ଓଡ଼ିଶା ତାଜା ନ୍ୟୁଜ (୧୮ ଅଗଷ୍ଟ ଗୁରୁବାର ) ବାଲିଗୁଡ଼ା :- ପବିତ୍ର ଜନ୍ମାଷ୍ଟମୀ । କନ୍ଧମାଳ ଜିଲ୍ଲା ତୁମୁଡ଼ିବନ୍ଧ ବ୍ଲକ୍ ଜାଲେଶପଟ୍ଟା ଆଶ୍ରମରେ ମହା ଆଡ଼ମ୍ବରରେ ପାଳନ ହୋଇଛି ଏହି ଉତ୍ସବ । ଏଥିସହିତ ଏହି ତିଥିରେ ପାଳନ ହୋଇଛି ସ୍ବାମୀ ଲକ୍ଷ୍ମଣାନନ୍ଦ ସରସ୍ବତୀଙ୍କ ୧୪ତମ ଶ୍ରାଦ୍ଧ ବାର୍ଷୀକି । ଏନେଇ ସମଗ୍ର କନ୍ଧମାଳ ଜିଲ୍ଲାରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି । ମହାମାରୀ କରୋନା କଟକଣା ଯୋଗୁଁ ଗତ ଦୁଇବର୍ଷ ହେଲା ନିରାଡ଼ମ୍ବର ଭାବେ ଏହି ଉତ୍ସବ ପାଳନ ହେଉଥିଲା କିନ୍ତୁ ଚଳିତ ବର୍ଷ କଟକଣା କୋହଳ ହୋଇଥିବାରୁ ଚକାପାଦ ଓ ଜଲେଶପଟ୍ଟା ଆଶ୍ରମରେ ସ୍ବାଭାବିକ ଭାବେ ପାଳନ ହେଉଛି ଉତ୍ସବ । ଏଥିରେ ବହୁ ସାଧୁ,ସନ୍ଥ ଓ ଶତାଧିକ ସ୍ବାମୀଜୀଙ୍କ ଶ୍ରଦ୍ଧାଳୁ ଯୋଗ ଦେଇଛନ୍ତି ।

ଜଲେଶପଟ୍ଟା ଆଶ୍ରମ ମୁଖ୍ୟ ସ୍ବାମୀ ଜୀବନ ମୁକ୍ତାନନ୍ଦ ପୁରୀଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଅନ୍ତେବାସୀ ଅତିଥି ମାନଙ୍କୁ ସ୍ବାଗତ ସମ୍ବର୍ଦ୍ଧନା ଜଣାଇଥିଲେ । ଆଜି ସକାଳୁ ପ୍ରଭାତ ଫେରି,କଳସ ଯାତ୍ରା, ନାମ ସଂକିର୍ତ୍ତନ ହେବାସହ ସୂର୍ଯ୍ୟ ପୂଜା, ଗୋ ପୂଜା, ହନୁମାନ ଚାଳିଶା ପାଠ ପ୍ରଭୃତି ଦିନ ତମାମ ବିଭିନ୍ନ କାର୍ଯ୍ୟକ୍ରମ ରହିଛି । ସନ୍ଧ୍ୟାରେ ଯଜ୍ଞ ଓ ଜନ୍ମାଷ୍ଟମୀ ପାଳନ କରାଯିବ । ପ୍ରକାଶ ଯେ, ୨୦୦୮ ମସିହା ଅଗଷ୍ଟ ୨୩ ତାରିଖରେ କନ୍ଧମାଳ ଜିଲ୍ଲା ଜାଲେଶପଟ୍ଟା ଆଶ୍ରମରେ ଜନ୍ମାଷ୍ଟମୀ ଉତ୍ସବ ପାଳନ ହେଉଥିବାବେଳେ ସ୍ବାମୀଜୀଙ୍କ ସମେତ ତାଙ୍କର ଚାରିଜଣ ସହଯୋଗୀଙ୍କୁ ଅତି ନିର୍ମମ ଭାବେ ହତ୍ୟା କରିଥିଲେ କିଛି ଆତତାୟୀ ।
