ଅଧିକାରୀ ଓ ଯନ୍ତ୍ରୀମାନେ ଅଧିକ କ୍ଷେତ୍ର ପରିଦର୍ଶନ କରନ୍ତୁ-ମନ୍ତ୍ରୀ ପୁରାତନ ପ୍ରକଳ୍ପଗୁଡିକର ରକ୍ଷଣାବେକ୍ଷଣ ଓ ନୂତନ ପ୍ରକଳ୍ପ ଶୀଘ୍ର ଶେଷ କରିବା ଉପରେ ଗୁରୁତ୍ୱାରୋପ ।
ଓଡ଼ିଶା ତାଜା ନ୍ୟୁଜ (୧୮ ସେପ୍ଟେମ୍ବର ରବିବାର ) ଭୁବନେଶ୍ୱର :- ରାଜ୍ୟ ଜଳସମ୍ପଦ, ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ଶ୍ରୀମତୀ ଟୁକୁନି ସାହୁ ଶୁକ୍ରବାର ଅପରାହ୍ଣରେ ଭୁବନେଶ୍ୱର ସ୍ଥିତ କ୍ଷୁଦ୍ର ଜଳସେଚନ ଡିଭିଜନ ମୁଖ୍ୟ ଯନ୍ତ୍ରୀଙ୍କ ସମ୍ମିଳନୀ କକ୍ଷରେ ବିଭାଗୀୟ ଯନ୍ତ୍ରୀ ଓ କ୍ଷେତ୍ରସ୍ତରୀୟ ଅଧିକାରୀମାନଙ୍କ ସହିତ ରାଜ୍ୟରେ କ୍ଷୁଦ୍ର ଜଳସେଚନ ପ୍ରକଳ୍ପଗୁଡ଼ିକର କାର୍ଯ୍ୟକାରିତା ଓ ନିର୍ମାଣାଧୀନ ପ୍ରକଳ୍ପଗୁଡ଼ିକର ଅଗ୍ରଗତି ସମ୍ପର୍କରେ ସମୀକ୍ଷା କରିଛନ୍ତି l ବୈଠକରେ ମନ୍ତ୍ରୀ ଶ୍ରୀମତୀ ସାହୁ ରାଜ୍ୟରେ ଥିବା ବିଭିନ୍ନ କ୍ଷୁଦ୍ର ଜଳସେଚନ ପ୍ରକଳ୍ପର ରକ୍ଷଣାବେକ୍ଷଣ ଉପରେ ଗୁରୁତ୍ୱାରୋପ କରିଥିଲେ । ଅଧିକାରୀମାନେ ଅଧିକରୁ ଅଧିକ କ୍ଷେତ୍ର ପରିଦର୍ଶନ କରି ପ୍ରକଳ୍ପଗୁଡିକର ବାସ୍ତବ ସ୍ଥିତି ଅନୁଧ୍ୟାନ କରିବା ସହିତ ସେସବୁର ରକ୍ଷଣାବେକ୍ଷଣ ପାଇଁ ପଦକ୍ଷେପ ନେବାକୁ ମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ ।

ସଂପୃକ୍ତ ଅଂଚଳର ଗୋଷ୍ଠୀ ଉନ୍ନୟନ ଅଧିକାରୀ, ଜିଲ୍ଲାସ୍ତରୀୟ ଅଧିକାରୀ , ଜନପ୍ରତିନିଧି ଓ ପାଣିପଂଚାୟତ ସହିତ ଆଲୋଚନା କରି ଏ ଦିଗରେ ଉଚିତ୍ ପଦକ୍ଷେପ ନେବାକୁ ମନ୍ତ୍ରୀ ଶ୍ରୀମତୀ ସାହୁ କହିଥିଲେ । ସମୀକ୍ଷା ବୈଠକରେ ୨୦୨୧-୨୨ ବର୍ଷରେ ରବି କାର୍ଯ୍ୟକ୍ରମ ପାଇଁ ଜଳସେଚନ, କେତେ ଧାର୍ଯ୍ୟ ଲକ୍ଷ୍ୟ ପୂରଣ ହୋଇଛି ତାହାର ସମୀକ୍ଷା କରିବା ସହ ୨୦୨୨-୨୩ ଖରିଫ କାର୍ଯ୍ୟକ୍ରମ ସଂପର୍କରେ ନିଆଯାଇଥିବା ପଦକ୍ଷେପ ସମ୍ପର୍କରେ ବିଷଦ୍ ଭାବେ ଆଲୋଚନା କରିଥିଲେ । ବୈଠକରୁ ଜଣାଯାଇଛି ଯେ, ଚଳିତ ବର୍ଷ ଏପର୍ଯ୍ୟନ୍ତ ମୁଖ୍ୟମନ୍ତ୍ରୀ ଆଡିବନ୍ଧ ତିଆରି ଯୋଜନାରେ ୧୩୫ ଟି ନୂଆ ପ୍ରକଳ୍ପ କାର୍ଯ୍ୟକାରୀ ହେବା ନେଇ ପ୍ରାଶାସନିକ ଅନୁମୋଦନ ସରିଛି ଓ ଅନ୍ୟ ପ୍ରସ୍ତାବିତ ପ୍ରକଳ୍ପଗୁଡିକ ବିଚାରାଧୀନ ଅଛି ।
