ବର୍ଷା ବିତ୍ପାତ, ଜନଜୀବନ ପ୍ରଭାବିତ

ଓଡ଼ିଶା ତାଜା ନ୍ୟୁଜ (୧୫ ଅଗଷ୍ଟ ସୋମବାର ) କଳାହାଣ୍ଡି :- ଗତ ତିନି ଦିନ ଧରି କଳାହାଣ୍ଡି ଜିଲ୍ଲାରେ ବର୍ଷା ଲାଗି ରହିଥିବାରୁ ନର୍ଲା ବ୍ଳକର ବିଭିନ୍ନ ଗ୍ରାମାଞ୍ଚଳରେ ଜନଜୀବନ ପ୍ରଭାବିତ ହୋଇଛି । ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁଁ ନର୍ଲା ବ୍ଳକ ଅନ୍ତର୍ଗତ ରୁପ୍ରାରୋଡ ଗ୍ରାମର ବିଭିନ୍ନ ସ୍ଥାନରେ ଜଳବନ୍ଧି ହୋଇ ଘରଗୁଡିକ ରହିଛି । ରୁପ୍ରାରୋଡ ଡାକ୍ତରଖାନା ଓ ପ୍ରାଣୀ ଚିକିତ୍ସାଳୟ ପରିସର ଜଳମଗ୍ନ ହୋଇଛି । ରୁପ୍ରା ଷ୍ଟେଟ ବ୍ୟାଙ୍କରୁ ଜଗନ୍ନାଥ ମନ୍ଦିର ଛକ ମଧ୍ୟରେ ଗଛପଡି ବିଦ୍ୟୁତ ସରବରାହ ବନ୍ଦ ହୋଇଯାଇଥିବା ବେଳେ ଭୀମକେଲା ଗ୍ରାମର ପରୀକ୍ଷିତ କରୁଆଁଙ୍କ ଦୁଇ ବଖରା ଘର ସଂପୂର୍ଣ୍ଣ ଭାଙ୍ଗି ନଷ୍ଟ ହୋଇଛି ।

ପରିକ୍ଷୀତ ତାଙ୍କ ପତ୍ନୀ ଓ ଏକମାତ୍ର ଝିଅ ଘର ବାରଣ୍ଡାରେ ଆଶ୍ରୟ ନେଇଛନ୍ତି । ସେହିପରି ନର୍ଲା ବ୍ଳକ ଡଙ୍ଗରମାଲ ଗ୍ରାମର ପରିମଳ ଗଉଡ ଓ ସ୍ତ୍ରୀ ପଦ୍ମିନୀ ଗଉଡଙ୍କ ଘର ଗତ ରାତିରେ ଶୋଇଥିବା ବେଳେ ହଠାତ୍ ବର୍ଷା ଯୋଗୁଁ ଭାଙ୍ଗି ଯାଇଛି । ଅତି ଗରିବ ଖଟିଖିଆ ଲୋକେ ଆବାସ ଯୋଜନାରୁ ବଞ୍ଚିତ ହୋଇଥିବା ବେଳେ ଲଘୁଚାପ ବର୍ଷା ଏବେ ଦାଉ ସାଧୁଛି ।

ରାତିରେ ଘୋର ପବନ ସହ ବର୍ଷା ଯୋଗୁଁ ଅନେକ ସ୍ଥାନରେ ଗଛ ଗୁଡ଼ିକ ଉପୁଡ଼ି ଯିବାରୁ କିଛି ସମୟ ପାଇଁ ରୁପ୍ରା ଠାରୁ ଭୀମକେଲା ଦେଇ ନର୍ଲାକୁ ସଂଯୋଗ କରୁଥିବା ରାସ୍ତାର ଭୀମକେଲା ଗ୍ରାମ ନିକଟରେ ଗଛ ପଡ଼ି ରାସ୍ତା ଅବରୋଧ ହୋଇଥିଲା । ପରେ ସ୍ଥାନୀୟ ଲୋକମାନେ ଗଛକାଟି ରାସ୍ତା ସଫା କରିବାରୁ ଯାତାୟତ ସ୍ବଭାବିକ ହୋଇଥିଲା । ଲଗାଣ ବର୍ଷା ଯୋଗୁଁ ଅନେକ ସ୍ଥାନରେ ରାସ୍ତା ଧୋଇ ହୋଇ ଯିବା ,ମାଟି ଘର ଭାଙ୍ଗୁଥିବା ଖବର ହସ୍ତଗତ ହେଉଥିବାରୁ ସ୍ଥାନୀୟ ଜନପ୍ରତିନିଧିମାନେ ଏଥିପାଇଁ ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହେଉଛି ।

Exit mobile version