ଓଡ଼ିଶା ତାଜା ନ୍ୟୁଜ (୨୮ ଅଗଷ୍ଟ ରବିବାର ) ବେଙ୍ଗାଲୁରୁ :- ପ୍ରବାସୀ ଓଡ଼ିଆମାନଙ୍କ ତରଫରୁ ବେଙ୍ଗାଲୁରୁଠାରେ ଗଣେଶ ପୂଜା ପାଳନ ପାଇଁ ବ୍ୟାପକ ପ୍ରସ୍ତୁତି ଚାଲିଥିବା ଜଣାଯାଇଛି। ଭାରତର ବଗିଚା ନଗରୀଠାରେ ଓଡ଼ିଶା ପୂଜା କମିଟି ତରଫରୁ ଆୟୋଜନ କରାଯାଉଥିବା ୨୮ତମ ମହାବିନାୟକ ମହୋତ୍ସବକୁ ମହାସମାରୋହରେ ପାଳନ କରାଯିବ ବୋଲି ଆୟୋଜକ ମାନେ ପ୍ରକାଶ କରିଛନ୍ତି। ବିଶେଷ କରି କରୋନା ବାଧକତା ଯୋଗୁଁ ଦୀର୍ଘ ଦୁଇ ବର୍ଷର ବ୍ୟବଧାନ ପରେ ବାସ୍ତବ ଢଙ୍ଗରେ ପାଳନ କରାଯାଉଥିବା ବୁଦ୍ଧିଦାତା ଦେବତାଙ୍କର ଏହି ଉତ୍ସବକୁ କେନ୍ଦ୍ର କରି ବେଙ୍ଗାଲୁରୁର ଓଡ଼ିଆ ସମ୍ପ୍ରଦାୟଙ୍କ ମଧ୍ୟରେ ଅଦମ୍ୟ ଆନନ୍ଦ, ଅଫୁରନ୍ତ ଉତ୍ସାହ ଓ ଅଭୂତପୂର୍ବ ଉଦ୍ଦୀପନା ପ୍ରକାଶ ପାଇଥିବା ପରିଲକ୍ଷିତ କରାଯାଉଛି। ପୂଜାସ୍ଥଳୀ କେମ୍ପଫୋର୍ଟ ମଲ୍ ନିକଟସ୍ଥ ଏମ. ବିଶ୍ୱେଶରୟା କଲେଜ ପ୍ରାଙ୍ଗଣରେ ଏବେ ଜୋରସୋରରେ ସାଜସଜ୍ଜା କାର୍ଯ୍ୟ ଚାଲିଥିବା ଦେଖାଯାଉଛି।

କାର୍ଯ୍ୟକ୍ରମ ନିର୍ଘଣ୍ଟ ଅନୁଯାୟୀ ସକାଳ ନଅଟା ବେଳେ ମଙ୍ଗଳାମୂର୍ତ୍ତି ପ୍ରତିଷ୍ଠା ଏବଂ ପୂଜାର୍ଚ୍ଚନା କାର୍ଯ୍ୟ ଶୁଭାରମ୍ଭ କରାଯିବ। ପବିତ୍ର ମନ୍ତ୍ର ଉଚ୍ଚାରଣ ଏବଂ ମାଙ୍ଗଳିକ ବିଧିବିଧାନ ଦ୍ଵାରା ସମଗ୍ର ପରିବେଶ ପବିତ୍ର ଓ ଭକ୍ତିପୂତ ଉତ୍ସ୍ୱାଶରେ ଆଚ୍ଛାଦିତ ହେବ ବୋଲି ଆଶା କରାଯାଉଛି। ଦିନ ସାଢେ଼ ଏଗାରଟା ସମୟରେ ଉପସ୍ଥିତ ଭକ୍ତ ମାନେ ଦେବଙ୍କର ଦେବଙ୍କୁ ପୁଷ୍ପାଞ୍ଜଳି ଅର୍ପଣ କରିବେ।
ମହୋତ୍ସବର ମହାଆକର୍ଷଣ ଭାବେ ଅପରାହ୍ନ ସାଢେ଼ ଚାରିଟା ବେଳଠାରୁ ଏକ “ଷ୍ଟାର ନାଇଟ” ଅନୁଷ୍ଠିତ ହେବାକୁ ଯାଉଛି। ଏହି ସାଂସ୍କୃତିକ କୁମ୍ଭରେ ଓଲିଉଡର ତାରକାମାନେ ଭାଗ ନେଇ ଦର୍ଶକମାନଙ୍କୁ ସେମାନଙ୍କର କଳା ଚାତୂର୍ଯ୍ୟରେ ମନ୍ତ୍ରମୁଗ୍ଧ କରିବେ ବୋଲି ଜଣାଯାଇଛି। ଏହି ଅବସରରେ ପ୍ରସିଦ୍ଧ ଅଭିନେତା ବାବୁଶାନ୍ ଏବଂ ପ୍ରଖ୍ୟାତ ଅଭିନେତ୍ରୀ ଏଲିନା ସାମନ୍ତରାୟଙ୍କର ଉପସ୍ଥିତି ବେଶ୍ ମନୋରଞ୍ଜକ ହେବ ବୋଲି ଧରାଯାଉଛି।
