ଗଜପତି ଜିଲ୍ଲାର ଯୁବକ ମାନଙ୍କ ଅଗ୍ନିପଥ ଯୋଜନାରେ ଖୁବ୍‌ଶୀଘ୍ର ଆରମ୍ଭ ହେବ ନିଯୁକ୍ତି ପ୍ରକ୍ରିୟା ; ପ୍ରଶାସନ ପକ୍ଷରୁ ଦିଆଯାଉଛି ମାଗଣା ଟ୍ରେନିଂ

ଓଡ଼ିଶା ତାଜା ନ୍ୟୁଜ (୧୧ ଅକ୍ଟୋବର,ମଙ୍ଗଳବାର ) ପାରଳାଖେମୁଣ୍ଡି :- ସଶସ୍ତ୍ର ବଳରେ ଯୁବଶକ୍ତିଙ୍କ ନିଯୁକ୍ତି ପାଇଁ ଅଗ୍ନିପଥ ଯୋଜନା ଆଣିଛନ୍ତି କେନ୍ଦ୍ର ସରକାର । ଖୁବ୍‌ଶୀଘ୍ର ଆରମ୍ଭ ହେବ ନିଯୁକ୍ତି ପ୍ରକ୍ରିୟା । ସେନାରେ ଭର୍ତ୍ତି ହେବା ପାଇଁ ରହିଛନ୍ତି ଅନେକ ଆଶାୟୀ । ଏହା ପୂର୍ବରୁ ଗଜପତି ଜିଲ୍ଲାର ପିଲାଙ୍କୁ ପ୍ରସ୍ତୁତ କରାଇବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ପଦକ୍ଷେପ ଗ୍ରହଣ କରାଯାଇଛି । ନିଜକୁ ଫିଟ୍‌ ରଖି ସେନା ଭର୍ତ୍ତି ହେବାକୁ ଜୋରଦାର ପ୍ରୟାସ କରୁଛନ୍ତି ଗଜପତିର ଯୁବଗୋଷ୍ଠୀ। ଏମାନଙ୍କୁ ପ୍ରସ୍ତୁତ କରିବାକୁ ଜିଲ୍ଲାରେ ଆରମ୍ଭ ହୋଇଛି ତାଲିମ ପ୍ରକ୍ରିୟା । ସ୍ଥାନୀୟ ଜବାହାର ନବୋଦୟ ସ୍କୁଲ ପରିସରରେ ଜିଲ୍ଲାର ୧୦୦ପିଲାଙ୍କୁ ତାଲିମ ଦେଉଛି ଜିଲ୍ଲା ପ୍ରଶାସନ । ଏହି ଶିବିରରେ ଯୋଗ ଦେଇଥିବା ପିଲାଙ୍କ ଶାରିରୀକ ପରୀକ୍ଷା କରାଯିବା ପରେ ସେମାନଙ୍କୁ ଗ୍ରହଣ କରାଯାଇଥିଲା ।

ଏପରିକି ସେମାନଙ୍କ ମେଡିକାଲ ଟେଷ୍ଟ୍‌ ମଧ୍ୟ କରାଯାଇଛି । ଫିଟ୍‌ ଥିବା ପିଲାଙ୍କୁ ତାଲିମ ଶିବିରରେ ରଖାଯାଇ ଏକ ମାସ ବ୍ୟାପି ଆବଶ୍ୟକୀୟ ତାଲିମ ପ୍ରଦାନ କରାଯାଇଛି ।ଗଜପତି ଭଳି ଆଦିବାସୀ ଅଧ୍ୟୁଷିତ ଜିଲ୍ଲାର ଆଶାୟୀ ମାନେ ପୂର୍ବ ପ୍ରସ୍ତୁତି କରିବା ଏକ କାଠିକର ବ୍ୟାପାର ଥିବା ବେଳେ ଏହାକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ଏହି ପଦକ୍ଷେପ ଗ୍ରହଣ କରାଯାଇଛି ଏହା ଦ୍ବାରା ପିଲାମାନେ ଶାରୀରୀକ ଓ ମାନସିକ ଭାବେ ପ୍ରସ୍ତୁତ ରହିବେ ବୋଲି ଜିଲ୍ଲାପାଳ କହିଛନ୍ତି । ବର୍ତ୍ତମାନ ପ୍ରଥମ ବ୍ୟାଚ ତାଲିମ ସରିଥିବା ବେଳେ ଦ୍ବତୀୟ ବ୍ୟାଚ ପାଇଁ ପ୍ରକିୟା ଆରମ୍ଭ ହୋଇଛି । ଏହି ଶିବିରରେ ଖୋଦ ପୋଲିସ ରିଜର୍ଭ ଇନ୍ସପେକ୍ଟରଙ୍କ ନେତୃତ୍ବରେ ଏକ ଟିମ ସାମିଲ ହୋଇ ତାଲିମ ପ୍ରଦାନ କରୁଛନ୍ତି ।

ଏହି ଟିମ ପିଲାଙ୍କ ଶାରୀରିକ ପରୀକ୍ଷା ଠାରୁ ଆରମ୍ଭ କରି ବିଭିନ୍ନ ପ୍ରକାର କୌଶଳ ସଂପର୍କରେ ପିଲାଙ୍କୁ ତାଲିମ ପ୍ରଦାନ କରିଛନ୍ତି ।ଏନେଇ ଗଜପତି ଜିଲ୍ଲାପାଳ ଲିଙ୍ଗରାଜ ପଣ୍ଡା କହିଛନ୍ତି ଯେ, “ଆମର ୧୦୦ ପିଲାଙ୍କୁ ନେଇଏକବ୍ୟାଚ୍‌ କରାଯାଇଛି ଗଜପତି ପୋଲିସକର୍ମୀମାନେ ପ୍ରଶିକ୍ଷଣ ଦେଉଛନ୍ତି । ଏହାସହ ଶାରିରୀକ ସହ ଲିଖିତ ଶିକ୍ଷା ମଧ୍ୟ ପ୍ରଦାନ କରାଯାଉଛି । ଆଗରୁ ଗଜପତି ମହାରାଜା କୃଷ୍ଣଚନ୍ଦ୍ର ଗଜପତିଙ୍କ କାଳରୁ ଏକ ପରମ୍ପରା ରହିଛି ।  ଆମର ବହୁତ ପିଲା ସେନାର ଯାଇଥାନ୍ତି । ଆଦିବାସୀ ଛାତ୍ରଛାତ୍ରୀଙ୍କର ଫିଜିକାଲ୍‌ ଫିଟନେସ୍‌ ଭଲ ରହୁଛି । ଅଗ୍ନିବୀର ଯୋଜନା ପାଇଁ ଏମାନଙ୍କ ମାର୍ଗଦର୍ଶନ କରାଯାଉଛି । ଯାହା ଦ୍ବାରା ସେମାନଙ୍କ ପକ୍ଷରେ ସେନାରେ ସାମିଲ ହେବା ସହଜ ହେବ ।”

Exit mobile version