ରାଜ୍ୟସ୍ତରୀୟ ଜୟନ୍ତୀ ପାଳନ ଅବସରରେ ଶହୀଦ ଲକ୍ଷ୍ମଣ ନାଏକଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ ପୂର୍ବକ ଶ୍ରଦ୍ଧାଞ୍ଜଳି

୨୪ ନଭେମ୍ବର ଗୁରୁବାର (ଓଡ଼ିଶା ତାଜାନ୍ୟୁଜ ) ଭୁବନେଶ୍ୱର :- ଦେଶର ସ୍ୱାଧୀନତା ପାଇଁ ନିଜର ପ୍ରାଣବଳି ଦେଇଥିବା ଓଡିଶା ମାଟିର ସୁଯୋଗ୍ୟ ସନ୍ତାନ ତଥା ଭାରତମାତାର ବୀରପୁତ୍ର ଶହୀଦ୍ ଲକ୍ଷ୍ମଣ ନାଏକଙ୍କ ରାଜ୍ୟସ୍ତରୀୟ ଜୟନ୍ତୀ ପାଳନ ଅବସରରେ ଆଜି ସକାଳେ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ଆନୁକୂଲ୍ୟରେ ଶହୀଦଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ ପୂର୍ବକ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଛି । ସୂଚନା ଓ ଲୋକ ସମ୍ପର୍କ ବିଭାଗର ନିର୍ଦ୍ଦେଶକ ଶ୍ରୀ ଇନ୍ଦ୍ରମଣି ତ୍ରିପାଠୀ ଏହି ପୂଜ୍ୟପୂଜା କାର୍ଯ୍ୟକ୍ରମରେ ଯୋଗଦେଇ ୟୁନିଟ୍ – ୧ ଆଦିବାସୀ ପ୍ରଦର୍ଶନୀ ପଡିଆ ଏବଂ କଳିଙ୍ଗ ହସ୍ପିଟାଲ ଛକଠାରେ ଥିବା ଶହୀଦ୍ ଲକ୍ଷ୍ମଣ ନାଏକଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପଗୁଚ୍ଛ ପ୍ରଦାନ ପୂର୍ବକ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ବିଭାଗର ନିର୍ଦ୍ଦେଶକ(ବୈଷୟିକ) ଶ୍ରୀ ସୁରେନ୍ଦ୍ରନାଥ ପରିଡା, ସହକାରୀ ନିର୍ଦ୍ଦେଶକ(କ୍ଷେତ୍ର) ଶ୍ରୀମତୀ ସୁଚେତା ପ୍ରିୟଦର୍ଶିନୀଙ୍କ ସମେତ ବିଭାଗର ଅନ୍ୟ ପଦାଧିକାରୀ, ଶବରୀ ସାଂସ୍କୃତିକ ପରିଷଦର ଉପ ସଭାପତି ଶ୍ରୀ ଗୌରଚନ୍ଦ୍ର ତ୍ରିପାଠୀ, କୋଷାଧ୍ୟକ୍ଷ ଶ୍ରୀ ଯଶୱନ୍ତ ଜୈନ, ଯୁଗ୍ମ ସଂପାଦକ ଶ୍ରୀ ନୀଳମାଧବ ଦାସ, କାର୍ଯ୍ୟନିର୍ବାହୀ କମିଟି ସଦସ୍ୟ ପ୍ରଫେସର ହୃଦୟରଞ୍ଜନ ଶତପଥୀଙ୍କ ସମେତ ଅନ୍ୟ ସଦସ୍ୟ, ଉତ୍କଳ ସମ୍ମିଳନୀ ତରଫରୁ ଶ୍ରୀ ଗିରିଜା ଶଙ୍କର ମହାପାତ୍ର ପ୍ରମୁଖ ଉପସ୍ଥିତ ରହି ଶହୀଦ ଲକ୍ଷ୍ମଣ ନାଏକଙ୍କ ପ୍ରତି ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ । ସୂଚନା ଓ ଲୋକସଂପର୍କ ବିଭାଗ ତରଫରୁ ଉଭୟ ସ୍ଥାନରେ ପ୍ରତିମୂର୍ତ୍ତୀସ୍ଥଳକୁ ପୁଷ୍ପରେ ସାଜସଜ୍ଜା କରାଯାଇଥିଲା ।

Exit mobile version