ଗାଁ ଗାଁ ବୁଲି ଲୋକ ଓ ବିଦ୍ୟାଳୟ ସମସ୍ୟା ବୁଝିଲେ ସରପଂଚ : ଖାତାରେ ଲେଖିଲେ ଅଭିଯୋଗ – ଏଭଳି ଉଦ୍ୟମକୁ ଲୋକଙ୍କ ପ୍ରଶଂସା

ଓଡ଼ିଶା ତାଜା ନ୍ୟୁଜ (୨୪ ସେପ୍ଟେମ୍ବର ଶନିବାର) ବୈପାରିଗୁଡା :- ଗାଁରେ ବୁଲିଲେ ସରପଂଚ ବୁଝିଲେ ବିଭିନ୍ନ ସମସ୍ୟା । ତାହା ସହ ସେହି ବିଷୟକୁ ନେଇ ଗ୍ରାମବାସୀଙ୍କ ସହ ଆଲୋଚନା କରିବା ପରେ ବିଦ୍ୟାଳୟ ଯାଇ ଛାତ୍ରଛାତ୍ରୀଙ୍କ ସହିତ ଶିକ୍ଷା ବିଷୟକୁ ନେଇ କଥାବାର୍ତିା ହୋଇଥିବାର ଦେଖିବାକୁ ମିଳିଛି । ଏମିତି କି ହାତରେ ଖାତା କଲମ ଧରି ଲୋକଙ୍କ ସମସ୍ୟା ଗୁଡିକୁ ଗୋଟି ଗୋଟି କରି ଲେଖିଲେ ସରପଂଚ । ଏପରି ନିଆରା ଉଦ୍ୟମ ଦେଖିବାକୁ ମିଳିଛି କୋରାପୁଟ ଜିଲ୍ଲା ବୈପାରିଗୁଡା ବ୍ଳକ ଦଶମନ୍ତପୁର ପଂଚାୟତର ସରପଂଚ ଆର.ରୋହିତ କୁମାର ଙ୍କ କ୍ଷେତ୍ରରେ ।

ସୂଚନା ଅନୁସାରେ ଗତ ପଂଚାୟତ ନିର୍ବାଚନରେ ଆର.ରୋହିତ କୁମାର ସରପଂଚ ଭାବେ ବିଜୟୀ ହୋଇଥିଲେ । ନିର୍ବାଚନରେ ଲୋକଙ୍କ ବିଭିନ୍ନ ସମସ୍ୟା ଗୁଡିକୁ ସମାଧାନ କରିବା ନେଇ ପ୍ରତିଶୃତି ରଖିଥିଲେ । ଆଉ ସେଥିପାଇଁ ସେ ଆରମ୍ଭ କରିଛନ୍ତି ଏପରି ଅଭିନବ ପ୍ରୟାସ । ଲୋକମାନେ ସରପଂଚଙ୍କ ପାଖରେ ଗାଁର ରାସ୍ତା ସମସ୍ୟା,ଭତା ସମସ୍ୟା,ରେସନକାର୍ଡ ଏବଂ ଆବାସ ଯୋଜନା ଭଳି ସମସ୍ୟା କଥା ଉଠାଇଥିଲେ । ଆଉ ସରପଂଚ ସମସ୍ତଙ୍କ ନାଁ ପାଖରେ ତାଙ୍କର ସମସ୍ୟାକୁ ଲେଖିବା ସହ ତାଙ୍କର ଟେଲିଫୋନ ନମ୍ବର ମଧ୍ୟ ଆଣିଛନ୍ତି ।

ଏହାସହ ରାଜ୍ୟ ସରକାରଙ୍କ ବିଜୁ ସ୍ମାର୍ଟ ସ୍ୱାସ୍ଥ୍ୟକାର୍ଡ ଯୋଜନା ଉପରେ ଲୋକଙ୍କୁ ସଚେତନତା କରିବା ସହ ଏହାର ଉପକାରିତା ନେଇ ଆଲୋଚନା କରିଥିଲେ । ଏହାପରେ ସରପଂଚ ଦଶମନ୍ତପୁର ପଂଚାୟତର ପାବ୍ଲିଗୁଡା ଗ୍ରାମରେ ଥିବା ସରକାରୀ ପ୍ରାଥମିକ ବିଦ୍ୟାଳୟ ଯାଇ ଛାତ୍ରଛାତ୍ରୀ ଓ ଶିକ୍ଷକ ମାନଙ୍କ ସହିତ ଆଲୋଚନା କରି ସରକାରୀଙ୍କ ପକ୍ଷରୁ ଦିଆଯାଉଥିବା ମଧ୍ୟାହ୍ନଭୋଜନ ଭାତ,ଡାଲି ର ମାନ ଯାଂଚ କରିବା ପରେ ଷ୍ଟୋର ରୁମକୁ ଯାଇ ଚାଉଳ ବସ୍ତାକୁ ଦେଖିଥିଲେ । ତାହା ସହ ବର୍ଷା ପବନରେ ଭାଙ୍ଗି ଯାଇଥିବା ଘର ଗୁଡିକର ତାଲିକା କରି ପ୍ରଶାସନ ସହ ଆଲୋଚନା କରି ସରକାରୀ ସହାୟତା ଯୋଗାଇ ଦେବା ପାଇଁ ଚେଷ୍ଟା କରିବି ବୋଲି ତାଙ୍କ ପ୍ରତିକ୍ରିୟାରେ ପ୍ରକାଶ କରିଛନ୍ତି ।

Exit mobile version