମାନେ ଚାଷ କ୍ଷୟକ୍ଷତି ମଧ୍ୟ ପାଇଲେ ନାହିଁ । ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନା ପାଇଁ ରାଜ୍ୟ ସରକାର ବର୍ତମାନ ସୁଦ୍ଧା କେନ୍ଦ୍ରକୁ ସଠିକ ତାଲିକା ପଠାଇନାହାନ୍ତି । ୨୦୧୬ ମସିହାରେ ବରଗଡ ଜିଲ୍ଲା ସୋହେଲାଠାରେଧାନ କ୍ୱିଂଟାଲ ପିଛା ୧୦୦ଟଙ୍କା ଦେବାକୁ ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ ସୁଦ୍ଧା ଦୀର୍ଘ ୮ବର୍ଷ ହେଲାଣି ଠକୁଛନ୍ତି । ଆଜି ଯେତେବେଳେ ରାଜ୍ୟର ଅଗଣିତ ଚାଷୀ ଭାଇମାନେ ଦୁଃଖ କଷ୍ଟରେ ଜୀବନଯାପନ ଅତିବାହିତ କରିବା ସହିତ ରାଜରାସ୍ତାକୁ ଆସି ନିଜ ହକ୍ ପାଇଁ ଆନ୍ଦୋଳନ କରୁଛନ୍ତି, ସେତେବେଳେ ରାଜ୍ୟ ସରକାର ଏଭଳି ସମ୍ବେଦନଶୀଳ ଘଟଣାକୁ ଅତ୍ୟନ୍ତ ହାଲୁକା ଭାବେ ନେଉଛନ୍ତି । ଶୀତକାଳିନ ବିଧାନସଭା ଅଧିବେସନରେ ଦାୟୀତ୍ୱପୂର୍ଣ୍ଣ ବିରୋଧୀ ଦଳ ଭାବେ ଏହି ପ୍ରସଙ୍ଗକୁ ଯେତେବେଳେ ବାଚସ୍ପତିଙ୍କ ଜରିଆରେ ବିଧାନସଭାରେ ଉପସ୍ଥାପନା କରିବାକୁ ଚାହିଁଲୁ, ସେତେବେଳେ ବାଚସ୍ପତି ଏହାକୁ ଅଗ୍ରାହ୍ୟ କରିଦେଲେ । ଏହା ଦ୍ୱାରା ରାଜ୍ୟ ସରକାର ଓଡିଶାବାସୀଙ୍କ ସ୍ୱରକୁ ଚାପି ଦେବାର ପ୍ରୟାସ କରୁଛନ୍ତି ଏବଂ ଏହା ଅଗଣତାନ୍ତ୍ରୀକ । ରାଜ୍ୟ ସରକାରଙ୍କ ଏଭଳି ଚାଷୀମାରଣ ମନୋଭାବ ଏବଂ ବାଚସ୍ପତିଙ୍କ ପକ୍ଷପାତିତାକୁ ନେଇ ଆଜି ଆମେ ମାନ୍ୟବର ରାଜ୍ୟପାଳଙ୍କ ନିକଟରେ ଫେରାଦ ହୋଇଛୁ । ରାଜ୍ୟପାଳ ଏହି ପ୍ରସଙ୍ଗକୁ ଅତ୍ୟନ୍ତ ଗୁରୁତ୍ୱର ସହ ବିଚାର କରିବାକୁ ପ୍ରତିଶୃତି ଦେଇଛନ୍ତି ବୋଲି ବିରୋଧୀ ଦଳ ମୁଖ୍ୟ ସଚେତକ ଶ୍ରୀ ମୋହନ ଚରଣ ମାଝୀ କହିଛନ୍ତି ।