Home ଓଡ଼ିଶା ରାଜ୍ୟସ୍ତରୀୟ ଓଡିଶା ବିପର୍ଯ୍ୟୟ ପ୍ରସ୍ତୁତି ଦିବସ ଏବଂ ଜାତୀୟ ବିପର୍ଯ୍ୟୟ ହ୍ରାସ ଦିବସ by Proprietor Abhimanyu Maharana 4 years ago Share on FacebookShare on TwitterWhatsapp ଓଡ଼ିଶା ତାଜା ନ୍ୟୁଜ (୨୯ ଅକ୍ଟୋବର ଶନିବାର ) ଭୁବନେଶ୍ୱର :- ରାଜ୍ୟସ୍ତରୀୟ ଓଡିଶା ବିପର୍ଯ୍ୟୟ ପ୍ରସ୍ତୁତି ଦିବସ ଏବଂ ଜାତୀୟ ବିପର୍ଯ୍ୟୟ ହ୍ରାସ ଦିବସ ଓଡିଶା ରାଜ୍ୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷଙ୍କ ଆନୁକୂଲ୍ୟରେ ସ୍ଥାନୀୟ ରବୀନ୍ଦ୍ର ମଣ୍ଡପ ଠାରେ ଅନୁଷ୍ଠିତ ହୋଇଯାଇଛି । ଏହି ରାଜ୍ୟସ୍ତରୀୟ ସମାରୋହରେ ମୁଖ୍ୟ ଅତିଥି ଭାବେ ଓଡିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟନାୟକ ଭିଡିଓ ବାର୍ତ୍ତା ମାଧ୍ୟମରେ ସମସ୍ତଙ୍କୁ ସମ୍ବୋଧିତ କରି କହିଥିଲେ ଯେ,ଏହି ଦିବସ ୧୯୯୯ ମସିହାରେ ସଂଘଟିତ ପ୍ରଳୟଙ୍କରୀ ମହାବାତ୍ୟାର ଭୟାବହତା ଏବଂ ଧ୍ୱସଲୀଳାକୁ ମନେ ପକାଇବା ସହିତ ଭବିଷ୍ୟତରେ ଯେ କୌଣସି ପ୍ରକାରର ବିପର୍ଯ୍ୟୟ ମୁକାବିଲା ପାଇଁ ପ୍ରସ୍ତୁତି ସଂପର୍କରେ ଆମ୍ଭକୁ ଦୃଢ ସଂକଳ୍ପବଦ୍ଧ କରାଇଥାଏ । ମାନ୍ୟବର ମୁଖ୍ୟମନ୍ତ୍ରୀ ଆହୁରି ମଧ୍ୟ କହିଥିଲେ ଯେ, ମହାବାତ୍ୟାର ୨୩ ବର୍ଷ ପରେ ଆମେ ଆମ ରାଜ୍ୟକୁ ବିପର୍ଯ୍ୟୟ ସମୟରେ ଯେପରି ନିରାପଦରେ ରଖିପାରିବୁ, ସେଥିପାଇଁ ସମସ୍ତ ପ୍ରକାର ପ୍ରୟାସ ଜାରି ରଖିଛୁ । ବିପର୍ଯ୍ୟୟ ପରିଚାଳନା ପାଇଁ ଓଡିଶାରେ ଭିତ୍ତିଭୂମି ସୁଦୃଢ କରାଯାଇଛି । ବିଗତ କିଛି ବର୍ଷ ହେଲା ଆମର ବିପର୍ଯ୍ୟୟ ପରିଚାଳନା ଉଦ୍ୟମକୁ ବିଶ୍ୱବାସୀ ପ୍ରଶଂସା କରିଆସୁଛନ୍ତି । ଏକ ବିପର୍ଯ୍ୟୟ ପ୍ରତିରୋଧୀ ଓଡିଶା ଗଠନରେ ମୋ ରାଜ୍ୟର ସାଢେ ୪ କୋଟି ଭାଇ ଓ ଭଉଣୀମାନଙ୍କୁ ସେମାନଙ୍କର ଅକୁଣ୍ଠ ସମର୍ଥନ ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀ ଧନ୍ୟବାଦ ଜ୍ଞାପନ କରିଥିଲେ ସମସ୍ତ ନିର୍ବାଚିତ ଜନ ପ୍ରତିନିଧି, ମିଶନ ଶକ୍ତି ସଦସ୍ୟା, ଆଶା ଓ ଅଙ୍ଗନବାଡି କର୍ମୀ, ଗୋଷ୍ଠୀ ସ୍ତରୀୟ ସ୍ୱେଚ୍ଛାସେବୀ, ସମସ୍ତ ପଦାଧିକାରୀ,ଓଡ୍ରାଫ, ଅଗ୍ନିଶମ ସେବା, ଏନଡିଆର୍ ଏଫ୍, ପୋଲିସ୍ ବାହିନୀମାନଙ୍କର ସମନ୍ୱିତ କାର୍ଯ୍ୟ ଯୋଗୁଁ ମୃତାହତ ସଂଖ୍ୟା ହ୍ରାସ କରାଯାଇପାରିଛି । ୨୦୨୨ ରେ ମହାନଦୀ,ବୈତରଣୀ ଓ ସୁବର୍ଣ୍ଣରେଖା ନଦୀ ବ୍ୟବସ୍ଥାରେ ରାଜ୍ୟର ୧୬ ଟି ଜିଲ୍ଲାର ୨୩ ଲକ୍ଷ ଲୋକ ପ୍ରଭାବିତ ହୋଇଥିଲେ । ଆମର ବଳିଷ୍ଠ ପ୍ରସ୍ତୁତି ଏବଂ ସମସ୍ତଙ୍କର ଉଦ୍ୟମରେ ଆମେ ୨.୭ ଲକ୍ଷ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରିପାରିଥିବା ଯୋଗୁଁ ଆମେ ନିର୍ଦ୍ଧାରିତ ସମୟରେ ରିଲିଫ୍ ଓ ପୁନରୁଦ୍ଧାର କାର୍ଯ୍ୟ କରିପାରିଲୁ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ । ମୁଖ୍ୟମନ୍ତ୍ରୀ ଏହା ମଧ୍ୟ କହିଥିଲେ ଯେ, ଏହି ଭିତରେ ଆମେ ୮୧୫ଟି ବହୁମୁଖୀ ବାତ୍ୟା ଆଶ୍ରୟସ୍ଥଳୀ ନିର୍ମାଣ କରିଛୁ । ୫୫ ଟି ଆଶ୍ରୟସ୍ଥଳୀ ନିର୍ମାଣାଧିନ ରହିଛି । ଆଗୁଆ ପାଣିପାଗ ସଂପର୍କରେ ସୂଚନା ପାଇଁ ରାଜ୍ୟ ସରକାର ସବୁ ଗ୍ରାମ ପଂଚାୟରରେ ଟେଲିମେଟ୍ରିକ୍ ରେନ୍ ଗଜ, ପ୍ରତି ବ୍ଲକରେ ସ୍ୱୟଂକ୍ରିୟ ପାଣିପାଗ ଷ୍ଟେସନ, ନଦୀ ସିଷ୍ଟମରେ ସେନ୍ସର ବ୍ୟବସ୍ଥା କରିବା ପାଇଁ ବ୍ୟବସ୍ଥା କରାଯାଉଛି । ଆମେ ଗୋଷ୍ଠୀଭିତ୍ତିକ ପ୍ରସ୍ତୁତିକୁ ଅଧିକ ସୁଦୃଢ କରିବା ପାଇଁ ଗ୍ରାମ ଏବଂ ଆଶ୍ରୟସ୍ଥଳୀ ସ୍ତରରେ ଥିବା ୪୦ ହଜାର ସ୍ୱେଚ୍ଛାସେବୀମାନଙ୍କୁ ପ୍ରଶିକ୍ଷଣ ପ୍ରଦାନ କରୁଛୁ । ପଂଚାୟତିରାଜ ପ୍ରତିନିଧି, ସ୍ଥାନୀୟ ସ୍ୱାୟତ୍ତ ଶାସନ ବ୍ୟବସ୍ଥାର ପ୍ରତିନିଧି, ମିଶନ ଶକ୍ତି ସଦସ୍ୟା, ଅଙ୍ଗନବାଡି