ଓଡ଼ିଶା ତାଜା ନ୍ୟୁଜ (୧୯ ଅକ୍ଟୋବର ବୁଧବାର ) ଭୁବନେଶ୍ୱର :- ଜାତୀୟ ସେବା ଯୋଜନା (ଏନ୍ଏସ୍ଏସ୍) ଯୁକ୍ତ-୨ଠାରୁ ବିଶ୍ୱବିଦ୍ୟାଳୟ ପର୍ଯ୍ୟନ୍ତ ପ୍ରତ୍ୟେକ ସ୍ତରରେ ଫଳପ୍ରଦ ହୋଇଆସିଛି । ଏହା ଛାତ୍ରଛାତ୍ରୀମାନଙ୍କ ବୌଦ୍ଧିକ ବିକାଶ ସହ ସେମାନଙ୍କ ମଧ୍ୟରେ ସେବା ମନୋବୃତ୍ତି ଓ ଶୃଙ୍ଖଳା ଉଦ୍ରେକ କରୁଛି । ଆଜି ଜୟଦେବ ଭବନରେ ଅନୁଷ୍ଠିତ ଜାତୀୟ ସେବା ଯୋଜନାର ବିଗତ ଦୁଇ ବର୍ଷ ଯଥା ୨୦୨୦-୨୧, ୨୦୨୧-୨୨ ନିମନ୍ତେ ପୁରସ୍କାର ବିତରଣ ଉତ୍ସବରେ ରାଜ୍ୟ ଉଚ୍ଚଶିକ୍ଷା ମନ୍ତ୍ରୀ ଶ୍ରୀ ରୋହିତ ପୂଜାରୀ ଯୋଗଦେଇ ଏହି ମତ ପ୍ରକାଶ କରିଛନ୍ତି । ଜାତୀୟ ସେବା ଯୋଜନା ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ଥିବା ଆତ୍ମଶକ୍ତି, କର୍ମନିଷ୍ଠା ଏବଂ ସେବା ମନୋଭାବ, ଏକ ସୁନ୍ଦର ଦେଶ ଗଠନରେ ସହାୟକ ହେଉଅଛି ।
ଏହି ସଂସ୍ଥା ଛାତ୍ରଶକ୍ତିର ସଦ୍ବିନିଯୋଗର ପ୍ରତିବିମ୍ବ ମାତ୍ର । ୧୯୬୯ ମସିହା ସେପେଫମ୍ବର ୨୪ ତାରିଖରୁ ଦେଶରେ ଏହି ଯୋଜନାର ଶୁଭାରମ୍ଭ କରାଯାଇଥିବାବେଳେ ଆଜି ଏହା ମହାଦ୍ରୁମରେ ପରିଣତ ହୋଇପାରିଛି । ଏନ୍ଏସ୍ଏସ୍ ଆଭିମୁଖ୍ୟ ‘କେବଳ ମୁଁ ନୁହେଁ ତୁମେ ମଧ୍ୟି’ (Not Me but You) । ଏହା ସ୍ୱାର୍ଥହୀନ ସେବାର ପ୍ରତୀକ ସହ ସମାଜରେ ଗଣତନ୍ତ୍ର ଭାବଧାରା ଦୃଢ଼ୀଭୂତ କରୁଛି । ସେ୍ୱଚ୍ଛାସେବୀମାନେ ଶିକ୍ଷା, ପରିବେଶ ସୁରକ୍ଷା, ସ୍ୱାସ୍ଥ୍ୟରକ୍ଷା ଦିଗରେ ବିଭିନ୍ନ ସେବାମୂଳକ କାର୍ଯ୍ୟ କରୁଛନ୍ତି । ସମାଜରୁ କୁସଂସ୍କାର ଦୂରକରିବା, ମହିଳାମାନଙ୍କ ଅଧିକାର, ଯୌତୁକ ପ୍ରଥା, ମଦ୍ୟପାନ, ବୃକ୍ଷରୋପଣ କାର୍ଯ୍ୟକ୍ରମ ଗ୍ରହଣ କରୁଛନ୍ତି ।
