ପବିତ୍ର ଜନ୍ମାଷ୍ଟମୀ ତିଥିରେ ପାଳନ ହେଉଛି  : ସ୍ବାମୀ ଲକ୍ଷ୍ମଣାନନ୍ଦ ସରସ୍ବତୀଙ୍କ ୧୪ ତମ – ଶ୍ରାଦ୍ଧ ବାର୍ଷିକୀ

ଓଡ଼ିଶା ତାଜା ନ୍ୟୁଜ (୧୮ ଅଗଷ୍ଟ ଗୁରୁବାର ) କନ୍ଧମାଳ :-  ଜଲେଶପଟ୍ଟା ଆଶ୍ରମରେ ଚାଲିଛି ଜୋରଦାର ପ୍ରସ୍ତୁତି । ଏଥିରେ ବହୁ ସନ୍ଥ ଓ ସ୍ବାମୀଜୀଙ୍କ ଶତାଧିକ ଶ୍ରଦ୍ଧାଳୁ ଯୋଗଦେବାର କାର୍ଯ୍ୟକ୍ରମ ରହିଛି । ଜଲେଶପଟ୍ଟା ଆଶ୍ରମ ମୁଖ୍ୟ ସ୍ବାମୀ ଜୀବନ ଯୁକ୍ତାନନ୍ଦ ପୁରୀ ଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଅନ୍ତେବାସୀ ଅତିଥି ମାନଙ୍କୁ ସ୍ବାଗତ ସମ୍ବର୍ଦ୍ଧନା ଜଣାଇବା ସହ ଜନ୍ମାଷ୍ଟମୀ ଉତ୍ସବ ପାଳନ ପାଇଁ ଜଲେଶପଟ୍ଟା ଆଶ୍ରମ ପରିସରରେ ବ୍ୟାପକ ପ୍ରସ୍ତୁତି ହୋଇଛି । ସକାଳୁ କଳସ ଯାତ୍ରା, ନାମ ସଙ୍କୀର୍ତ୍ତନ, ସୂର୍ଯ୍ୟ ପୂଜା, ଗୋ ପୂଜା ବିଧି ସହିତ ସମାପନ ହୋଇଥିବା ବେଳେ ସନ୍ଧ୍ୟାରେ ଜନ୍ମାଷ୍ଟମୀ ଉତ୍ସବ ପାଳନ ଅନୁଷ୍ଠିତ ହେବ । ସ୍ବାମୀ ଲକ୍ଷ୍ମଣାନନ୍ଦ ସରସ୍ବତୀ ଙ୍କ ନୀତି ଆଦର୍ଶକୁ ସ୍ମରଣ କରି ଆଜିବି ସ୍ବାମୀଜୀଙ୍କ ଚଲାପଥରେ ଚାଲୁଛୁ ବୋଲି ଆଶ୍ରମ ମୁଖ୍ୟ ସ୍ବାମୀ ଜୀବନ ଯୁକ୍ତାନନ୍ଦ ପୁରୀ ପ୍ରକାଶ କରିଛନ୍ତି ।

ସୂଚନାଯୋଗ୍ୟ କନ୍ଧମାଳ ର ଜଲେଶପଟ୍ଟା ଆଶ୍ରମରେ ଆଜକୁ ୧୪ ବର୍ଷ ତଳେ ୨୦୦୮ ମସିହା ଅଗଷ୍ଟ ୨୩ ତାରିଖରେ ଜନ୍ମାଷ୍ଟମୀ ଉତ୍ସବ ପାଳନ ହେଉଥିବା ସମୟରେ ସ୍ବାମୀ ଲକ୍ଷ୍ମଣାନନ୍ଦ ସରସ୍ବତୀଙ୍କ ସମେତ ତାଙ୍କର ଚାରି ଜଣ ସହଯୋଗୀଙ୍କୁ ଅତି ନିର୍ମମ ଭାବେ ହତ୍ୟା କରିଥିଲେ କିଛି ଆତତାୟୀ । ହତ୍ୟା ଘଟଣା ପ୍ରଚାରିତ ହେବା ପରେ ସମଗ୍ର କନ୍ଧମାଳ ଜିଲ୍ଲାରେ ଦଙ୍ଗା ପରିସ୍ଥିତି ସୃଷ୍ଟି ହୋଇଥିଲା । ସ୍ବାମୀଜୀଙ୍କ ହତ୍ୟାକାଣ୍ଡକୁ ୧୪ ବର୍ଷ ବିତିଯାଇଥିଲେ ମଧ୍ୟ ଆଜି ବି ଶ୍ରଦ୍ଧାଳୁମାନେ ଭୁଲି ନାହାଁନ୍ତି ସେ ଦିନର ଲୋମହର୍ଷଣକାରୀ ଘଟଣା କୁ । ପ୍ରତିବର୍ଷ ଶ୍ରାଦ୍ଧବାର୍ଷିକୀ ରେ ଶହଶହ ଶ୍ରଦ୍ଧାଳୁ ଜଲେଶପଟ୍ଟା ଆଶ୍ରମ କୁ ଆସି ସ୍ବାମୀଜୀଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥାନ୍ତି ।

ସ୍ବାମୀଜୀଙ୍କ ୧୪ ତମ ଶ୍ରାଦ୍ଧ ବାର୍ଷିକୀ ପାଇଁ କନ୍ଧମାଳ ଜିଲ୍ଲାରେ ପ୍ରଶାସନ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି। ଜିଲ୍ଲା ର ବିଭିନ୍ନ ସ୍ଥାନରେ ନାକା କରାଯାଇ ଜିଲ୍ଲା ପୋଲିସ ପକ୍ଷରୁ ଗାଡିମଟର ଯାଞ୍ଚ କରାଯାଉଛି । ଏଥିପାଇଁ ଜିଲ୍ଲା ପୋଲିସ ପକ୍ଷରୁ ଜଣେ ଡିଏସପି, ତିନି ଜଣ କମାଣ୍ଡଣ୍ଟ , ନଅ ଜଣ ଅଫିସର, ଏକ ପ୍ଲାଟୁନ ପୋଲିସ ଫୋର୍ସ ଙ୍କ ସମେତ ସ୍ଥାନୀୟ ପୋଲିସ ମୁତୟନ କରାଯାଇଛି । କନ୍ଧମାଳ ଜିଲ୍ଲା ଏସପି ଭିନୀତ୍ ଅଗ୍ରୱାଲ ସ୍ବତନ୍ତ୍ର ଭାବେ ସ୍ଥିତି ଅନୁଧ୍ୟାନ କରୁଥିବା ବେଳେ ଏସଡିପିଓ ଜି. ଆର. ରେଡ୍ଡୀ ସୁରକ୍ଷା ବ୍ୟବସ୍ଥା କଡାକଡି କରିବା ସହ ସ୍ଥିତି ଉପରେ ନଜର ରଖିଛନ୍ତି ।

Exit mobile version