କର୍ମୀ, ବନ ସୁରକ୍ଷା ସମିତିର ସଦସ୍ୟ, ସଦସ୍ୟାମାନେ ବିପର୍ଯ୍ୟୟ ମୁକାବିଲାରେ ପ୍ରମୁଖ ଭୂମିକା ଗ୍ରହଣ କରିଆସୁଛନ୍ତି । ଆଗାମୀ ଦିନରେ ପ୍ରତି ଘରେ ଘରେ ଓ ଗାଁରେ ଜଣେ ଜଣେ ବିପର୍ଯ୍ୟୟ ପରିଚାଳନା ଯୋଦ୍ଧା ହେବା ନିମନ୍ତେ ୪ର୍ଥ ଶ୍ରେଣୀରୁ ସ୍ନାତକ ପର୍ଯ୍ୟନ୍ତ ଛାତ୍ରଛାତ୍ରୀମାନଙ୍କର ପାଠ୍ୟ ଖସଡାରେ ବିପର୍ଯ୍ୟୟ ଓ ମହାମାରୀ ପରିଚାଳନା ସଂପର୍କିତ ପାଠ୍ୟକ୍ରମ ରଖାଯାଉଥିବା ସମ୍ପର୍କରେ ମୁଖ୍ୟମନ୍ତ୍ରୀ କହିଥିଲେ । ପ୍ରତି ଅଂଶୀଦାରୀ ଅନୁଷ୍ଠାନ ଓ ନାଗରିକମାନଙ୍କୁ ଏକ ବିପର୍ଯ୍ୟୟ ପ୍ରତିରୋଧୀ ଓଡିଶା ଗଠନ ଦିଗରେ ପୁନଃ ପ୍ରତିବଦ୍ଧ ହେବାକୁ ସମସ୍ତେ ସମ୍ମିଳିତ ପ୍ରୟାସ କରିବାକୁ ମୁଖ୍ୟମନ୍ତ୍ରୀ କହିଥିଲେ । ଏହି ଦିବସରେ ମହାବାତ୍ୟା ଏବଂ ନିକଟ ଅତୀତରେ ଘଟିଥିବା ବିଭିନ୍ନ ବିପର୍ଯ୍ୟୟରେ ପ୍ରାଣ ହରାଇଥିବା ସମସ୍ତ ବ୍ୟକ୍ତିବିଶେଷଙ୍କ ସ୍ମୃତିରେ ୧ ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା । ଏହି ଦିବସରେ ଆଜି ଓସଡମା ତରଫରୁ ଆୟୋଜିତ ଏକ ବୃହତ୍ ପ୍ରଦର୍ଶନୀକୁ ରାଜ୍ୟ ମୁଖ୍ୟ ଶାସନ ସଚିବ ଶ୍ରୀ ସୁରେଶ ଚନ୍ଦ୍ର ମହାପାତ୍ର ଉଦ୍ଘାଟନ କରିବା ସହିତ ପ୍ରଦର୍ଶନୀରେ ବିପର୍ଯ୍ୟୟ ମୁକାବିଲା ନିମନ୍ତେ ବ୍ୟବହାର ହେଉଥିବା ସମସ୍ତ ଆଧୁନିକ ଯନ୍ତ୍ରପାତିର ବ୍ୟବହାର ସଂପର୍କରେ ପଚାରିବୁଝିଥିଲେ । ଆୟୋଜିତ ସଭାରେ ଅଂଶଗ୍ରହଣ କରି ମୁଖ୍ୟ ଶାସନ ସଚିବଶ୍ରୀ ମହାପାତ୍ର କହିଲେ ଯେ, ମାନ୍ୟବର ମୁଖ୍ୟମନ୍ତ୍ରୀ ସବୁବେଳେ ‘ପ୍ରତ୍ୟେକ ଜୀବନ ମୂଲ୍ୟବାନ’ ବୋଲି କହିଛନ୍ତି .