ଲଘୁଚାପ ଜନିତ ବର୍ଷା ପାଇଁ ଜିଲ୍ଲାପାଳ ଜାରି କଲେ ସତର୍କ ସୂଚନା

ଓଡ଼ିଶା ତାଜା ନ୍ୟୁଜ (୧୨ ଅଗଷ୍ଟ ଶୁକ୍ରବାର ) ନୟାଗଡ :- ଲଘୁଚାପଜନିତ ବର୍ଷାକୁ ଦୃଷ୍ଟିରେ ରଖି ହୀରାକୁଦ ବନ୍ଧ କର୍ତ୍ତୃପକ୍ଷ ବନ୍ଧ ରୁ ଜଳ ନିଷ୍କାସନ କରିବା ପାଇଁ ବ୍ୟବସ୍ଥା କରିଛନ୍ତି । ଏହି ପରିପ୍ରେକ୍ଷୀରେ ଗତ କାଲି ହୀରାକୁଦ ବନ୍ଧର ୧୦ ଟି ଗେଟ୍ ଏବଂ ଆଜି ଆଉ ୧୦ ଟି ଗେଟ୍ ଖୋଲାଯାଇଛି । ତେବେ ହୀରାକୁଦ ବନ୍ଧ ର ସମୁଦାୟ ୨୦ ଟି ଗେଟ୍ ଖୋଲା ଯିବା ପରେ ନୟାଗଡ ଜିଲ୍ଲାରେ ପ୍ରବାହିତ ହେଉଥିବା ବିଭିନ୍ନ ଉପନଦୀରୁ ବର୍ଷା ସମୟରେ ମହାନଦୀ କୁ ଜଳ ନିଷ୍କାସିତ ହୋଇଥାଏ ଯାହା ଫଳରେ ମହାନଦୀ ଆଖ ପାଖ ଅଞ୍ଚଳ ଯେପରିକି କଣ୍ଟିଲୋ ,

ଗଣିଆ, ଭାପୁର , ଖୁଣ୍ଟୁବନ୍ଧ , ଗୁଣ୍ଠୁଣି , ଜଗନ୍ନାଥପ୍ରସାଦ ଶାଳବଣିଆ , ରାଣୀପଡ଼ା , ଶିଖରପୁର, ବନମାଳୀପୁର, ଭଗବାନପୁର , ବାଘୁଆ ପଲ୍ଲୀ , ବେଣାଗଡିଆ, ସିଦ୍ଧମଳା, ବାଣପୁର, କୁସଙ୍ଗ ଭଳି କେତୋଟି ଗ୍ରାମରେ ବନ୍ୟାର ବହୁଳ ଆଶଙ୍କା ରହିଥାଏ ଓ ଚାଷ ଜମି ଇତ୍ୟାଦି ଜଳମଗ୍ନ ହୋଇଯାଇଥାଏ ।

୨୦ ଟି ଗେଟ୍ ଦେଇ ପ୍ରବାହିତ ହେଉଥିବା ମହାନଦୀର ଜଳସ୍ତର ଉଚ୍ଚରେ ଥିବାରୁ ଲଗାତାର ବର୍ଷା ସମୟରେ ଏହି ଉପନଦୀର ଜଳ ମହାନଦୀକୁ ସମ୍ପୂର୍ଣ୍ଣ ଭାବେ ନିଷ୍କାସିତ ହୋଇନପାରିବାର ସମ୍ଭାବନା କୁ ଦୃଷ୍ଟିରେ ରଖି ନୟାଗଡ ଜିଲ୍ଲାପାଳ ଡ଼. ପୋମା ଟୁଡୁ ମହାନଦୀ ନିକଟରେ ଥିବା ତହସିଲ ଏବଂ ବ୍ଲକ୍ ଗୁଡ଼ିକର ଅଧିକାରୀ ମାନଙ୍କୁ ସତର୍କ ରହିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଏଥି ସହିତ ସେହି ଅଞ୍ଚଳର ଗ୍ରାମବାସୀ ମାନେ ବନ୍ୟା ପାଇଁ ଭୟଭୀତ ନହୋଇ ସତର୍କ ରହିବା ସହ ସୁରକ୍ଷିତ ସ୍ଥାନରେ ରହିବା ପାଇଁ ପରାମର୍ଶ ଦେଇଛନ୍ତି ।

Exit mobile version