ଓଡିଶାର ସବୁଠାରୁ ବଡ ବର୍ଗ ହେଉଛି କୃଷକ । ରାଜ୍ୟରେ ଅନ୍ନଦାତା କୃଷକ ଆଜି ସବୁଠାରୁ ଅଧବକ ଅବହେଳିତ । କୃଷକଙ୍କୁ ସବୁବେଳେ ପ୍ରତାରଣା କରି ଆସୁଛନ୍ତି ରାଜ୍ୟ ସରକାର । ଚାଷୀକୁ ଉନ୍ନତମାନର ବିହନ ଦେବାକୁ ଅକ୍ଷମ ରାଜ୍ୟ ସରକାର । ରାଜ୍ୟରେ ଆଳୁ ମିଶନ, ପିଆଜ ମିଶନ ରାଜ୍ୟ ସରକାରଙ୍କ ଅବହେଳା ଯୋଗୁଁ ଫେଲ ମାରିଛି । ପ୍ରାକୃତିକ ଦୁର୍ବିପାକ ହେଲେ ଚାଷୀକୁ ସହାୟତା ନଦେଇ ହତାସ କରୁଛନ୍ତି ରାଜ୍ୟ ସରକାର । ରିଲିଫ କୋର୍ଡରେ ବ୍ୟାପକ ସଂଶୋଧନ କରିବା ପାଇଁ ଚାଷୀ ସମାଜର ଦୀର୍ଘ ଦିନର ଦାବିକୁ ରାଜ୍ୟ ସରକାର ଅଣଦେଖା କରୁଛନ୍ତି । ଚାଷୀ ପଞ୍ଜିକରଣକୁ ନେଇ ସମବାୟ ବିଭାଗ ଓ ଖାଦ୍ୟ ଯୋଗାଣ ବିଭାଗ ଚଂଚକତା ଓ ଭ୍ରଷ୍ଟାଚାର କରୁଛନ୍ତି । ବ୍ୟାପକ ସାର କଳାବଜାରୀ ହେଉଛି ଏବଂ ରାଜ୍ୟ ସରକାରଙ୍କ ଆଖି ଆଗରେ କୃତ୍ରିମ ଅଭାବ ସୃଷ୍ଟି କରାଯାଉଛି । ନକଲି କୀଟନାଶକ ରାଜ୍ୟ ସାରା ବ୍ୟାପକ ଭାବେ ମିଳୁଛି ଏବଂ ଏହାକୁ ନିୟନ୍ତ୍ରଣ କରିବାକୁ ରାଜ୍ୟ ସରକାରଙ୍କ ଇଛା ଶକ୍ତି ନାହିଁ । ସମବାୟ ଋଣ ଚାଷୀକୁ ମିଳୁନାହିଁ । ଚାଷୀ ବାଧ୍ୟ ହୋଇ ମହାଜନ ବା ଗାଁରେ ଫଣ୍ଡ କରିଥିବା ମହିଳା ଗୋଷ୍ଠୀମାନଙ୍କ ଠାରୁ ଚଢ଼ା ଦରରେ ଋଣ ନେଉଛି ଏବଂ କ୍ଷତି ହେଲେ ଆତ୍ମହତ୍ୟା କରିବାକୁ ବାଧ୍ୟ ହେଉଛନ୍ତି ବୋଲି ଶ୍ରୀ ମାଝୀ କହିଛନ୍ତି ।ସୁଚନା ଥାଉ କି, ଆଜି ବିଧାନସଭାରେ ବିରୋଧୀଙ୍କ କଥାକୁ ନଶୁଣି ବାଚସ୍ପତି ମହୋଦୟ ପବିତ୍ର ବିଧାନସଭା ଆଲୋଚନାକୁ ସ୍ଥଗିତ କରିଦେବା ପରେ ବିଧାୟକମାନେ ଚାଲି ଚାଲି ଗତ ୮ ଦିନ ଧରି ଚାଲୁଥିବା ସତ୍ୟାଗ୍ରହ ସ୍ଥଳୀକୁ ଯାଇ ଆନ୍ଦୋଳନକାରୀଙ୍କ ସହ ସାମିଲ ହୋଇଥିଲେ । ବିଧାନସଭାରେ ଚାଷୀଙ୍କ ସ୍ୱାର୍ଥ ପାଇଁ ଆମେ ଲଢେଇ ଜାରୀ ରଖିବୁ ଏବଂ ଆପଣମାନେ ବିଧାନସଭା ବାହାରେ ଲଢେଇ ଜାରୀ ରଖିବାକୁ ଶ୍ରୀ ମାଝୀ କାର୍ଯ୍ୟକର୍ତାଙ୍କୁ ଆହ୍ୱାନ ଦେଇଥିଲେ ।
ଏହି ଅବସରରେ ବିଧାୟକ ଭାସ୍କର ମଢେଇ, ସୁକାନ୍ତ ନାୟକ, ଡ.ମୁକାଶ ମହାଲିଙ୍ଗ, ଜୟନ୍ତ ଷଡଙ୍ଗୀ, କୁସୁମ ଟେଟେ, ନବଚରଣ ମାଝୀ, ସନାତନ ବିଜୁଳି ପ୍ରମୁଖ ଉପସ୍ଥିତ ଥିଲେ ।

Exit mobile version