ଖତ ଖାଉଛି ସମବାୟ ବ୍ୟାଙ୍କର ଭ୍ରାମ୍ୟମାଣ ଶାଖା ଗାଡ଼ି

ଓଡ଼ିଶା ତାଜା ନ୍ୟୁଜ (୧୭ ସେପ୍ଟେମ୍ବର ଶନିବାର ) ବରଗଡ଼ :- କୃଷି ପ୍ରଧାନ ବରଗଡ଼ ଜିଲ୍ଲାର କୃଷକମାନଙ୍କ ବିଭିନ୍ନ ସମସ୍ୟା ଦୂରକରିବା ପାଇଁ ରାଜ୍ୟ ସରକାର ଅନେକ ପଦକ୍ଷେପ ଗ୍ରହଣ କରିଛନ୍ତି । ସେଥିମଧ୍ୟରୁ କୃଷକମାନେ ଯେପରି ନିଜ ଗ୍ରାମରେ ଥାଇ ଚାଷ ସମ୍ପର୍କିତ ସମସ୍ତ ସୁବିଧା ପାଇପାରିବେ ସେଥିପାଇଁ ନାବାର୍ଡ ମାଧ୍ୟମରେ ସମ୍ବଲପୁର ଜିଲ୍ଲା କେନ୍ଦ୍ରୀୟ ସମବାୟ ବ୍ୟାଙ୍କ ବରଗଡ଼ ଜିଲ୍ଲା କୁ ଗତ ୫ବର୍ଷ ତଳେ ଏକ ଭ୍ରାମ୍ୟମାଣ ମୋବାଇଲ ସେବା ଭ୍ୟାନ ଯୋଗାଇ ଦେଇଥିଲା ।  ଏହି ଭ୍ରାମ୍ୟମାଣ ଗାଡ଼ିରୁ କୃଷକମାନେ ନିଜ ଗ୍ରାମରେ ଜମାଖାତା ଖୋଲିବା, ନଗଦ ଜମା ଓ ଉଠାଣ,ଏଟିଏମ୍‌ ମାଧ୍ୟମରେ ଋଣ ପ୍ରଦାନ, ମଞ୍ଜୁର ଋଣ ସୀମା, ବିଭିନ୍ନ ଅମାନତ ଓ ଋଣର ସୁଧ, ବିଭିନ୍ନ ଯୋଜନାର ବିଶଦ ବିବରଣୀ ସମ୍ପର୍କରେ ଜାଣିବା ବ୍ୟବସ୍ଥା ହୋଇଥିଲା ।

ଗତ ୫ ବର୍ଷ ତଳେ ଉକ୍ତ ଗାଡ଼ି ଉଦ୍‌ଘାଟନ ସମୟରେ ଆୟୋଜିତ କାର୍ଯ୍ୟକ୍ରମରେ ଜିଲା କୃଷି ଅଧିକାରୀ, ସମବାୟ ନିରୀକ୍ଷକ, କୃଷି ବିଭାଗର ପଦାଧିକାରୀମାନେ ଉପସ୍ଥିତ ଥିଲେ । ବର୍ତ୍ତମାନ ଏହି ଗାଡ଼ିଟି ସେବାରେ ନ ଲାଗି ବରଗଡ଼ ସଦର ମହକୁମା ର ସମ୍ବଲପୁର ଜିଲ୍ଲା କେନ୍ଦ୍ରୀୟ ସମବାୟ ବ୍ୟାଙ୍କ ମୁଖ୍ୟ କାର୍ଯ୍ୟାଳୟ ସମ୍ମୁଖରେ ପଡିରହିଛି । ଏ ନେଇ ବ୍ୟାଙ୍କ ର ଜନୈକ ଅଧିକାରୀଙ୍କୁ ପଚାରିବାରୁ ସେ କହିଥିଲେ, ଏହି ଗାଡିଟି ନାବାର୍ଡ ପକ୍ଷରୁ ସେତେବେଳେ ମିଳିଥିଲା ।

ଆଭ୍ୟନ୍ତରୀଣ ଅଞ୍ଚଳଗୁଡ଼ିକରେ କୃଷକମାନେ ସମବାୟ ବ୍ୟାଙ୍କ ମାଧ୍ୟମରେ ବିଭିନ୍ନ ସେବା ପାଇବା ପାଇଁ ଗାଡିଟି ବୁଲିଥାନ୍ତା । ମାତ୍ର ଏହି ଗାଡିରେ ସବୁପ୍ରକାର ସୁବିଧା ଥିଲେ ମଧ୍ୟ ନେଟ୍‌ଓ୍ବର୍କ ସୁବିଧା ନ ଥିବା, କୁଶଳୀ କର୍ମଚାରୀଙ୍କ ଅଭାବ, ଡ୍ରାଇଭର ଏବଂ ପରିଚାଳନା ପାଇଁ ନାବାର୍ଡ ପକ୍ଷରୁ କୌଣସି ବ୍ୟବସ୍ଥା ନ ଥିବାରୁ ଏହା ପଡିରହିଛି । ଏ ସମ୍ପର୍କରେ ନାବାର୍ଡର ଅଧିକାରୀଙ୍କ ସହ ଯୋଗାଯୋଗ ହୋଇ ନ ପାରିବାରୁ ତାଙ୍କ ପ୍ରତିକ୍ରିୟା ମିଳିପାରିନାହିଁ ।

Exit mobile version