ଓଡ଼ିଶା ତାଜା ନ୍ୟୁଜ (୩୧ ଅଗଷ୍ଟ ବୁଧବାର )ବେଙ୍ଗାଲୁରୁ :- ୨୦୩୬ ମସିହା ସୁଦ୍ଧା ଓଡ଼ିଶାକୁ ଏକ ବିକଶିତ ପ୍ରଦେଶ ଭାବରେ ଗଢ଼ିତୋଳିବା ପାଇଁ ଅସୀମ ଓଡ଼ିଶା ଏହାର ବଜ୍ର ଶପଥ ଘୋଷଣା କରିଛି । ଓଡ଼ିଶା ବାହାରେ ବସବାସ କରୁଥିବା ଓଡ଼ିଆମାନଙ୍କର ଏହି ଶୀର୍ଷ ସଂଗଠନ ରାଜ୍ୟର ସର୍ବାଙ୍ଗୀନ ଉନ୍ନୟନ ସକାସେ ପ୍ରବାସୀ ଓଡ଼ିଆମାନଙ୍କୁ ଏକଜୁଟ୍ କରିବାର ପ୍ରୟାସ ଲଗାତରଭାବେ ଜାରି ରଖିଥିବା ଜଣାଯାଇଛି । ବେଙ୍ଗାଲୁରୁଠାରେ ଅନୁଷ୍ଠିତ ଅସୀମ ଓଡ଼ିଶାର ମାନସମନ୍ଥନ ବୈଠକରେ ଆମର ମାତୃପ୍ରଦେଶ ଆଉ ମାତ୍ର ୧୪ବର୍ଷ ପରେ ଏହାର ୧୦୦ତମ ପ୍ରତିଷ୍ଠା ବର୍ଷ ପାଳନ କରିବାକୁ ଯାଉଥିବା ସମୟରେ, ଏହାକୁ ପୁନର୍ବାର ସୁଜଳା, ସୁଫଳା ଓ ଶସ୍ୟ ଶ୍ୟାମଳାର ସ୍ୱରୂପ ପ୍ରଦାନ ପାଇଁ ସଂସ୍ଥା ଏହାର ପ୍ରତିବଦ୍ଧତା ପ୍ରକାଶ କରିଛି ।

ଅଧୀବେଶନରେ ସାରା ଦେଶରୁ ଆସିଥିବା ଓଡ଼ିଆ ସମ୍ପ୍ରଦାୟର ତୁଙ୍ଗ ନେତା ଏବଂ ବିଶିଷ୍ଟ ପ୍ରବାସୀ ଓଡ଼ିଆମାନେ ଯୋଗଦେଇଥିଲେ । ଆରମ୍ଭରେ ସ୍ୱର୍ଗତଃ ଇଞ୍ଜିନିୟର ଅମୂଲ୍ୟ ପାତ୍ରଙ୍କର ସ୍ମୃତି ଉଦ୍ଦେଶ୍ୟରେ ଏକ ମିନିଟ୍ ନୀରବ ପ୍ରାର୍ଥନା କରାଯାଇଥିଲା । ଦୀର୍ଘ ତିନି ଘଣ୍ଟା ଧରି ଚାଲିଥିବା ଏହି ଘମାଘୋଟ ବୈଠକକୁ ସମ୍ବୋଧନ କରି ଅସୀମ ଓଡ଼ିଶାର ସଭାପତି କ୍ଷୀରୋଦ କୁମାର ଜେନା, ଓଡ଼ିଶାରେ ଅସୀମ ଓଡ଼ିଶାର କାର୍ଯ୍ୟକ୍ଷେତ୍ରକୁ ବ୍ୟାପକ ଭାବେ ବିସ୍ତାର କରାଯିବା ଉପରେ ଜୋର୍ ଦେଇଥିଲେ ।
