୨୨ ନଭେମ୍ବର ମଙ୍ଗଳବାର (ଓଡ଼ିଶା ତାଜାନ୍ୟୁଜ ) ବରଗଡ଼ :- ଧାମନଗରର ନିର୍ବାଚନ ଫଳାଫଳ ରାଜନୀତିର ସମୀକରଣ ବଦଳାଇ ଦେଇଛି । ଲଗାତର ସମସ୍ତ ଉପ ନିର୍ବାଚନରେ ନିରଙ୍କୁଶ ସଫଳତା ହାସଲ କରିଥିବା ବିଜେଡି ବିରୋଧରେ ଧାମନଗର ରାୟ ବିଜେଡିକୁ ଆତ୍ମ ସମୀକ୍ଷା କରିବାକୁ ବାଧ୍ୟ କରିଥିବା ବେଳେ ବିଜେପି ପାଇଁ ବୁଷ୍ଟର ଡୋଜ୍ର କାମ କରିଛି । ୨୦୧୯ ସାଧାରଣ ନିର୍ବାଚନ ପରେ ବିଜେପି ସମଗ୍ର ଦେଶରେ ଭଲ ପ୍ରଦର୍ଶନ କରୁଥିବା ବେଳେ ଓଡିଶାରେ ଦେଖା ଦେଇଥିଲା ବ୍ୟତିକ୍ରମ । ସମସ୍ତ ଉପ ନିର୍ବାଚନ ଓ ପଞ୍ଚାୟତ ନିର୍ବାଚନରେ ବିଜେପିର ପ୍ରଦର୍ଶନ କେବଳ କର୍ମୀ ନୁହେଁ ଭୋଟରଙ୍କୁ ମଧ୍ୟ ନିରାଶ କରିଥିଲା । ସମସ୍ତେ ପ୍ରାୟ ନିଶ୍ଚିତ ହୋଇ ଯାଇଥିଲେ ଯେ ରାଜ୍ୟରେ ବିଜେଡିର ବିକଳ୍ପ ନାହିଁ ଓ ନବୀନଙ୍କ କରିସ୍ମା ଆଗରେ ସମସ୍ତେ ଫିକା । 
ଏହି ଅବଧାରଣକୁ ନେଇ ରାଜ୍ୟବାସୀ ବିଜେଡିକୁ ସମର୍ଥନ ଓଜାଡି ଦେଉଥିବା ବେଳେ ଧାମନଗର ନିର୍ବାଚନ ବିଜେପି ପାଇଁ ସଞ୍ଜିବନୀ ସଦୃଶ କାମ କରିଛି । ଦଳ ଓ କର୍ମୀଙ୍କ ଭିତରେ ଶକ୍ତି ସଞ୍ଚାର ହୋଇଛି । ନିର୍ବାଚନ ହାରିବାରେ ଅଭ୍ୟସ୍ତ ହୋଇସାରିଥିବା ରାଜ୍ୟ ବିଜେପି ଧାମନଗର ବିଜୟ ପରେ ଡିସେମ୍ବର ୫ରେ ହେବାକୁ ଥିବା ପଦ୍ମପୁର ନିର୍ବାଚନରେ ବିଜୟର ବାନା ଉଡାଇବା ପାଇଁ ଅଣ୍ଟା ଭିଡି ସାରିଲାଣି । ଯଦିଓ ଗତ ବିଧାନସଭା ନିର୍ବାଚନରେ ବିଜେଡି ବିଜେପି ଠାରୁ ପଦ୍ମପୁର ଆସନ ଛଡେଇ ନେଇଥିଲା । ଧାମନଗର ଓ ପଦ୍ମପୁର ଭିତରେ କିଛି ଭିନ୍ନତା ରହିଛି । ୨୦୧୪ରେ ପଦ୍ମପୁର ଆସନ ବିଜେପି କବ୍ଜାରେ ଥିଲା ।
