ରାଜ୍ୟ ସୈନିକ ବୋର୍ଡର ସମ୍ମିଳିତ ପାଣ୍ଠିର ପରିଚାଳନା କମିଟି ବୈଠକ – ରାଜ୍ୟପାଳଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ

୧୯ ନଭେମ୍ବର ଶନିବାର (ଓଡ଼ିଶା ତାଜାନ୍ୟୁଜ ) ଭୁବନେଶ୍ୱର :– ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲଙ୍କ ଅଧ୍ୟକ୍ଷତାରେ ରାଜ୍ୟ ସୈନିକ ବୋର୍ଡ଼ର ସମ୍ମିଳିତ ପାଣ୍ଠିର ପରିଚାଳନା କମିଟିର ଦ୍ୱାଦଶ ବୈଠକ ରାଜଭବନରେ ଅନୁଷ୍ଠିତ ହୋଇଯାଇଛି । ପୂର୍ବତନ ସୈନିକ ତଥା ତାଙ୍କ ପରିବାରର ସର୍ବାଙ୍ଗୀନ କଲ୍ୟାଣକୁ ଅଗ୍ରାଧିକାର ଦେବାକୁ ରାଜ୍ୟପାଳ ପରାମର୍ଶ ଦେଇଛନ୍ତି । ଭୁବନେଶ୍ୱର ଆଇଆରସି ଭିଲେଜ୍‍ରେ ନବନିର୍ମିତ ସୈନିକ ଭବନର ପରିଚାଳନା ଓ ପୂର୍ବତନ ସୈନିକ , ଯୁଦ୍ଧ ବିଧବା ତଥା ଅକର୍ମଣ୍ୟ ସୈନିକମାନଙ୍କୁ ଗୁଣାତ୍ମକ ସେବା ଯୋଗାଇଦେବା ସମ୍ପର୍କରେ ବୈଠକରେ ଆଲୋଚନା ହୋଇଥିଲା ।ସେହିଭଳି କଟକରେ ସୈନିକ ବିଶ୍ରାମଗୃହ ପ୍ରାୟ ୭୦ଲକ୍ଷ ଟଙ୍କା ବିନିଯୋଗରେ ମରାମତି ଓ ନବୀକରଣ କରାଯାଇଛି । ପୂର୍ବତନ ସୈନିକ ତଥା ତାଙ୍କ ପରିବାର ସମ୍ପର୍କିତ ଏକ ଡ଼ାଟାବେସ୍‍ ରାଜ୍ୟ ସୈନିକ ବୋର୍ଡ଼ କରିବ ବୋଲି ବୈଠକରେ ନିଷ୍ପତି ହୋଇଛି । ପୂର୍ବତନ ସୈନିକଙ୍କ କଲ୍ୟାଣ ତଥା ନିଯୁକ୍ତି ସୁଯୋଗ ସୃଷ୍ଟି ଉପରେ ଗୁରୁତ୍ୱାରୋପ କରାଯିବା ସହ ଜିଲ୍ଲାରେ କାର‌୍ୟ୍ୟ କରୁଥିବା ବୋର୍ଡ଼କୁ ଆହୁରି କ୍ରିୟାଶୀଳ କରିବାକୁ କୁହାଯାଇଛି । ରାଜ୍ୟ ସୈନିକ ବୋର୍ଡ଼ର ବିଭିନ୍ନ ସମସ୍ୟା ଓ ପ୍ରସ୍ତାବକୁ ରାଜ୍ୟ ସରକାରଙ୍କ ସହ ଆଲୋଚନା ମାଧ୍ୟମରେ ସମାଧାନ ଓ କାର‌୍ୟ୍ୟକାରୀ କରିବାକୁ ରାଜ୍ୟପାଳ ପରାମର୍ଶ ଦେଇଛନ୍ତି । ରାଜ୍ୟ ସୈନିକ ବୋର୍ଡ଼, ଓଡ଼ିଶାର ସଚିବ କମୋଡର (ଅବସରପ୍ରାପ୍ତ) ଘନଶ୍ୟାମ ଓଝା ବୋର୍ଡ଼ର ବିଭିନ୍ନ କାର‌୍ୟ୍ୟକ୍ରମ ସମ୍ପର୍କରେ ବିବରଣୀ ଉପସ୍ଥାପନ କରିଥିଲେ । ଗୃହବିଭାଗର ପ୍ରମୁଖ ଶାସନ ସଚିବ ଦେଓରଞ୍ଜନ କୁମାର ସିଂ, ସ୍ୱତନ୍ତ୍ର ଶାସନ ସଚିବ ଡ଼. ସନ୍ତୋଷ ବାଲା, ରାଜ୍ୟପାଳଙ୍କ ପ୍ରମୁଖ ଶାସନ ସଚିବ ଶାଶ୍ୱତ ମିଶ୍ର, ବ୍ରିଗେଡ଼ିଅର ବିଘ୍ନେଷ ମହାନ୍ତି,କର୍ଣ୍ଣେଲ ବୀରେନ୍ଦ୍ର କୁମାର ବସ୍ତିଆ (ଅବସରପ୍ରାପ୍ତ), ଗ୍ରୁପ୍‍ କ୍ୟାପଟେନ୍‍ ଏସ୍. କେ ନାଥ (ଅବସରପ୍ରାପ୍ତ), ଏୟାର କମୋଡ଼ର ଦେବୀ ପ୍ରସାଦ ପାଣି (ଅବସରପ୍ରାପ୍ତ), କ୍ୟାପଟେନ୍‍ ଚନ୍ଦ୍ର ଶେଖର ପଣ୍ଡା (ଅବସରପ୍ରାପ୍ତ), ବ୍ରିଗେଡ଼ିଏର ବିନୋଦ ଏସ. , କ୍ୟାପଟେନ ଶାଶ୍ୱତ ପୂର ଆନନ୍ଦଙ୍କ ସମେତ ପରିଚାଳନା କମିଟିର ସଭ୍ୟମାନେ ଆଲୋଚନାରେ ଅଶଂଗ୍ରହଣ କରିଥିଲେ ।

Exit mobile version