ରାଜ୍ୟରେ ବସ ଚଳାଚଳକୁ ସୁବ୍ୟବସ୍ଥିତ କରିବା ନେଇ ଉଚ୍ଚସ୍ତରୀୟ ବୈଠକ
ଓଡ଼ିଶା ତାଜା ନ୍ୟୁଜ (୨୯ ଅଗଷ୍ଟ ସୋମବାର) ଭୁବନେଶ୍ୱର :- ଆଜି ପୂର୍ବାହ୍ନରେ ଖାରବେଳ ଭବନସ୍ଥିତ ବାଣିଜ୍ୟ ଓ ପରିବହନ ବିଭାଗ ସମ୍ମିଳନୀ କକ୍ଷଠାରେ ରାଜ୍ୟରେ ଜନସାଧାରଣଙ୍କ ଚାହିଦା ଅନୁଯାୟୀ ଅଧିକ ସଂଖ୍ୟକ ଓଡ଼ିଶା ରାଜ୍ୟ ସଡ଼କ ପରିବହନ ବସ୍ ଚଳାଚଳ ଏବଂ ଆନ୍ତରାଜ୍ୟ ବସ୍ ଚଳାଚଳ ନେଇ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି । ରାଜ୍ୟ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ଶ୍ରୀମତୀ ଟୁକୁନି ସାହୁ ବୈଠକରେ ଅଧ୍ୟକ୍ଷତା କରି ଆନ୍ତରାଜ୍ୟ ବସ ଚଳାଚଳ ପାଇଁ ଯେଉଁସବୁ ପ୍ରସ୍ତାବ ରହିଛି ସେସବୁକୁ ତୁରନ୍ତ କାର୍ଯ୍ୟକାରୀ କରିବାକୁ ଅଧିକାରୀମାନଙ୍କୁ ପରାମର୍ଶ ଦେଇଛନ୍ତି ।

ଏଥି ସହିତ ରାଜ୍ୟରେ ଲୋକଙ୍କ ଚାହିଦା ଅନୁଯାୟୀ ଗମନାଗମନ ନିମନ୍ତେ ପରିବହନ ବ୍ୟବସ୍ଥାର ସୁଦୃଢ଼ୀକରଣ ଉପରେ ସେ ଗୁରୁତ୍ୱ ଦେଇଛନ୍ତି । ବିଶେଷ କରି ଦକ୍ଷିଣାଞ୍ଚଳ ଓ ପଶ୍ଚିମାଞ୍ଚଳରେ ରାଜ୍ୟ ସଡ଼କ ପରିବହନ ପକ୍ଷରୁ ଅଧିକ ସଂଖ୍ୟକ ବସ ଚଳାଚଳ କରିବା ଉପରେ ସେ ପ୍ରାଧାନ୍ୟ ଦେଇଛନ୍ତି । ଏହି କ୍ରମରେ ବିଭିନ୍ନ ଅଞ୍ଚଳର ସ୍ଥିତି ଅନୁଧ୍ୟାନ କରିବା ନିମନ୍ତେ ସେ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଏତଦ୍ ବ୍ୟତୀତ ରାଜ୍ୟର ଉତ୍ତରାଞ୍ଚଳ ଯଥା : ବାଲେଶ୍ୱର, ମୟୂରଭଞ୍ଜ, କେନ୍ଦୁଝର ସମେତ ପୁରୀ ଜିଲ୍ଲାକୁ ମଧ୍ୟ ଦିନବେଳା ସରକାରୀ ବସ ଚଳାଚଳ ନେଇ ବୈଠକରେ ଆଲୋଚନା ହୋଇଥିଲା ।
