ଜଳ ସମ୍ପଦ ମନ୍ତ୍ରୀଙ୍କ ରାଜ୍ୟରେ ବନ୍ୟା ପରିସ୍ଥିତିର ସମୀକ୍ଷା – ଭୁବନେଶ୍ୱର

ଓଡ଼ିଶା ତାଜା ନ୍ୟୁଜ (୧୫ ଅଗଷ୍ଟ ସୋମବାର ) ଭୁବନେଶ୍ୱର :- ରାଜ୍ୟ ଜଳ ସମ୍ପଦ ଓ ବାଣିଜ୍ୟ ପରିବହନ ମନ୍ତ୍ରୀ ଶ୍ରୀମତୀ ଟୁକୁନି ସାହୁ ଆଜି ଅପରାହ୍ନରେ ସ୍ଥାନୀୟ ସେଚସଦନ ସ୍ଥିତ ଜଳସଂପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀଙ୍କ କାର୍ଯ୍ୟଳୟରେ ଲଘୁଚାପ ଜନିତ ଲଗାଣ ବର୍ଷା ଫଳରେ ରାଜ୍ୟରେ ସମ୍ଭାବ୍ୟ ବନ୍ୟା ସ୍ଥିତିର ସମୀକ୍ଷା କରିଛନ୍ତି କ୍ଷ ମହାନଦୀର ଉପର ମୁଣ୍ଡରେ ଛତିଶଗଡ ଅଂଚଳରେ ଅଧିକ ବର୍ଷା ହେବା ଫଳରେ ହୀରାକୁଦ ଜଳଭଣ୍ଡାରକୁ ଅଧିକ ଜଳ ପ୍ରବେଶ କରୁଛି । ଫଳରେ ଆଜି ଦିନ ୩ଟା ସୁଦ୍ଧା ହୀରାକୁଦ ଜଳଭଣ୍ଡାରୁ ୩୪ଟି ଗେଟ୍ ଦେଇ ଅତିରିକ୍ତ ଜଳ ନିଷ୍କାସିତ ହେଉଛି । ଫଳରେ ଆସନ୍ତା କାଲି ସକାଳ ୧୦ଟା ସୁଦ୍ଧା କଟକର ମୁଣ୍ଡଳୀଠାରେ ପ୍ରାୟ ୧୦ ଲକ୍ଷ କ୍ୟୁସେକ ଜଳ ପ୍ରବାହିତ ହେବ । ଏହା ଦ୍ୱାରା ମହାନଦୀର ତଳି ଅଞ୍ଚଳ ବିଶେଷ କରି କଟକ, ଜଗତସିଂହପୁର, କେନ୍ଦ୍ରାପଡ଼ା, ପୂରୀ ଆଦି ଜିଲ୍ଲାର ତଳିଆ ଅଂଚଳ ପ୍ରଭାବିତ ହେବାର ସମ୍ଭାବନା ରହିଛି କ୍ଷ ବୈତରଣୀ ନଦୀରେ ଜଳସ୍ତର ଅଧିକ ରହିଛି ।

