୧୬ ନଭେମ୍ବର ବୁଧବାର (ଓଡ଼ିଶା ତାଜାନ୍ୟୁଜ ) ଭୁବନେଶ୍ୱର :- ରାଷ୍ଟ୍ର ଗଠନରେ ଗଣମାଧ୍ୟମର ଉଲ୍ଲେଖନୀୟ ଭୂମିକା ରହିଆସିଛି,ଯାହାକି ପ୍ରାକ୍ ସ୍ୱାଧୀନତା ସମୟରୁ ଏହା ପ୍ରତିପାଦିତ ହୋଇଆସୁଛି । ଆମ ପାଇଁ ସ୍ୱାଧୀନତା ଆଣିଦେଇଥିବା ସ୍ୱାଧୀନତା ସଂଗ୍ରାମୀ, ଦେଶପ୍ରମୀ ଓ ବରପୁତ୍ରମାନେ ଅନେକ ଗଣମାଧ୍ୟମରେ ଥିଲେ ବା ସ୍ୱାଧୀନତା ପାଇଁ ଗଣମାଧ୍ୟମର ସହାୟତା ନେଉଥିଲେ । ଗଣମାଧ୍ୟମ ପ୍ରତିନିଧିମାନଙ୍କର ସକ୍ରିୟ ସହଯୋଗ ଓ ସଚେତନତା ସୃଷ୍ଟି ଫଳରେ ଦୁଇ ବର୍ଷ ମଧ୍ୟରେ କୋଭିଡ୍ ସଂକ୍ରମଣକୁ ନିୟନ୍ତ୍ରଣ କରାଯାଇପାରିଲା । କୋଭିଡ୍ ସମୟରେ ଗଣମାଧ୍ୟମର କାର୍ୟ୍ୟ ଅତ୍ୟନ୍ତ ପ୍ରଶଂସନୀୟ ରହିଥିଲା । ନିର୍ମାଣ କ୍ଷେତ୍ରଠାରୁ ଆରମ୍ଭ କରି ଜନସଚେତନତା,ସୂଚନା ପ୍ରଦାନ ଓ ସମ୍ବାଦ ପରିବେଷଣ ଆଦି ପ୍ରତ୍ୟେକ କ୍ଷେତ୍ରରେ ରାଷ୍ଟ୍ର ଗଠନରେ ଗଣମାଧ୍ୟମର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି ବୋଲି 
ଆଜି ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ତରଫରୁ ବିଭାଗର ସମ୍ମିଳନୀ କକ୍ଷରେ ଆୟୋଜିତ ରାଜ୍ୟସ୍ତରୀୟ ଜାତୀୟ ପ୍ରେସ୍ ଦିବସ ପାଳନ ଅବସରରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ରାଜ୍ୟ ଗ୍ରାମ୍ୟ ଉନ୍ନୟନ, ସୂଚନା ଓ ଲୋକ ସଂପର୍କ ବିଭାଗ ପ୍ରମୁଖ ଶାସନ ସଚିବ ଶ୍ରୀ ସଞ୍ଜୟ କୁମାର ସିଂ ପ୍ରକାଶ କରିଛନ୍ତି । କାର୍ୟ୍ୟକ୍ରମରେ ଚଳିତ ବର୍ଷ ଜାତୀୟ ପ୍ରେସ୍ ଦିବସ ପାଳନ ପରିପ୍ରେକ୍ଷୀରେ ପ୍ରେସ୍ କାଉନସିଲ ଅଫ ଇଣ୍ଡିଆର ରହିଥିବା ପ୍ରସଙ୍ଗ – ରାଷ୍ଟ୍ର ଗଠନରେ ଗଣମାଧ୍ୟମର ଭୂମିକା ସମ୍ପର୍କରେ ବକ୍ତବ୍ୟ ପ୍ରଦାନ କରି ପ୍ରମୁଖ ଶାସନ ସଚିବ ଶ୍ରୀ ସିଂ ଆହୁରି ମଧ୍ୟ କହିଥିଲେ ଯେ, ରାଜ୍ୟ ସରକାର ସର୍ବଦା ଓଡିଶାର ଗଣମାଧ୍ୟମ ପ୍ରତିନିଧିଙ୍କ କଲ୍ୟାଣ ପାଇଁ ଯତ୍ନବାନ ଅଛନ୍ତି । ଓଡିଶାର ସାମ୍ବାଦିକମାନଙ୍କର କଲ୍ୟାଣ ପାଇଁ ସାମ୍ୱାଦିକ କଲ୍ୟାଣ ଯୋଜନା ଓ ସ୍ୱାସ୍ଥ୍ୟବୀମା ଲାଗୁ କରିବା ସହିତ ଯାହା ଆବଶ୍ୟକତା ରହୁଛି, ତାହାକୁ ପୂରଣ କରିବା ଦିଗରେ ରାଜ୍ୟ ସରକାର ଗୁରୁତର ସହ ବିଚାର କରି କାର୍ୟ୍ୟକରୁଛନ୍ତି ।

