ବୋଦା ବଳି ପାଇଁ ମାଲିକ ପଡିଲା ବଳି, ଗଣ୍ଡି ମୁଣ୍ଡ ଅଲଗା କାରି ଥାନାରେ ପୂଜକର ଆତ୍ମସମର୍ପଣ – କଟକ ନରସିଂହ ପୁର ବନ୍ଧ ହୁଡ଼ା ରେ ଜଘନ୍ୟ ହତ୍ୟାକାଣ୍ଡ

ଓଡିଶା ତାଜା ନ୍ୟୁଜ୍‌ , (୨୮ ମେ ୨୦୨୦ ଗୁରୁବାର ) ନରସିଂହପୁର :– କଟକ ଜିଲ୍ଲା ନରସିଂହପୁର ଥାନା ଅନ୍ତର୍ଗତ ବନ୍ଧହୁଡା ଗ୍ରାମ ମୁଣ୍ଡରେ ଥିବା ମା ବ୍ରାହ୍ମଣିଦେଇ ମନ୍ଦିରର ତଳେ ରହିଥିବା ବିଶ୍ରାମଗାରରେ ବୁଧବାର ବିଳମ୍ବିତ ରାତ୍ରିରେ ଏକ ଅଭାବନୀୟ ଘଟଣା ଘଟିଛି । କରୋନା ମହାମାରୀ ଦୂର କରିବା ପାଇଁ ଜଣେ ୫୫ ବର୍ଷ ବୟଷ୍କ ବ୍ୟକ୍ତିଙ୍କୁ ନରବଳି ଦିଆଯାଇଥିବା କୁହାଯାଉଛି । ତେବେ ଏହା ଏକ ହତ୍ୟାକାଣ୍ଡ ବୋଲି ସନ୍ଦେହ କରାଯାଉଛି।

ବ୍ରାହ୍ମଣିଦେଇ ମନ୍ଦିରର ପୁଜକ ଏହି କାଣ୍ଡ ଘଟାଇ ନରସିଂହପୁର ଥାନାରେ ପହଞ୍ଚି କହିଛନ୍ତି ଯେ ୪ ଦିନ ତଳେ ମା’ ମଙ୍ଗଳାଙ୍କ ସ୍ୱପ୍ନାଦେଶ ହୋଇଥିଲା । କରୋନା ମହାମାରୀକୁ ଦୂର କରିବା ପାଇଁ ନରବଳୀ ପ୍ରଦାନ କଲେ ଏ ଅଞ୍ଚଳ କରୋନା ମୁକ୍ତ ହୋଇପାରିବ । ଏଣୁ ମୁଁ ନରବଳୀ ଦେଇଛି ବୋଲି କହି ସେହି ସ୍ଥାନରେ ଅଚେତ ହୋଇପଡିଥିଲେ । ପୁଜକଙ୍କ ଗୋଡ ହାତ ଓ ମୁଣ୍ଡରେ ରକ୍ତର ଛାପ ଲାଗିଥିଲା । ତେବେ ବନ୍ଧହୁଡା ଗ୍ରାମର ସରୋଜ ପ୍ରଧାନ (୫୫)କୁ ପୁଜକ ସଂସାରି ଓଝା (୭୨) ନରବଳୀ ଦେଇଥିବା ଜଣା ପଡିଛି । ମାତ୍ର ସ୍ଥାନୀୟ ଗ୍ରାମ ବାସୀଙ୍କ ଠାରୁ ଜଣାପଡିଛି ଯେ ସରୋଜ ଓ ପୁଜକ ମଧ୍ୟରେ ବିଭିନ୍ନ ଘଟଣାକୁ ନେଇ ବହୁବାର କଳି ଝଗଡା ହୋଇଥାଏ । ପୁଜକଙ୍କୁ ସରୋଜ ବହୁ ସମୟରେ ହଇରାଣ କରିଥାନ୍ତି । ତେଣୁ ଏହାକୁ ହତ୍ୟାକାଣ୍ଡ ବୋଲି ସନ୍ଦେହ କରାଯାଉଛି।

ନରସିଂହପୁର ଥାନା ଅଧିକାରୀ ଲିଙ୍ଗରାଜ ଲେଙ୍କା ବିଳମ୍ବିତ ରାତ୍ରିରେ ପହଞ୍ଚି ଘଟଣାର ତଦନ୍ତ ପରେ ଫୋରେନସିକ ଟିମ କଟକକୁ ଘଟଣାସ୍ଥଳକୁ ଡକାଇଥିଲେ । ଘଟଣା ସ୍ଥଳରେ ଗୁରୁବାର ସକାଳୁ ଫୋରେନସିକ ଟିମ୍ ନରସିଂହପୁର ଏକଜୁକୁଟିଭ୍‍ ମାଜିଷ୍ଟ୍ରେଟ୍‍ ଆକାଶ ରଞ୍ଜନ ସାହୁ ପହଁଞ୍ଚି ଘରର ତାଲା ଖୋଲିଥିଲେ । ସେହି କୋଠରୀରେ ଦିଗଡ ହୋଇ ପଡିଥିବା ସରୋଜଙ୍କୁ ବିଭିନ୍ନ ତଦନ୍ତ ଓ ପରୀକ୍ଷା ନିରୀକ୍ଷା ପରେ ଥାନା ପକ୍ଷରୁ ମାମଲା ରୁଜ୍ଜୁ କରାଯାଇ ମୃତ ଦେହକୁ ବ୍ୟବଚ୍ଛେଦ ପାଇଁ ବଡମ୍ବା ପଠାଇ ଦିଆଯାଇଛି । ଏହି ଘଟଣା ସଂପର୍କରେ ପୁଜକକୁ ଥାନାରେ ଅଟକ ରଖାଯାଇ ତଦନ୍ତ ଜାରି ରହିଥିବା ଥାନା ଅଧିକାରୀ ଶ୍ରୀ ଲେଙ୍କା ସୁଚନା ଦେଇଛନ୍ତି । (ରିପୋର୍ଟ କୈଳାସ ପରିଡା )

odishatazanews.com, whatsApp – 9938341180, ph.7008991872, facebook – odishatazanews, ଲାଇକ୍ ଓ ସେୟାର କରନ୍ତୁ – Mail – odishatazanews1@gmail.com

Exit mobile version