ରାଜ୍ୟ ଏନ୍‌ଏସ୍‌ଏସ୍ ପୁରଷ୍କାର ରାଶି ଦ୍ୱିଗୁଣିତ ହେଲା

ଓଡ଼ିଶା ତାଜା ନ୍ୟୁଜ (୨୦ ଅକ୍ଟୋବର ଗୁରୁବାର ) ଭୁବନେଶ୍ୱର :- ସମାଜସେବା ମାଧ୍ୟମରେ ଛାତ୍ରଛାତ୍ରୀମାନଙ୍କର ବ୍ୟକ୍ତିତ୍ୱର ବିକାଶ ସାଧନ କରିବା ଜାତୀୟ ସେବା ଯୋଜନା (ଏନ୍‌.ଏସ୍‌.ଏସ୍‌)ର ମୂଳ ଲକ୍ଷ୍ୟ । କେନ୍ଦ୍ରୀୟ ଅନୁଦାନ ଓ ରାଜ୍ୟ ସରକାରଙ୍କର ଉଚ୍ଚଶିକ୍ଷା ବିଭାଗର ତତ୍ତ୍ୱାବଧାନରେ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ସେବାମୂଳକ କାର୍ଯ୍ୟ ଯଥା ବିପର୍ଯ୍ୟୟ ପରିଚାଳନା, ସଡ଼କ ସୁରକ୍ଷା, ନିଶା ନିବାରଣ, ସ୍ୱଚ୍ଛ ଭାରତ ଅଭିଯାନ ଇତ୍ୟାଦି କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ସ୍ୱେଚ୍ଛାସେବୀ ଛାତ୍ରଛାତ୍ରୀ ତଥା କାର୍ଯ୍ୟକ୍ରମ ଅଧିକାରୀମାନଙ୍କୁ ରାଜ୍ୟ ଏନ୍‌ଏସ୍‌ଏସ୍ ପୁରଷ୍କାର ପ୍ରଦାନ କରାଯାଇଥାଏ । ଏହି ପରିପ୍ରେକ୍ଷୀରେ ବୁଧବାର ଦିନ ଜୟଦେବ ଭବନଠାରେ ଓଡ଼ିଶା ସରକାରଙ୍କ ଉଚ୍ଚଶିକ୍ଷା ବିଭାଗ ତରଫରୁ ରାଜ୍ୟସ୍ତରୀୟ ଏନ୍‌ଏସ୍‌ଏସ୍ ପୁରସ୍କାର ସମାରୋହ ଓଡ଼ିଶାରୁ ଆସିଥିବା ସମସ୍ତ ବିଶ୍ୱବିଦ୍ୟାଳୟର ସ୍ୱେଚ୍ଛାସେବୀମାନଙ୍କ ଗହଣରେ ଏନ୍‌ଏସ୍‌ଏସ୍ ସ୍ୱେଚ୍ଛାସେବୀ ଓ କାର୍ଯ୍ୟକ୍ରମ ଅଧିକାରୀମାନଙ୍କୁ ୨୦୨୦-୨୧ ଓ ୨୦୨୧-୨୨ ବର୍ଷର ପୁରଷ୍କାର ବିତରଣ କରାଯାଇଅଛି ।

ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଉଚ୍ଚଶିକ୍ଷା ମନ୍ତ୍ରୀ ଇଂ ରୋହିତ ପୂଜାରୀ ଯୋଗଦେଇ ଯେଉଁ ଲୋକଙ୍କ ପାଖରେ କେହି ପହଞ୍ôଚ ପାରୁନାହାଁନ୍ତି, ଆମ ସ୍ୱେଚ୍ଛାସେବୀମାନେ ସେହି ମାନଙ୍କ ପାଇଁ ଅଧିକ ସମ୍ବେଦନଶୀଳ ହେବା ଦରକାର ବୋଲି କହିଥିଲେ । ଖୁସିର ବିଷୟ ଆସନ୍ତା ବର୍ଷ ଠାରୁ ଉଭୟେ ସ୍ୱେଚ୍ଛାସେବୀ ଓ କାର୍ଯ୍ୟକ୍ରମ ଅଧିକାରୀମାନଙ୍କ ପୁରଷ୍କାର ରାଶି ଦ୍ୱିଗୁଣିତ କରିବା ପାଇଁ ଘୋଷଣା କରିଥିଲେ । ଅନ୍ୟତମ ସମ୍ମାନିତ ଅତିଥି ଭାବେ ମୋ କଲେଜ ଅଭିଯାନର ଅଧ୍ୟକ୍ଷ ଶ୍ରୀଯୁକ୍ତ ଆକାଶ ଦାସନାୟକ ରାଷ୍ଟ୍ର ଗଠନରେ ସ୍ୱେଚ୍ଛାସେବୀଙ୍କ ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ମତପ୍ରକାଶ କରିଥିଲେ । ପ୍ରାରମ୍ଭରେ ଏନ୍‌ଏସ୍‌ଏସ୍ ଅଧିକାରୀ ତଥା ଉପଶାସନ ସଚିବ, ଉଚ୍ଚଶିକ୍ଷା ବିଭାଗ ଡଃ ରମେଶ ଚନ୍ଦ୍ର ବେହେରା ସ୍ୱାଗତ ଅଭିଭାଷଣ ଦେଇଥିଲେ । ପରେ ଭାରତ ସରକାରଙ୍କ ଏନ୍‌ଏସ୍‌ଏସ୍ ଆଞ୍ଚଳିକ ନିର୍ଦ୍ଦେଶକ ସୁଶ୍ରୀ ସରିତା ପଟେଲ ଜାତୀୟ ସେବା ଯୋଜନାରେ ଭାଗ ନେଇଥିବା ସମସ୍ତ ସ୍ୱେଚ୍ଛାସେବୀମାନଙ୍କୁ ସାଧୁବାଦ ଜଣାଇଥିଲେ ।

ଉଚ୍ଚଶିକ୍ଷା ବିଭାଗର ଶାସନ ସଚୀବ ଶ୍ରୀଯୁକ୍ତ ବିଷ୍ଣୁପଦ ସେଠୀ ଏହି କାର୍ଯ୍ୟକ୍ରମରେ ସଭାପତିତ୍ୱ କରି ସମସ୍ତ ଛାତ୍ରଛାତ୍ରୀ ଓ କାର୍ଯ୍ୟକ୍ରମ ଅଧିକାରୀମାନଙ୍କୁ ସନ୍ଥକବି ଭୀମଭୋଇ ଓ ଉତ୍କଳମଣି ଗୋପବନ୍ଧୁଙ୍କ ସେବା ସାଧନକୁ ନିଜ ଭିତରେ ଅନ୍ତଃକରଣ କରିବାକୁ କହିଥିଲେ । ଶେଷରେ ୩୯ଜଣ ସ୍ୱେଚ୍ଛାସେବୀ ଓ କାର୍ଯ୍ୟକ୍ରମ ଅଧିକାରୀମାନଙ୍କୁ ପୁରଷ୍କୃତ କରାଯାଇଥିଲା । ଏହି ଅବସରରେ ଓଡ଼ିଶାର ବିଭିନ୍ନ ବିଶ୍ୱବିଦ୍ୟାଳୟର କାର୍ଯ୍ୟକ୍ରମ ଅଧିକାରୀ ଓ କାର୍ଯ୍ୟକ୍ରମ ସଂଯୋଜକ ଯୋଗଦେଇ ସ୍ୱେଚ୍ଛାସେବୀମାନଙ୍କୁ ଉତ୍ସାହିତ କରିଥିଲେ । କାର୍ଯ୍ୟକ୍ରମକୁ ଓୟୁଏଟି, ଇଟିଆଇର ପ୍ରଶିକ୍ଷକ ଶ୍ରୀ ନିରୋଦ ବରଣ ଖୁଣ୍ଟିଆ ସଂଯୋଜନା କରିଥିଲା ବେଳେ ଉତ୍କଳ ବିଶ୍ୱବିଦ୍ୟାଳୟ ଜାତୀୟ ସେବା ଯୋଜନା ସଂଯୋଜକ ଡଃ ବ୍ରଜନାରାୟଣ ପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ ।

Exit mobile version