ଭୁବନେଶ୍ୱରରେ ଗର୍ଜିଲା ବିଦ୍ୟୁତ୍ ଶ୍ରମିକ କର୍ମଚାରୀ ସଂଘ ମିଳିତ ମଞ୍ଚ

ଓଡ଼ିଶା ତାଜା ନ୍ୟୁଜ (୨୩ ଅଗଷ୍ଟ ମଙ୍ଗଳବାର ) ଭୁବନେଶ୍ୱର :- ଓଡ଼ିଶା ବିଦ୍ୟୁତ୍ ଶ୍ରମିକ କର୍ମଚାରୀ ମହାସଂଘ ତରଫରୁ ଆଜି ଓପିଟିସିଏଲ ଅଫିସ୍ ସମ୍ମୁଖରେ ଏକ ବିରାଟ ପ୍ରତିବାଦ ସଭା କରାଯାଇଥିଲା । ଓଡ଼ିଶାର ୩୦ଟି ଜିଲ୍ଲାରୁ ବିଦ୍ୟୁତ୍ ଶ୍ରମିକମାନେ ଆସି ଏହି ଆନ୍ଦୋଳନରେ ସାମିଲ୍ ହୋଇଥିଲେ । ସେମାନଙ୍କ ମୁଖ୍ୟ ଅଭିଯୋଗ ହେଲା ଓଡ଼ିଶା ବିଦ୍ୟୁତ୍ ସଞ୍ଚାରଣ ନିଗମ ଲିମିଟେଡ଼ (ଓପିଟିସିଏଲ) ବିଦ୍ୟୁତ୍‌ ଶ୍ରମିକମାନଙ୍କ ପ୍ରତି ବାରମ୍ବାର ବୈମାତୃକ ମନୋଭାବ ପୋଷଣ କରି ଆସୁଥିବା ବେଳେ ସେମାନଙ୍କ ଦରମାରେ ବଡ଼ ତାରତମ୍ୟ କରି ଆସୁଅଛି । ଜଣେ ଆଇଟିଆଇ କର୍ମଚାରୀ କୁଶଳୀ ଶ୍ରେଣୀର ହୋଇଥିଲେ ମଧ୍ୟ ଓପିଟିସିଏଲ୍ ଆଇଟିଆଇ କର୍ମଚାରୀମାନଙ୍କୁ ବର୍ଷ ବର୍ଷ ଧରି ପ୍ରଥମେ ଅର୍ଦ୍ଧକୁଶଳୀ ଶ୍ରେଣୀରେ ନିଯୁକ୍ତି ଏବଂ ନିଯୁକ୍ତି ପରେ ବିନା ପଦୋନ୍ନତି ରଖି ଆସୁଅଛି ।

ର୍କମଚାରୀମାନଙ୍କ ପାଇଁ ଉଦ୍ଦିଷ୍ଟ ନୂତନ ଚାକିରୀ ନିୟମାବଳୀ ତିଆରି କରିବା ବେଳେ ଶିଳ୍ପ ବିବାଦ ଆଇନ ଧାରା ୯(ଏ) ଅନୁଯାୟୀ ସମସ୍ତ ସଂଘମାନଙ୍କୁ ଉକ୍ତ ସର୍ଭିସ ରେଗୁଲେସନର ଏକ ଡ୍ରାଫ୍ଟର ନକଲ ନଦେଇ, କୌଣସି ଆଲୋଚନା ନକରି ଓପିଟିସିଏଲ୍ କର୍ତ୍ତୃପକ୍ଷ ବିଭିନ୍ନ ଚଞ୍ଚକତା କରି ବୋର୍ଡ଼ ବୈଠକରେ ସର୍ଭିସ ରେଗୁଲେସନକୁ ପାସ୍‌ କରାଇ ଦେଇଛନ୍ତି ଯାହାକି ଓଡ଼ିଶା ରାଜ୍ୟ ବିଦ୍ୟୁତ୍ ବୋର୍ଡ଼ (ଓଏସଇବି)ର ଚାକିରୀ ସର୍ତ୍ତାବଳୀ ଓ ଓଡ଼ିଶା ରାଜ୍ୟ ସରକାରୀ କର୍ମଚାରୀ ତଥା ଅନ୍ୟ ବିଦ୍ୟୁତ୍ ବିଭାଗ ଓ ଅନ୍ୟ କର୍ପୋରେସନଠାରୁ ମଧ୍ୟ ନମ୍ନସ୍ତରର ଅଟେ । ଓଡ଼ିଶା ବିଦ୍ୟୁତ୍ ଶ୍ରମିକ କର୍ମଚାରୀ ମିଳିତ ମଞ୍ଚ ତରଫରୁ ଏହାକୁ ଆଗରୁ ବିରୋଧ କରି ଆସିଛି ।

