୨୫ ନଭେମ୍ବର ଶୁକ୍ରବାର (ଓଡ଼ିଶା ତାଜାନ୍ୟୁଜ )ଆର. ଉଦୟଗିରି :- ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଆଦିବାସୀ ଅଞ୍ଚଳର ବିକାଶ ପାଇଁ ମାଳମାଳ ଯୋଜନା । ହେଲେ ଏବେବି ଏମିତି ଗାଁ ରହିଛି ଯେଉଁଠି ରାସ୍ତା ଓ ପାନୀୟ ଜଳ ଭଳି ମୌଳିକ ସୁବିଧା ପହଞ୍ଚାଇବାରେ ଯେମିତି ଅସମର୍ଥ ପ୍ରଶାସନ । ସେଭଳି କିଛି ଗାଁ ରହିଛି ମୋହନା ବ୍ଲକରେ । ଗୋଟିଏ ପଟେ ଦୁର୍ଗମ ରାସ୍ତା ଅନ୍ୟ ପଟେ ପାନୀୟ ଜଳର ଉତ୍କଟ ଅବ୍ୟବସ୍ଥା । ରାସ୍ତା ସାରା ଖାଲଖମା ହୋଇଥିବା ବେଳେ କେଉଁଠି ବାହାରି ରହିଛି ଵଡ଼ଵଡ଼ ପଥର ତ ରାସ୍ତାର ଉଭୟ ପାର୍ଶ୍ଵରେ ଲଟାବୁଦା ମାଡି ଗଲାଣି । ଅନ୍ୟ ପଟେ ମହିଳା ମାନେ ଚହଲା ପାଣିକୁ ଛାଣି ଆଣୁଛନ୍ତି । ଏହା ହେଉଛି ମୋହନା ବ୍ଲକର ସୁବ୍ଯବସ୍ଥା ।
ଆମ ଗାଁ ଆମ ବିକାଶ, ଗାଁ କୁ କାମ ମାକୁ ସମ୍ମାନ ନାରା ଆଉ ବସୁଧା ଜଳ ଯୋଗାଣ ଯୋଜନାର ବିକଳ ଚିତ୍ର ଏହା ହେଉଛି ଗଜପତି ଜିଲ୍ଲା ମୋହନା ବ୍ଲକ ଅନ୍ତର୍ଗତ ଜିରାଙ୍ଗ ପଞ୍ଚାୟତ ଡରାବ ଗାଁ ଶବରସାହିର ଦୃଶ୍ୟ । ଏଠାରେ ପ୍ରାୟ ୨୦ ରୁ ଉର୍ଦ୍ଧ୍ବ ଆଦିବାସୀ ପରିବାରର ୧୫୦ରୁ ଅଧିକ ଜନସାଧାରଣ ଚାଷ ବେଉସା କରି ଜୀବନ ଯାପନ କରନ୍ତି । ହେଲେ ଏହି ଗାଁର ବିକାଶ କରିବାକୁ ଯେମିତି ବ୍ଲକ ପ୍ରଶାସନ ଭୁଲି ଯାଇଛି । ଯାହାଫଳରେ ଏହି ଗାଁକୁ ଆଜି ପର୍ଯ୍ୟନ୍ତ ସଂଯୋଗ ହୋଇ ପାରିନି ଭଲରାସ୍ତା କି ଗାଁରେ ନାହିଁ ଗୋଟିଏ ନଳକୂପ । ଗାଁରେ ଯେଉଁ କୂଅଟି ଅଛି ତାହା ମଧ୍ୟ ଗାଁ ଲୋକଙ୍କ ମିଳିତ ଉଦ୍ୟମରେ ।
