ମେକ୍ ଇନ୍ ଓଡିଶା କନକ୍ଲେଭ କାର୍ଯ୍ୟକ୍ରମକୁ ଗଣମାଧ୍ୟମରେ ସୁଚାରୁରୂପେ ପ୍ରଚାର ପ୍ରସାର ବ୍ୟବସ୍ଥା ସଂପର୍କରେ ସ୍ୱତନ୍ତ୍ର ବୈଠକ

1. ନଭେମ୍ବର 30ରୁ ଡିସେମ୍ବର 4 ତାରିଖ ପର୍ଯ୍ୟନ୍ତ ହେବ କନକ୍ଲେଭ୍
2. ଲାଇଭ କମନ ଫିଡ୍ ସହିତ ବିଭିନ୍ନ ମିଡିଆ ହାଉସମାନେ କାର୍ଯ୍ୟକ୍ରମର
ପ୍ରସାରଣ କରିପାରିବେ ।
3. ମିଡିଆ ଲାଉଂଜରେ ଗଣମାଧ୍ୟମ ପ୍ରତିନିଧିଙ୍କ ପାଇଁ ବ୍ୟବସ୍ଥା
4. ସୁବିଧା ଜନକ ନିର୍ଦ୍ଦିଷ୍ଟ ସ୍ଥାନରୁ ପ୍ରସାରଣ ଓ ଫଟୋ ପାଇଁ କ୍ୟାମେରା
ବ୍ୟବସ୍ଥ

