ଓଡ଼ିଶା ତାଜା ନ୍ୟୁଜ (୧୦ ଅଗଷ୍ଟ ବୁଧବାର ) ଭୁବନେଶ୍ୱର :- ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ, ଓଡ଼ିଶା ଦ୍ୱାରା ପରିଚାଳିତ ଯୁକ୍ତ-୨ କଳା ସ୍ରୋତର ପରୀକ୍ଷା ଫଳ ଆଜି ପ୍ରକାଶ ପାଇଛି । ଏହି ପରୀକ୍ଷା ଫଳକୁ ଆନୁଷ୍ଠାନିକ ଭାବେ ଉନ୍ମୋଚନ କରି ପରିଷଦର ଅଧ୍ୟକ୍ଷ ଶ୍ରୀ ଅଶ୍ୱିନୀ କୁମାର ମିଶ୍ରକୃତୀ ପରୀକ୍ଷାର୍ଥୀମାନଙ୍କୁ ଶୁଭେଚ୍ଛା ଜଣାଇବା ସହ ସେମାନଙ୍କର ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଛନ୍ତି ଏବଂ ଛାତ୍ରଛାତ୍ରୀମାନଙ୍କୁ ନୂତନ ଉତ୍ସାହ ଓ ଉଦ୍ଦୀପନା ନେଇ ଆଗକୁ ବଢ଼ିବାକୁ ପରାମର୍ଶ ଦେଇଛନ୍ତି ା ସେହିପରି ଚଳିତ ବର୍ଷ କଳା ସ୍ରୋତରେ ଯୁକ୍ତ-୨ ପରୀକ୍ଷା ଦେବା ପାଇଁ ୨୧୩୪୦୬ ଜଣ ଛାତ୍ରଛାତ୍ରୀ ପଂଜୀକରଣ କରିଥିବାବେଳେ ୨୦୮୬୩୧ ଜଣ ପରୀକ୍ଷା ଦେଇଥିଲେ । ସେମାନଙ୍କ ମଧ୍ୟରେ ୯୦୨୦୭ ଜଣ ଛାତ୍ର ଏବଂ ୧୧୮୪୨୪ ଜଣ ଛାତ୍ରୀ ରହିଛନ୍ତି । ଚଳିତ ବର୍ଷ ୧୭୧୨୮୮ ଜଣ କୃତକାର୍ଯ୍ୟ ହୋଇଥିବାବେଳେ ପାସ ହାର ୮୨.୧୦% ରହିଛି ।

ଛାତ୍ରମାନଙ୍କ ପାସ ହାର ୭୫.୦୮% ଏବଂ ଛାତ୍ରୀମାନଙ୍କ ପାସ ହାର ୮୭.୪୫% ରହିଛି । ଚଳିତ ବର୍ଷ ପ୍ରଥମ ଶ୍ରେଣୀରେ ୬୨୭୩୪, ଦ୍ୱିତୀୟ ଶ୍ରେଣୀରେ ୪୧୧୯୩ ଏବଂ ତୃତୀୟ ଶ୍ରେଣୀରେ ୬୭୩୪୧ ଜଣ କୃତକାର୍ଯ୍ୟ ହୋଇଛନ୍ତି । ଖୋର୍ଦ୍ଧା ଜିଲ୍ଲାର ସର୍ବାଧିକ ୮୭.୮୦ ପ୍ରତିଶତ ଛାତ୍ରଛାତ୍ରୀ କୃତକାର୍ଯ୍ୟ ହୋଇଛନ୍ତି । ଚଳିତ ବର୍ଷ ଧନ୍ଦାମୂଳକ ଶିକ୍ଷାରେ ଯୁକ୍ତ-୨ ପରୀକ୍ଷା ଦେବା ପାଇଁ ରାଜ୍ୟର ୫୮୬୪ ଜଣ ଛାତ୍ରଛାତ୍ରୀ ପଂଜୀକରଣ କରିଥିବାବେଳେ ୫୬୭୩ ଜଣ ପରୀକ୍ଷା ଦେଇଥିଲେ । ପରୀକ୍ଷା ଦେଇଥିବା ୨୯୮୫ ଛାତ୍ରଙ୍କ ମଧ୍ୟରୁ ୧୯୨୮ ଜଣ ପାସ କରିଥିବାବେଳେ ୨୬୮୮ ଜଣ ଛାତ୍ରୀଙ୍କ ମଧ୍ୟରୁ ୨୦୦୯ ଜଣ ପାସ୍ କରିଛନ୍ତି । ଚଳିତ ବର୍ଷ ୩୯୯୧ ଜଣ କୃତକାର୍ଯ୍ୟ ହୋଇଥିବାବେଳେ ଚଳିତ ବର୍ଷର ପାସ୍ ହାର ୭୦.୩୫% ରହିଛି ।