ରାଜ୍ୟରେ ସମ୍ଭାବ୍ୟ ମଧ୍ୟମ ଧରଣର ବନ୍ୟା ପରିସ୍ଥିତିର ମୁକାବିଲା ପାଇଁ ରାଜ୍ୟ ଜଳସମ୍ପଦ ବିଭାଗ ତରଫରୁ ସମସ୍ତ ପ୍ରକାର ପ୍ରସ୍ତୁତି କରାଯାଇଛି ବୋଲି ଅନୁଷ୍ଠିତ ସମୀକ୍ଷା ବୈଠକରେ ସ୍ଥିତି ସମୀକ୍ଷା କରି ମନ୍ତ୍ରୀ ଶ୍ରମତୀ ସାହୁ ପ୍ରକାଶ କରିଛନ୍ତି କ୍ଷ ସମୀକ୍ଷା ବୈଠକ ପରେ ମନ୍ତ୍ରୀ ଗଣମାଧ୍ୟମ ପ୍ରତିନିଧିମାନଙ୍କୁ ବିଶଦ ସୂଚନା ପ୍ରଦାନ କରିଥିଲେ କ୍ଷ  ହୀରାକୁଦର ସର୍ବୋ୍ଚ୍ଚ ଜଳଧାରଣ କ୍ଷମତା ୬୨୨ ମିଟର ହୋଇଥିବା ବେଳେ ଅପରାହ୍ଣ ୩ଟା ସୁଦ୍ଧା ଜଳଭଣ୍ଡାର ୬୧୬.୯୭ ରହିଛି । ପ୍ରତି ସେକେଣ୍ଡ ରେ ମହାନଦୀକୁ ୬ଲକ୍ଷ ୬୦ କ୍ୟୁସେକ୍ ଜଳ ପ୍ରବେଶ କରୁଛି ଓ ୫.୫୬ ଲକ୍ଷ କ୍ୟୁସେକ୍ ଜଳ ନିଷ୍କାସନ ହେଉଛି । ବନ୍ୟା ପରିସ୍ଥିତିର ମୁକାବିଲା ପାଇଁ ପ୍ରତି ଜିଲ୍ଲାରେ ଜିଲ୍ଲାପାଳଙ୍କ ସହିତ ନିୟମିତ ଯୋଗାଯୋଗ କରାଯାଉଛି ।

ସରପଂଚମାନଙ୍କ ସହିତ ଯୋଗାଯୋଗ କରାଯାଉଛି । ସମସ୍ତ ଉପକୂଳବର୍ତ୍ତୀ ଜିଲ୍ଲାରେ ଜଳ ସଂପଦ ବିଭାଗର ବରିଷ୍ଠ ଓ ଅଭିଜ୍ଞ ଯନ୍ତ୍ରୀ ଓ ପଦାଧିକାରୀମାନେ ଉପସ୍ଥିତ ରହି ସ୍ଥିତିର ଅନୁଧ୍ୟାନ କରି ଆବଶ୍ୟକ ପଦକ୍ଷେପ ନିଆଯାଉଛି । ପୂର୍ବରୁ ସମସ୍ତ ନଦୀବନ୍ଧ ଯାଂଚ କରାଯାଇ ଦୁର୍ବଳ ଥିବା ନଦୀବନ୍ଧ ମରାମତି ସୁଦୃଢ କରାଯାଇଥିଲା ଓ ପୂର୍ବରୁ ସୃଷ୍ଟି ହୋଇଥିବା ଘଳିଆ ମରାମତି କରାଯାଇଥିଲା । ତତ୍ ସହିତ ବିଭିନ୍ନ ସ୍ଥାନରେ ଆବଶ୍ୟକତା ଅନୁସାରେ ବାଉଂଶ, ବାଲି,ବଲ୍ଲା ଆଦି ମହଜୁଦ ରଖାଯାଇଛି । ଅଧିକ ବର୍ଷାଜଳ ହୀରାକୁଦକୁ ପ୍ରବେଶ ନକଲେ ବର୍ତ୍ତମାନ ହୀରାକୁଦରୁ ଅଧିକ ଗେଟ ଖୋଲାଯିବ ନାହିଁ ବୋଲି ସର୍ବୋଚ୍ଚ ଯନ୍ତ୍ରୀ ବିଜୟ କୁମାର ମିଶ୍ର ପ୍ରକାଶ କରିଛନ୍ତି । ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଜଳସଂପଦ ବିଭାଗ ସ୍ୱତନ୍ତ୍ର ଶାସନ ସଚିବ ଶ୍ରୀମତୀ ଅର୍ଚ୍ଚନା ପଟ୍ଟନାୟକ, ସର୍ବୋଚ୍ଚ ଯନ୍ତ୍ରୀ (୨), ତଥା ମହାନଦୀ-କାଠଯୋଡି ବେସିନ୍ ମ୍ୟାନେଜର ଇଂ. ଭକ୍ତରଂଜନ ମହାନ୍ତିଙ୍କ ସମେତ ଜଳସଂପଦ ବିଭାଗର ଅନ୍ୟ ବରିଷ୍ଠ ପଦାଧିକାରୀମାନେ ଉପସ୍ଥିତ ଥିଲେ ।

Exit mobile version