ସେ ସବୁବେଳେ ଓଡିଶାବାସୀଙ୍କ ଉନ୍ନତିପାଇଁ ଚିନ୍ତିତ । ଚଳିତ ବର୍ଷର ବିପର୍ଯ୍ୟୟ ପ୍ରସ୍ତୁତି ଦିବସର ପ୍ରସଙ୍ଗ ରହିଛି- ବିପର୍ଯ୍ୟୟଜନିତ ସମ୍ଭାବ୍ୟ କ୍ଷୟକ୍ଷତିର ସ୍ଥିତିସ୍ଥାପକତାରେ ଗୋଷ୍ଠୀର ଭୂମିକା (Community Action in Disaster in Disaster Risk Resilience) । ବିପର୍ଯ୍ୟୟ ପରିଚାଳନା କ୍ଷେତ୍ରରେ ଗୋଷ୍ଠୀର ପ୍ରତ୍ୟକ୍ଷ ସଂଶ୍ଲିଷ୍ଟ, ସକ୍ରିୟ ଅଂଶଗ୍ରହଣ,ସହଭାଗିତା ଆଦି ଗୁରୁତ୍ୱପୂର୍ଣ୍ଣ ଭୂମିକାର ଆଧାର ହିଁ ଏ ବର୍ଷ ଓଡିଶା ବିପର୍ଯ୍ୟୟ ପ୍ରସ୍ତୁତି ଦିବସର ବିଷୟ ବସ୍ତୁ । ବିପର୍ଯ୍ୟୟ ପରିଚାଳନାରେ ଗୋଷ୍ଠୀଭିତ୍ତିକ ସମ୍ପୃକ୍ତି ଆମ ସମସ୍ତଙ୍କ ପାଇଁ ସବୁଠାରୁ ବଡ ଆହ୍ୱାନ ବୋଲି ମୁଖ୍ୟ ଶାସନ ସଚିବ ଶ୍ରୀ ମହାପାତ୍ର ପ୍ରକାଶ କରିଥିଲେ । କାର୍ଯ୍ୟକ୍ରମରେ ପ୍ରାରମ୍ଭିକ ସ୍ୱାଗତ ଭାଷଣ ପ୍ରଦାନ କରି ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ,ସ୍ୱତନ୍ତ୍ର ରିଲିଫ କମିଶନର ତଥା ଓସଡମାର ପରିଚାଳନା ନିର୍ଦ୍ଦେଶକ ଶ୍ରୀ ପ୍ରଦୀପ କୁମାର ଜେନା କହିଲେ ଯେ, ୧୯୯୯ ର ମହାବାତ୍ୟା ପରେ ଆମେ ଅନେକ କଥା ଶିକ୍ଷା କରିଛୁ । ବିପର୍ଯ୍ୟୟ ମୁକାବିଲା କ୍ଷେତ୍ରରେ ଆମକୁ ଆହୁରି ଶକ୍ତିଶାଳୀ ହେବାକୁ ପଡିବ । ବିପର୍ଯ୍ୟୟ ମୁକାବିଲା ପାଇଁ ଆମେ ତ୍ରିସ୍ତରୀୟ ପଂଚାୟତିରାଜ ବ୍ୟବସ୍ଥାରେ ଏହାକୁ ବିଦ୍ଧିବଦ୍ଧ ଭାବେ ସାମିଲ କରାଯାଇଛୁ । ତତନୁସାରେ ଜିଲ୍ଲା ପରିଷଦ ଆଇନ୍ ଓ ପଂଚାୟତିରାଜ ଆଇନରେ ଆବଶ୍ୟକ ବ୍ୟବସ୍ଥା ଗ୍ରହଣ କରାଯାଇଛି । ପ୍ରତିବର୍ଷ ଦେଶରେ ସାପକାମୁଡାରେ ପ୍ରାୟ ୫୮ ହଜାର ମୃତ୍ୟୁବରଣ କରୁଥିବା ବେଳେ ଆମ ରାଜ୍ୟରେ ସାପକାମୁଡା ହ୍ରାସ ପାଇଁ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଗ୍ରହଣ କରାଯିବ ।କଟକ-ଭୁବନେଶ୍ୱରରେ ଗୋଷ୍ଠିଭିତ୍ତିକ ଅଗ୍ନିଶମ ସେବା ପରିପରିଚାଳନା ପାଇଁ ପ୍ରଶିକ୍ଷଣ ଦିଆଯିବାର ବ୍ୟବସ୍ଥା କରାଯାଉଛି ବୋଲି ଶ୍ରୀ ଜେନା ପ୍ରକାଶ କରିଥିଲେ । ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବଶ୍ରୀ ସତ୍ୟବ୍ରତ ସାହୁ, ଅଗ୍ନିଶମ ସେବା ମହାନିର୍ଦ୍ଦେଶକ ଶ୍ରୀ ସନ୍ତୋଷ କୁମାର ଉପାଧ୍ୟାୟ, ଅତିରିକ୍ତ ପୋଲିସ୍ ମହାନିର୍ଦ୍ଦେଶକ (ଆଇନ୍ ଶୃଙ୍ଖଳା) ଶ୍ରୀ ରାଧାକ୍ରିଷ୍ଣନ୍ ଶର୍ମା ଯୋଗଦେଇ ଯୁବଗୋଷ୍ଠୀଙ୍କୁ ପ୍ରଶିକ୍ଷଣ ଦେଇ ସେମାନଙ୍କର ଦକ୍ଷତାର ବିକାଶ କରି ବିପର୍ଯ୍ୟୟ ମୁକାବିଲା ଦିଗରେ ପ୍ରସ୍ତୁତ କରିବା ଏବଂ ସରକାରୀ ଓ ବେସରକାରୀ ଅନୁଷ୍ଠାନର ଭାଗିଦାରିତାରେ ବିପର୍ଯ୍ୟୟ ମୁକାବିଲା ପରିଚାଳାନାକୁ ଆହୁରି ସୁଦୃଢ କରିବା ଉପରେ ଗୁରୁତ୍ୱ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ବିପର୍ଯ୍ୟୟ ମୁକାବିଲା ଦିଗରେ ଓଡିଶାର ସଫଳତା ଉପରେ ପର୍ଯ୍ୟବସିତ ପୁସ୍ତକ-ଦି ରେସପନ୍ସ, ବିଲ୍ଟିଂ ରେଜିଲିଏଣ୍ଟ ଫର ସ୍କୁଲ ଇନ୍ଫ୍ରାଷ୍ଟ୍ରକ୍ଚର, କୋଭିଡ୍-୧୯ ମ୍ୟାନେଜମେଣ୍ଟ ପ୍ରୋସେସ ଡକ୍ୟୁମେଣ୍ଟ ଆଦି ୩ଟି ପୁସ୍ତକ ଉନ୍ନୋଚିତ ହୋଇଥିଲା । କାର୍ଯ୍ୟକ୍ରମରେ ୟୁନିସେଫର୍ ଓଡିଶା ମୁଖ୍ୟ ମୋନିକା ନେଲସନ ଯୋଗଦେଇଥିଲେ । ବିପର୍ଯ୍ୟୟ ପରିଚାଳନା କ୍ଷେତ୍ରରେ ଉଲ୍ଲେଖନୀୟ ଯୋଗଦାନ ଦେଇଥିବା ରାଜ୍ୟର ପ୍ରମୁଖ ୩ଟି ବହୁମୁଖୀ ବାତ୍ୟା ଓ ବନ୍ୟା ଆଶ୍ରୟସ୍ଥଳର ସଭାପତି ଓ ସଂପାଦକମାନଙ୍କୁ ୧୦ହଜାର ଟଙ୍କା ଲେଖାଏଁ ପୁରସ୍କୃତ କରାଯାଇଥିଲା । ଭାରତୀୟ ରେଡକ୍ରସ ସୋସାଇଟିର ଶ୍ରେଷ୍ଠ ବହୁମୁଖୀ ବାତ୍ୟା ଆଶ୍ରୟସ୍ଥଳ, ଗୋଷ୍ଠୀ ପରିଚାଳନା ଭିତ୍ତିକ ବାତ୍ୟା ଆଶ୍ରୟସ୍ଥଳ, ଶ୍ରେଷ୍ଠ ବିପର୍ଯ୍ୟୟ ପରିଚାଳନା ପ୍ଲାନ୍ ପାଇଁ ଗଜପତି ଜିଲ୍ଲା, କୋମନା ବ୍ଲକ(ନୂଆପଡା),ଦାରିଙ୍ଗିବାଡି(କନ୍ଧମାଳ),ଆଠମଲ୍ଲିକ(ଅନୁଗୋଳ) ବ୍ଲକକୁ ସମ୍ବର୍ଦ୍ଧିତ କରାଯାଇଥିବା ବେଳେ ବିପର୍ଯ୍ୟୟ ମୁକାବିଲା କ୍ଷେତ୍ରରେ କାର୍ଯ୍ୟକରୁଥିବା ଏନଡିଆରଏଫ୍,ଓଡ୍ରାଫ, ଅଗ୍ନିଶମ ବିଭାଗ ସମେତ ବିଭିନ୍ନ ସହଯୋଗୀ ଅନୁଷ୍ଠାନମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା . ଶେଷରେ ଅତିରିକ୍ତ ସ୍ୱତନ୍ତ୍ର ରିଲିଫ୍ କମିଶନର ତଥା ଓସଡମାର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଶ୍ରୀ ଜ୍ଞାନ ଦାସ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗର ଅଧିକାରୀବୃନ୍ଦ, ମିଳିତ ଜାତିସଂଘର ବିଭିନ୍ନ ଅନୁଷ୍ଠାନର ପ୍ରତିନିଧି, ଏନଡିଆର୍ ଏଫ୍, ଓଡିଶା ଅଗ୍ନିଶମ ବାହିନୀ, ସିଭିଲ ଡିଫେନ୍ସ ଏବଂ ଭାରତୀୟ ରେଡକ୍ରସ, ବିଭିନ୍ନ ମହାବିଦ୍ୟାଳୟର ଛାତ୍ରଛାତ୍ରୀ ଓ ସ୍ୱେଚ୍ଛାସେବୀମାନ ଅଂଶଗ୍ରହଣ କରିଥିଲେ । କାର୍ଯ୍ୟକ୍ରମକୁ ସୂଚନା ଓ ଲୋକ ସଂପର୍କ ବିଭାଗ ସହକାରୀ ନିର୍ଦ୍ଦେଶକ(କ୍ଷେତ୍ର) ଶ୍ରୀମତୀ ସୁଚେତା ପ୍ରିୟଦର୍ଶିନୀ ସଂଯୋଜନା କରିଥିଲେ । Categories: ଓଡ଼ିଶା, ମହାନଗର, ହୋମ୍ Related Content ହରିବୋଲ ହୁଳହୁଳିରେ ବିଛୁବାହାଲି: ପୂର୍ଣାହୁତି ପରେ ପ୍ରସାଦ ସେବନ by Proprietor Abhimanyu Maharana June 21, 2026 ନିଖିଳ ଉତ୍କଳ ବିଶ୍ବକର୍ମା ସମିତି ପକ୍ଷରୁ ଚାମେଲିଙ୍କୁ ସ୍ବାଗତ by Proprietor Abhimanyu Maharana June 21, 2026 ପବିତ୍ର ଶୀତଳ ଷଷ୍ଠୀ ଅବସରରେ କଟକର ଆରାଧ୍ୟ ଦେବତା ପ୍ରଭୁ ଶ୍ରୀ ଚହଟେଶ୍ୱରଙ୍କ ବିବାହ ଉତ୍ସବ by Proprietor Abhimanyu Maharana June 21, 2026 ଘରପୋଡି ରେ ଦୁଇ ପରିବାର ସର୍ବସ୍ବାନ୍ତ by Proprietor Abhimanyu Maharana June 20, 2026 ଗଜପତି ଜିଲ୍ଲା ମହେନ୍ଦ୍ରଗିରି ପର୍ବତରେ ସାମୂହିକ ସ୍ବଚ୍ଛତା ଅଭିଯାନ ଅନୁଷ୍ଠିତ by Proprietor Abhimanyu Maharana June 20, 2026 ବର୍ଷାରେ ଓଦା ହୋଇ ଚାଲିଲେ : ମହାପ୍ରଭୁଙ୍କ ନାମରେ କମ୍ପିଲା ବଡଦାଣ୍ଡ by Proprietor Abhimanyu Maharana June 20, 2026