ବର୍ତ୍ତମାନ ଓପିଟସିଏଲ ନୂତନ ମଜୁରୀ ନିର୍ଦ୍ଧାରଣ ପାଇଁ ୩ ପର୍ଯ୍ୟାୟ ଆଲୋଚନା କରିସାରିଥିଲା ବେଳେ କର୍ମଚାରୀ ତଥା ଆଗଧାଡ଼ିର ମହାସଂଘକୁ ଅନ୍ଧାରରେ ରଖି ଓପିଟିସିଏଲ୍ କର୍ତ୍ତୃପକ୍ଷ ପୁନର୍ବାର ଚଞ୍ଚକତା ପୂର୍ବତ କ୍ୟାଡ଼ର ରିଷ୍ଟ୍ରକଚରିଂ କରି ୯୫ ଭାଗ ଆଇଟିଆଇ କର୍ମଚାରୀଙ୍କୁ ସାରା ଚାକିରୀ ଜୀବନରେ ସର୍ବୋଚ୍ଚ ୨୮୩୦ ଟଙ୍କା ଗ୍ରେଡ଼ ପେରେ ରଖିବା ପାଇଁ ଅଫିସ୍ ବିଜ୍ଞପ୍ତି ବାହାର କରିଛନ୍ତି । ମିିଳିତ ମଞ୍ଚରେ ଥିବା ଦୁଇ ମହାସଂଘ ନୂତନ ମଜୁରୀ ନିର୍ଦ୍ଧାରଣ ପାଇଁ ଦେଇଥିବା ମୁଖ୍ୟ ଦାବି ତଥା ଓପିଟିସିଏଲରେ କାର୍ଯ୍ୟରତ ଶ୍ରମିକବର୍ଗ କର୍ମଚାରୀମାନଙ୍କର ଦରମା ଓଡ଼ିଶା ସରକାରଙ୍କର ଗ୍ରେଡ଼ ପେ ସହ ସମକକ୍ଷ କରିବା, ଟେକ୍ନିସିଆନ-ସି ୨୮୩୦ ଗ୍ରେଡ୍ ପେ, ଟେକ୍ନିସିଆନ-ବି ୪୨୦୦ ଏବଂ ଟେକ୍ନିସିଆନ-ଏ ୪୬୦୦ ଗ୍ରେଡ଼ ପେ କରିବା ପ୍ରମୁଖ ଦାବି ଥିଲା ।

ମାତ୍ର ଦୁର୍ଭାଗ୍ୟର ବିଷୟ ଏହିକି ଯେ, ଓପିଟିସିଏଲ କର୍ତ୍ତୃପକ୍ଷ ବାରମ୍ବାର ପ୍ରତିଶ୍ରୁତି ଦେବା ପରେ ମଧ୍ୟ ସମସ୍ତ କର୍ମଚାରୀ ବିଶେଷକରି ଆଇଟିଆଇ କର୍ମଚାରୀମାନଙ୍କୁ ଠକି ଚାଲିଛନ୍ତି । ଏହାର ପ୍ରତିବାଦରେ ଓଡ଼ିଶା ବିଦ୍ୟୁତ୍ ଶ୍ରମିକ କର୍ମଚାରୀ ସଂଘ ମିଳିତ ମଞ୍ଚ ପକ୍ଷରୁ ଆଜି ଓପିଟିସିଏଲ ମୁଖ୍ୟ କାର୍ଯ୍ୟାଳୟ ସମ୍ମୁଖରେ ଏକ ବିଶାଳ ଗଣଧାରଣା ଦିଆଯାଇଥିଲା । ଏହି ଗଣଧାରଣାରେ ଓଡ଼ିଶାର କୋଣ ଅନୁକୋଣୁ ବିଦ୍ୟୁତ୍ ଉତ୍ପାଦନ, ବିଦ୍ୟୁତ୍ ସଞ୍ଚାରଣ ଏବଂ ବିଦ୍ୟୁତ୍ ବିତରଣ କମ୍ପାନୀର ୧୫୦୦ରୁ ଉର୍ଦ୍ଧ୍ୱ ରେଗୁଲାର ବିଦ୍ୟୁତ ଶ୍ରମିକ କର୍ମଚାରୀମାନେ ସାମିଲ୍ ହୋଇଥିଲେ । ଯଦି ଓପିଟସିଏଲ କର୍ତ୍ତୃପକ୍ଷ ଯଥାଶୀଘ୍ର ସେମାନଙ୍କ ଦାବି ପୂରଣ ନ କରନ୍ତି, ତେବେ ଆଗାମୀ ଦିନରେ ସାରା ଓଡ଼ିଶାରେ ବିଦ୍ୟୁତ୍ କର୍ମଚାରୀମାନେ ୧୫ ଦିନ କଳା ବ୍ୟାଚ୍ ପରିଧାନ କରିବେ ଏବଂ ତା ପରେ ରିଲେ ଧାରଣଶା ଦେବା ପାଇଁ ରାଜରାସ୍ତାକୁ ଓହ୍ଲାଇବେ ବୋଲି ଏକ ପ୍ରେସ୍‌ ବିବୃତ୍ତିରେ ବିଦ୍ୟୁତ୍ ଶ୍ରମିକ କର୍ମଚାରୀ ସଂଘର ଆବାହକ ଅମର କୁମର ପ୍ରତାପ ସିଂ ଓ ସହ ଆବାହକ ସତ୍ୟବ୍ରତ ପରିଡ଼ା ଚେତାବନୀ ଦେଇଛନ୍ତି ।

Exit mobile version