ଆସନ୍ତା ୮ ତାରିଖ କାର୍ତ୍ତିକ ପୂର୍ଣ୍ଣିମାରେ ଚନ୍ଦ୍ରଗ୍ରହଣ

ଓଡ଼ିଶା ତାଜା ନ୍ୟୁଜ (୨ନଭେମ୍ବର ,ବୁଧବାର) ପୁରୀ :- ଆସନ୍ତା ୮ ତାରିଖ କାର୍ତ୍ତିକ ପୂର୍ଣ୍ଣିମାରେ ଚନ୍ଦ୍ରଗ୍ରହଣ ପଡୁଥିବାରୁ ଶ୍ରୀମନ୍ଦିର ପ୍ରଶାସନ ଦ୍ବାରା ନିର୍ଦ୍ଧାରିତ ହୋଇଥିବା ନୀତି ନିର୍ଘଣ୍ଟରେ ପରିବର୍ତ୍ତନ ହୋଇଛି । ସୂର୍ଯ୍ୟୋଦୟ ୫ଟା ୫୪ ମିନିଟ ୫୩ ସେକେଣ୍ଡରେ ଆରମ୍ଭ ହେଉଥିବାରୁ ସେହି ସମୟରୁ ପାକତ୍ୟାଗ, ଦେବନୀତି ନିଷେଧ ହେବ । ପୁନଶ୍ଚ ସେହି ଦିନ ମହାପ୍ରଭୁଙ୍କ ସୁନାବେଶ ରହିଛି । ତେବେ ଦେବ ନୀତି ନିଷେଧ ଓ ଚନ୍ଦ୍ରଗ୍ରହଣ ସ୍ବତନ୍ତ୍ର ନୀତି ଯୋଗୁଁ ଭକ୍ତ ଶ୍ରଦ୍ଧାଳୁମାନେ ମହାପ୍ରଭୁଙ୍କୁ ଦୁର୍ଲଭ ସୁନାବେଶ ଦର୍ଶନରୁ ବଞ୍ଚିତ ହୋଇପାରନ୍ତି । ନିର୍ଦ୍ଧାରିତ ନୀତି ନିର୍ଘଣ୍ଟ ଅନୁଯାୟୀ ୮ତାରିଖ ରାତି ୧୨ଟା ୧୦ ମିନିଟରେ ଦ୍ବାର ଫିଟି ରାତି ୨ଟା ୩୦ ସୁଦ୍ଧା ମହାପ୍ରଭୁଙ୍କ ଦୁର୍ଲଭ ସୁନାବେଶ ବା ରାଜାଧିରାଜ ବେଶ ସରିବ । ସକାଳ ୫ଟା ୫୦ ସୁଦ୍ଧା ଭୋଗମଣ୍ଡପ ଶେଷ କରିବାକୁ ନିଷ୍ପତ୍ତି ନିଆଯାଇଛି । ଦିନ ୨ଟା ୩୮ ମିନିଟ୍ ୧୪ ସେକେଣ୍ଡରେ ଗ୍ରହଣ ସ୍ପର୍ଶ ପରେ ଗ୍ରହଣ ମହାସ୍ନାନ, ଗ୍ରହଣ ଭୋଗନୀତି ହୋଇ ଅନ୍ୟାନ୍ୟ ନୀତି ଥିବାରୁ ଏହି ଦିନ ସୁନାବେଶ ଦେଖିବା ସମ୍ଭବ ପର ନୁହେଁ ବୋଲି ସୂଚନା ମିଳିଛି ।ସେହିପରି ଆସନ୍ତା ୪ରୁ ପଞ୍ଚୁକ ଆରମ୍ଭ ହେଉଥିବାରୁ ଶ୍ରୀମନ୍ଦିର ନୀତି କାନ୍ତି କିଭଳି ଶୃଙ୍ଖଳିତ ଭାବେ ସମ୍ପାଦନ ହୋଇପାରିବ ସେନେଇ ସମସ୍ତ ନିଯୋଗକୁ ଅନୁରୋଦଳଧ କରାଯାଇଛି । ଆଜି ସନ୍ଧ୍ୟାରେ ଶ୍ରୀମନ୍ଦିର ପ୍ରଶାସନିକ କାର୍ଯ୍ୟାଳୟରେ ଶ୍ରୀମନ୍ଦିର ଉପମୁଖ୍ୟ ପ୍ରଶାସକ ତଥା ଜିଲ୍ଲାପାଳ ସମର୍ଥ ବର୍ମାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିବା ଛତିଶା ନିଯୋଗ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି । ବୈଠକରେ ଶ୍ରୀମନ୍ଦିର ନୀତି ପ୍ରଶାସକଙ୍କ ସହ ଛତିଶା ନିଯୋଗର ସମସ୍ତ ସଦସ୍ୟମାନେ ଉପସ୍ଥିତ ଥିଲେ ।

Exit mobile version