୧୮ ନଭେମ୍ବର ଶୁକ୍ରବାର (ଓଡ଼ିଶା ତାଜାନ୍ୟୁଜ ) ଭୁବନେଶ୍ୱର :- ମେକ୍ ଇନ୍ ଓଡିଶା 2016 ଏବଂ 2018ର ସଫଳତା ପରେ ଏହାର ତୃତୀୟ ସଂସ୍କରଣ ଆଗାମୀ ନଭେମ୍ବର 30ରୁ ଡିସେମ୍ବର 4 ତାରିଖ ପର୍ଯ୍ୟନ୍ତ ଭୁବନେଶ୍ୱରସ୍ଥିତ ଜନତା ମଇଦାନରେ ଅନୁଷ୍ଠିତ ହେବ । ଏଥିରେ ଦେଶବିଦେଶରୁ ଶିଳ୍ପପତିମାନେ ଯୋଗଦେଇ ଆମ ରାଜ୍ୟରେ ବିଭିନ୍ନ କ୍ଷେତ୍ରରେ ରହିଥିବା ପୁଞ୍ଜିନିବେଶ ସୁଯୋଗ ସମ୍ପର୍କରେ ଆଲୋଚନା କରିବେ । ଏଥି ନିମନ୍ତେ ବ୍ୟବସାୟିକ ନେତୃତ୍ୱ ସମ୍ପର୍କିତ ପାରସ୍ପରିକ ଆଲୋଚନା ସହ ଶିଳ୍ପର ଅଭିବୃଦ୍ଧି ନିମନ୍ତେ ବୈଷୟିକ ଜ୍ଞାନକୌଶଳରେ ଅଭିନବତ୍ୱ ଆଣିବା, ସ୍କିଲଡ ଇନ ଓଡିଶା, ଷ୍ଟାର୍ଟ ଅପ ଓଡିଶା, ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀ, ମହିଳା ଉଦ୍ୟୋଗୀମାନଙ୍କୁ ପ୍ରୋତ୍ସାହିତ କରିବା, ଓଡିଶାର ଶିଳ୍ପ ବିକାଶର ଦକ୍ଷତା ଓ ପୁଞ୍ଜି ନିବେଶ ପରି ବିଭିନ୍ନ ପ୍ରସଙ୍ଗରେ ଆଲୋଚନା ହେବ । ପ୍ରତ୍ୟେକ ସନ୍ଧ୍ୟାରେ  ସାଂସ୍କୃତିକ କାର୍ଯ୍ୟକ୍ରମ ମଧ୍ୟ ଅନୁଷ୍ଠିତ ହେବାର ରହିଛି । ମେକ୍ ଇନ ଇଣ୍ଡିଆ କନକ୍ଲେଭକୁ ସଫଳତାର ସହିତ ଆୟୋଜନ କରିବାକୁ ରାଜ୍ୟ ଶିଳ୍ପ ବିଭାଗ, ଫିକି,ଇପିକଲ ସହିତ ପି.ଡବ୍ଲୁ.ସି, ଲାନିୟାର୍ଡସ୍, ଜେନେସିସ୍ ଆଦି ସଂସ୍ଥା ସହଯୋଗ କରୁଛନ୍ତି ।ଏହି ବୃହତ୍  ଶିଳ୍ପ ମହାକୁମ୍ଭରେ ଅନୁଷ୍ଠିତ ହେବାକୁ ଥିବା ପ୍ରତ୍ୟେକ କାର୍ଯ୍ୟକ୍ରମକୁ ସୁବିଧାରେ ପ୍ରଚାର ପ୍ରସାର ନିମନ୍ତେ ଭୁବନେଶ୍ୱର ସ୍ଥିତ ଇଡକୋ ସମ୍ମିଳନୀ କକ୍ଷରେ ଗଣମାଧ୍ୟମ ପରିଚାଳନା (ମିଡ଼ିଆ ପ୍ଲାନିଂ ) ସମ୍ପର୍କରେ ବିଶଦ୍ ଆଲୋଚନା ହୋଇଥିଲା । ବୈଠକରେ ଶିଳ୍ପ ବିଭାଗର ପ୍ରମୁଖ ଶାସନ ସଚିବ ତଥା ଇଡକୋର ଅଧ୍ୟକ୍ଷ ଶ୍ରୀ ହେମନ୍ତ କୁମାର ଶର୍ମା ଯୋଗ ଦେଇ ଏହି କନକ୍ଲେଭ ନେଇ ମିଡ଼ିଆ ପ୍ଲାନିଂ ସମ୍ପର୍କରେ ଗଣମାଧ୍ୟମ ପ୍ରତିନିଧିମାନଙ୍କୁ ବିଶଦ୍ ଭାବେ ସୂଚନା ଦେଇଥିଲେ ଓ ସେମାନଙ୍କ ଠାରୁ ଦିଆଯାଇଥିବା ପ୍ରସ୍ତାବକୁ ବିଚାରକୁ ନେଇଥିଲେ । ଏହି ବୈଠକରେ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପ୍ରମୁଖ ଶାସନ ସଚିବ ଶ୍ରୀ ସଞ୍ଜୟ କୁମାର ସିଂ ଯୋଗଦେଇ ଗଣମାଧ୍ୟମ ପ୍ରତିନିଧିମାନଙ୍କୁ ଆବଶ୍ୟକ ସୂଚନା ପ୍ରଦାନ କରାଯିବା ସହିତ କାର୍ଯ୍ୟକ୍ରମର ସଫଳ ପ୍ରଚାର ପ୍ରସାର ପାଇଁ ସମସ୍ତଙ୍କର ସହଯୋଗ କାମନା କରିଥିଲେ । ଏହି କାର୍ଯ୍ୟକ୍ରମରେ ବିଭିନ୍ନ ଦିବସରେ ସୂଚନା ଓ ଲୋକସଂପର୍କ ବିଭାଗର ସୂଚନା ଅଧିକାରୀମାନେ ମଧ୍ୟ ସରକାରଙ୍କ ସମ୍ପୃକ୍ତ ବିଭିନ୍ନ ବିଭାଗରୁ ସୂଚନା ଗଣମାଧ୍ୟମ ପ୍ରତିନିଧିମାନଙ୍କୁ ଯୋଗାଇ ଦେବା ପାଇଁ ତତନୁସାରେ ଯୋଜନା ପ୍ରସ୍ତୁତ ହୋଇଥିବା ଶ୍ରୀ ସିଂ ପ୍ରକାଶ କହିଥିଲେ ।ବିଭାଗର ନିର୍ଦ୍ଦେଶକ ଶ୍ରୀ ଇନ୍ଦ୍ରମଣି ତ୍ରିପାଠୀ,ନିର୍ଦ୍ଦେଶକ (ବୈଷୟିକ ) ଶ୍ରୀ ସୁରେନ୍ଦ୍ର ନାଥ ପରିଡାଙ୍କ ସମେତ ଅନ୍ୟ ବରିଷ୍ଠ ପଦାଧିକାରୀ, ବିଭିନ୍ନ ବୈଦ୍ୟୁତିକ ଓ ମୁଦ୍ରଣ ଗଣମାଧ୍ୟମର ପ୍ରତିନିଧିମାନେ ଯୋଗ ଦେଇ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ ।  କାର୍ଯ୍ୟକ୍ରମର ସିଧା ପ୍ରସାରଣ, ବିଭିନ୍ନ ବୈଦ୍ୟୁତିକ ଚାନେଲଗୁଡ଼ିକ ଦ୍ୱାରା ଟିଭି କଭରେଜ, ଫଟୋ କଭରେଜ, ଓବି ଭ୍ୟାନ୍ ର ଅବସ୍ଥାନ ଆଦି ସଂପର୍କରେ ଆଲୋଚନା କରାଯାଇଥିଲା । ବିଭିନ୍ନ ଗଣମାଧ୍ୟମ ସଂସ୍ଥାରୁ ବିଜନେସ୍ ରିପୋର୍ଟିଂ ପ୍ରତିନିଧି ଭାବେ ଏଣ୍ଟ୍ରି ପାଶ୍ ପାଇବାକୁ ଥିବା ପ୍ରତିନିଧିମାନଙ୍କୁ ଗେଟ୍ ନଂ-3 ଦେଇ ପ୍ରବେଶ ଅନୁମତି ରହିବ । କନକ୍ଲେଭରେ ଉପଲବ୍ଧ ସ୍ଥାନକୁ ଦୃଷ୍ଟି ଦେବା ସହିତ ଗଣମାଧ୍ୟମ ପ୍ରତିନିଧିମାନେ ଯେପରି ସୁବିଧାରେ କାର୍ଯ୍ୟକ୍ରମର ପ୍ରସାରଣ ବା ପ୍ରକାଶନର ସୁବିଧା ପାଇବେ, ସେ ସଂପର୍କରେ ଗୁରୁତ୍ୱ ଦିଆଯାଇ ଆନୁଷଙ୍ଗିକ ବ୍ୟବସ୍ଥା ଗ୍ରହଣ କରାଯିବ ବୋଲି ଶିଳ୍ପ ବିଭାଗ ପ୍ରମୁଖ ଶାସନ ସଚିବ ଶ୍ରୀ ଶର୍ମା ପ୍ରକାଶ କରିଛନ୍ତି ।

Exit mobile version