ଓଡ଼ିଶା ତାଜା ନ୍ୟୁଜ ( ୪ ନଭେମ୍ବର ଶୁକ୍ରବାର) ବୈପାରିଗୁଡା :- କୋରାପୁଟ ଜିଲ୍ଲା ବୈପାରିଗୁଡା ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ୧୪ ଦଫା ଦାବିରେ ଏସୟୁସିଆଇ କମ୍ୟୁନିଷ୍ଟ ପକ୍ଷରୁ ଏକ ଗଣବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା । ବୈପାରିଗୁଡା ବ୍ଲକ ସମ୍ପାଦକ ସୂର୍ଯ୍ୟନାରାୟଣ ବିଶୋଇଙ୍କ ନେତୃତ୍ୱରେ ଶତାଧିକ ସଦସ୍ୟ ଡାକବଙ୍ଗଳା ଠାରୁ ଏକ ଶୋଭାଯାତ୍ରାରେ ବାହାରି ସହର ପରିକ୍ରମା କରିବା ପରେ ପଂଚାୟତ ସମିତି କାର୍ଯ୍ୟାଳୟ ସମ୍ମୁଖରେ କେନ୍ଦ୍ର ଓ ରାଜ୍ୟସରକାରଙ୍କୁ ବିରୋଧ କରି ବିକ୍ଷୋଭ କରିଥିଲେ । କୋରାପୁଟ ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ବୈପାରିଗୁଡା ବିଡିଓ ଅଭିମନ୍ୟୁ କବି ଶତପଥିଙ୍କୁ ପ୍ରଦାନ କରାଯାଇଥିଲା ।
ଦାବିପତ୍ର ପ୍ରଦାନ ପରେ ବୈପାରିଗୁଡା ମୁଖ୍ୟଛକରେ କାହ୍ନୁ ଚରଣ ବିଶ୍ୱାଳଙ୍କ ସଭାପତିତ୍ୱରେ ଏକ ସାଧାରଣ ସଭା ଅନୁଷ୍ଟିତ ହୋଇଥିବା ବେଳେ ବକ୍ତା ଭାବେ ସୁଭାଷ ପଟ୍ଟାଚାର୍ଯ୍ୟ, ସୂର୍ଯ୍ୟନାରାୟଣ ବିଶୋଇ ଓ ରାମ ବାରିକ ଉପସ୍ଥିତ ରହି ନିଜ ନିଜ ଭାଷଣ ବକ୍ତବ୍ୟ କରିଥିଲେ । ବୈପାରିଗୁଡା ବ୍ଲକର ନବେ ଭାଗ ଲୋକ ଆଦିବାସୀ,ହରିଜନ,ସଂପ୍ରଦାୟ ଓ ପଛୁଆବର୍ଗର ରହିଛନ୍ତି ।
ଏହି ଅଂଚଳରେ ଅଧିକାଂଶ ଗ୍ରାମବାସୀ ଗମନାଗମନ,ଶିକ୍ଷା,ସ୍ୱାସ୍ଥ୍ୟ,ବାସଗୃହ,ତଥା ପାନୀୟ ଜଳର ଘୋର ଅଭାବ ମଓ୍ୟରେ ରହିଛନ୍ତି ତେଣୁ ସେମାନଙ୍କ ହିତ ପାଇଁ ୧୪ ଦଫା ଦାବି ଆଜି କୋରାପୁଟ ଜିଲ୍ଲାପାଳଙ୍କୁ ପ୍ରଦାନ କରାଯାଇଛି ବୋଲି କହିଛନ୍ତି ବ୍ଲକ ସମ୍ପାଦକ ସୂର୍ଯ୍ୟନାରାୟଣ ବିଶୋଇ । ମୁଖ୍ୟତଃ ସମସ୍ୟା ଗୁଡିକ ହେଲା ପେଟ୍ରୋଲ ଡିଜେଲ ରନ୍ଧନ ଗ୍ୟାସ ଦର କମାଇବା, ମଦ ଓ ମାଦକଦ୍ରବ୍ୟର ପ୍ରସାର ପ୍ରଚାର ସମ୍ପୂର୍ଣ୍ଣ ଭାବେ ବନ୍ଦ କରିବା, ବୈପାରିଗୁଡା,ବାଲିଗାଁ, ରାମଗିରି ଓ ଦଶମନ୍ତପୁର ସ୍ୱାସ୍ଥ୍ୟକେନ୍ଦ୍ରରେ ଖାଲିଥିବା ଡାକ୍ତର,ନର୍ସ ପୁରଣ କରିବା ସହ ଶିଶୁରୋଗ ଓ ସ୍ତ୍ରୀ ରୋଗ ବିଶେଷଜ୍ଞଙ୍କୁ ନିୟୁକ୍ତି ଦେବା, କସମଗୁଡା,ଝଡିଗୁଡା ସମେତ ବନ୍ଦ ଥିବା ବିଦ୍ୟାଳୟ ଗୁଡିକକୁ ତୂରନ୍ତ କାର୍ଯ୍ୟକାରୀ କରିବା,
ଦଖଲରେ ଥିବା ଅନାବାଦୀ ଓ ଜଙ୍ଗଲ ଜମିକୁ ଅଧିକୃତ କରିଥିବା ବ୍ୟକ୍ତିଙ୍କ ନାମରେ ବିନା ସଲାମୀରେ ପଟ୍ଟା ଯୋଗାଇବା ବନ୍ଦ କରିବା, ଗରିବ ପରିବାକୁ ପ୍ରଧାନମନ୍ତ୍ରୀ ଆବସ ଓ ବିଜୁ ପକ୍କା ଘର ଯୋଜନାରେ ସାମିଲ କରିବା, ପେନସେନ ଓ ବେକାରୀ ମାନଙ୍କୁ ୨ ହଜାର ଟଙ୍କା ଭତା ପ୍ରଦାନ କରିବା, ବ୍ଲକ କାର୍ଯ୍ୟାଳୟ ଠାରୁ ସମସ୍ତ ଗ୍ରାମକୁ ପିଚୁ କିମ୍ବା ପକ୍କା ରାସ୍ତା ନିର୍ମାଣ କରିବା ଆଦି ଦାବି କରାଯାଇଥିଲା ।ଏହି ବିକ୍ଷୋଭରେ ଏସୟୁସିଆଇର ନବୀନା ବାରିକ, ବାସନ୍ତି ଖରା, ଦଶରଥ ଖିଲ, ବସୁଦେବ ଖରା, ରତ୍ନାକର ବାରିକ, ଲକ୍ଷ୍ମୀ ବାରିକ, ରୁକ୍ମଣା ବାରିକଙ୍କ ସମେତ ଶତାଧିକ ସଦସ୍ୟ ଯୋଗ ଦେଇଥିଲେ ।
