ବିଭିନ୍ନ କ୍ଷେତ୍ରର କାର୍ଯ୍ୟରତ କର୍ମଚାରୀଙ୍କୁ ପଦକ ପ୍ରଦାନ କଲେ : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଓଡ଼ିଶା ତାଜା ନ୍ୟୁଜ (୧୬ ଅଗଷ୍ଟ ମଙ୍ଗଳବାର ) ଭୁବନେଶ୍ୱର :- ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ସେବା ପାଇଁ ପୋଲିସ୍‌, ଗୃହରକ୍ଷୀ ଓ ବେସାମରିକ ପ୍ରତିରକ୍ଷା ଏବଂ କାରାଗାର ବିଭାଗର ଅଧିକାରୀ ଏବଂ କର୍ମଚାରୀଙ୍କୁ ପଦକ ପ୍ରଦାନ କରାଯାଇଛି । ସୋମବାର ଦିନ ସ୍ଥାନୀୟ ଲୋକସେବା ଭବନସ୍ଥିତ ସମ୍ମିଳନୀ କକ୍ଷଠାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ପଦକ ପ୍ରଦାନ କରିଛନ୍ତି ।୨୦୨୨ ମସିହା ସାଧାରଣତନ୍ତ୍ର ଦିବସ ଅବସରରେ ମହାମହିମ ରାଷ୍ଟ୍ରପତିଙ୍କ ଦ୍ୱାରା ଯୋଗ୍ୟ ବିବେଚିତ ରାଜ୍ୟର ଆରକ୍ଷୀ ବାହିନୀ, ଗୃହରକ୍ଷୀ ଓ ବେସାମରିକ ପ୍ରତିରକ୍ଷା ଏବଂ କାରାଗାର ସଂସ୍ଥାର ଅଧିକାରୀ ଓ କର୍ମଚାରୀଙ୍କୁ ପଦକ ସହ ଓ ଅର୍ଥ ପୁରସ୍କାର ପ୍ରଦାନ କରିଛନ୍ତି ।

ପୋଲିସ୍ ବିଭାଗର ୯ଜଣଙ୍କୁ ସାହସିକତା ପଦକ, ବିଶିଷ୍ଟ ସେବା ପାଇଁ ୨ଜଣଙ୍କୁ ରାଷ୍ଟ୍ରପତି ପଦକ ଓ ୧୧ଜଣଙ୍କୁ ପୋଲିସ୍ କର୍ମଚାରୀଙ୍କୁ ଉଲ୍ଲେଖନୀୟ ସେବା ନିମନ୍ତେ ରାଷ୍ଟ୍ରପତି ପୋଲିସ୍ ପଦକ ପ୍ରଦାନ କରାଯାଇଛି । ସେହିପରି ଗୃହରକ୍ଷୀ ଓ ବେସାମରିକ ପ୍ରତିରକ୍ଷା ବିଭାଗର ୩ଜଣ ଗୃହରକ୍ଷୀ ଓ ୨ଜଣ ବେସାମରିକ ପ୍ରତିରକ୍ଷା

ସ୍ୱେଚ୍ଛାସେବୀଙ୍କୁ ପ୍ରଶଂସନୀୟ ସେବା ନିମନ୍ତେ ପଦକ ପ୍ରଦାନ କରାଯାଇଥିବା ବେଳେ କାରାଗାର ବିଭାଗର ୨ ଜଣ ଅଧିକାରୀଙ୍କୁ ଉଲ୍ଲେଖନୀୟ ସେବା ନିମନ୍ତେ ପଦକ ପ୍ରଦାନ କରାଯାଇଛି । କାର୍ଯ୍ୟକ୍ରମର ପ୍ରାରମ୍ଭରେ ଗୃହ ବିଭାଗ ପ୍ରମୁଖ ଶାସନ ସଚିବ ଶ୍ରୀ ଡି.କେ. ସିଂ ସ୍ୱାଗତ ଅଭିଭାଷଣ ପ୍ରଦାନ କରିଥିଲେ ।

ପରେ ପରେ ଶ୍ରୀ ସୁନୀଲ କୁମାର ବଂସଲ, ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ ପୁରସ୍କୃତ ପୋଲିସ୍ ଅଧିକାରୀ/କର୍ମଚାରୀଙ୍କ ନାମ ପାଠ କରିଥିଲେ । ଏହାପରେ ଶ୍ରୀ ସନ୍ତୋଷ କୁମାର ଉପାଧ୍ୟାୟ, ଆରକ୍ଷୀ ମହାନିର୍ଦ୍ଦେଶକ ଗୃହରକ୍ଷୀ ଓ ବେସାମରିକ ପ୍ରତିରକ୍ଷା ବିଭାଗ ପୁରସ୍କୃତ ଗୃହରକ୍ଷୀଙ୍କ ନାମ ପାଠ କରିଥ୍‌ôଲେ ।

ଶ୍ରୀ ଦୀପ୍ତେଶ କୁମାର ପଟ୍ଟନାୟକ, ଅତିରିକ୍ତ ଆରକ୍ଷୀ ମହାନିର୍ଦ୍ଦେଶକ, କାରାଗାର ଓ ସଂସ୍କାରମୂଳକ ବିଭାଗ ପୁରସ୍କୃତ ଅଧିକାରୀଙ୍କ ନାମ ପାଠ କରିଥିଲେ । ଆଜିର ଏହି କାର୍ଯ୍ୟକ୍ରମରେ ରାଜ୍ୟ ଗୃହ ମନ୍ତ୍ରୀ ତୁଷାରକାନ୍ତି ବେହେରା, ରାଜ୍ୟ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର,୫-ଟି ସଚିବ ଭି.କେ. ପାଣ୍ଡିୟାନ୍‌, ବରିଷ୍ଠ ପୋଲିସ୍‌ ଅଧିକାରୀ, ପୁରସ୍କୃତ ପୋଲିସ୍ ଅଧିକାରୀ ଓ କର୍ମଚାରୀଙ୍କ ପରିବାରବର୍ଗ ଉପସ୍ଥିତ ଥିଲେ ।

Exit mobile version