ସ୍ୱାଧୀନତାର ଅମୃତ ମହୋତ୍ସବ ଆମକୁ ଆମ ଦେଶ ପାଇଁ ଗର୍ବ କରିବାକୁ ଶିକ୍ଷା ଦେଉଛି : ବିଶ୍ୱଭୂଷଣ ହରିଚନ୍ଦନ

୨୪ ନଭେମ୍ବର ଗୁରୁବାର (ଓଡ଼ିଶା ତାଜାନ୍ୟୁଜ ) ଭୁବନେଶ୍ୱର :- ଶ୍ରୀ ସାଇ ଲୋକସେବା ଟ୍ରଷ୍ଟ ପକ୍ଷରୁ ଭଗବାନ ଶ୍ରୀ ସତ୍ୟସାଇ ବାବାଙ୍କ ୯୭ତମ ଜୟନ୍ତୀ ଓ ସେଣ୍ଟ ଜାଭିୟର ଇଣ୍ଟରନ୍ୟାସନାଲ ସ୍କୁଲର ୩୭ତମ ବାର୍ଷିକ ଉତ୍ସବକୁ ଆନୁଷ୍ଠାନିକ ଭାବେ ଉଦ୍‌ଘାଟନ କରି ଆନ୍ଧ୍ରପ୍ରଦେଶର ମାନନୀୟ ରାଜ୍ୟପାଳ ଶ୍ରୀ ବିଶ୍ୱଭୂଷଣ ହରିଚନ୍ଦନ କହିଲେ ଯେ, ସ୍ୱାଧୀନତାର ଅମୃତ ମହୋତ୍ସବରେ ଆମ ଦେଶ ପାଇଁ ଆମେ ଗର୍ବ କରିବାକୁ ଶିକ୍ଷା କରୁଛେ । ଭାରତବର୍ଷ ଆଜି ସାରା ପୃଥିବୀରେ ଶ୍ରେଷ୍ଠ ରାଷ୍ଟ୍ର ଭାବେ ଯେଉଁ ମାନ୍ୟତା ପାଉଛି, ସେଥିପାଇଁ ଭାରତବର୍ଷର ମହାନ ଜନନାୟକ ମହତ୍ମା ଗାନ୍ଧୀଙ୍କ ଠାରୁ ଆରମ୍ଭ କରି ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ପର୍ଯ୍ୟନ୍ତ ଏବଂ ବର୍ତ୍ତମାନର ପ୍ରଧାନମନ୍ତ୍ରୀ ମାନନୀୟ ନରେନ୍ଦ୍ର ମୋଦିଙ୍କ କାର୍ଯ୍ୟାଧାରାକୁ ଆମେ ନମ୍ର ଭାବେ ପ୍ରଣାମ କରୁଛୁ ।ଭାରତବର୍ଷର ସ୍ୱାଧୀନତା ସଂଗ୍ରାମରେ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଅବଦାନକୁ ସ୍ମରଣ କରି ମାନନୀୟ ପ୍ରଧାନମନ୍ତ୍ରୀ ଶ୍ରୀଯୁକ୍ତ ମୋଦି ରାଜଧାନୀ ଦିଲ୍ଲୀର ହୃଦୟସ୍ଥଳରେ ପ୍ରତିମୂର୍ତ୍ତି ପ୍ରତିଷ୍ଠା କରି ଭାରତବର୍ଷର ଜନଗଣଙ୍କୁ ସ୍ୱାଭିମାନର ସହିତ ବଞ୍ôଚବା ପାଇଁ ଆହ୍ୱାନ ଦେଇଛନ୍ତି । ଭାରତବର୍ଷରେ ଭଗବାନ ଶ୍ରୀ ସତ୍ୟସାଇ ବାବାଙ୍କ ଭଳି ମହାପୁରୁଷମାନେ ଜନ୍ମ ନେଇ ସତ୍ୟ, ଶାନ୍ତି, ଅହିଂସାର ବାର୍ତ୍ତା ପ୍ରଚାର କରିବା ସହିତ ତଳେ ପଡ଼ିଥିବା ମଣିଷକୁ ଉଠାଇବା ପାଇଁ ଯେଉଁ କାର୍ଯ୍ୟ କରିଛନ୍ତି ସେ ଆମ ସମସ୍ତଙ୍କର ପ୍ରଣାମର ଯୋଗ୍ୟ । ତାଙ୍କର ପ୍ରତ୍ୟେକଟି କାର୍ଯ୍ୟଧାରାକୁ ଆଜି ମଧ୍ୟ ଆନ୍ଧ୍ର ପ୍ରଦେଶର ଜନସାଧାରଣ ସ୍ମରଣ କରୁଛନ୍ତି । ଶିକ୍ଷାବିତ୍ ଡଃ ବଦ୍ରୀନାଥ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସଭାରେ ଜୀବନବ୍ୟାପୀ ସମାଜସେବା, ସାହିତ୍ୟ, ଧର୍ମ, ସଂସ୍କୃତି ଓ ଓଡ଼ିଆ ଅସ୍ମିତା ପାଇଁ କାର୍ଯ୍ୟ କରିଥିବା ସନ୍ଥ ସ୍ୱାମୀ ବ୍ରହ୍ମାନନ୍ଦ ସରସ୍ୱତୀ ମହାରାଜ, ଡଃ ଆର୍ଯ୍ୟକୁମାର ଜ୍ଞାନେନ୍ଦ୍ର ଓ ପ୍ରଫେସର ଡଃ ହରେକୃଷ୍ଣ ଶତପଥୀଙ୍କୁ କଳିଙ୍ଗ ଗୌରବ ସମ୍ମାନରେ ମାନ୍ୟବର ରାଜ୍ୟପାଳ ଶ୍ରୀ ହରିଚନ୍ଦନ ସମ୍ବର୍ଦ୍ଧିତ କରିଥିଲେ । ଅନ୍ୟତମ ଅତିଥି ପୂର୍ବତନ ବିଧାୟକ ଶ୍ରୀ ପ୍ରିୟଦର୍ଶୀ ମିଶ୍ର ସେଣ୍ଟ ଜାଭିୟର ବିଦ୍ୟାଳୟର ଶିକ୍ଷାଦାନ ପ୍ରଣାଳୀର ଉଚ୍ଚ ପ୍ରଶଂସା କରିଥିଲେ । ଉପାଧ୍ୟକ୍ଷା ଡଃ ନିବେଦିତା ପଟ୍ଟନାୟକ ଧନ୍ୟବାଦ ପ୍ରଦାନ କରିଥିଲେ । କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ପୂର୍ବତନ ସାଂସଦ ପ୍ରସନ୍ନ କୁମାର ପାଟ୍ଟଶାଣୀ, ପୂର୍ବ ପ୍ରଶାସକ ନରେନ୍ଦ୍ର କୁମାର ମିଶ୍ର, କୁଳପତି ଡଃ ଜଗନ୍ନାଥ ପଟ୍ଟନାୟକ, ଏମ୍‌ବିସି ଟିଭିର ସମ୍ପାଦନା ମୁଖ୍ୟ ଅଶୋକ ପଣ୍ଡା, ପୂର୍ବତନ ଆଇନଜୀବୀ ଅରୁଣ କୁମାର ଉପାଧ୍ୟାୟ, ଆଡ଼ଭୋକେଟ ବନ ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ । ଇଂ ମିଲନ କୁମାର ଘଟୁଆରୀ କାର୍ଯ୍ୟକ୍ରମର ସଂଯେଜାନା କରିଥିଲେ ।

 

Exit mobile version