ନୟାଗଡ଼ ଜିଲ୍ଲାରେ ପଞ୍ଚାୟତ ଓ ପୌର ନିର୍ବାଚନରେ ଏଇତରଫା ସଫଳତା ପାଇଥିବା ବିଜେଡି : ୨୦୨୪ ନିର୍ବାଚନ ପାଇଁ ବିଜେଡି ପକ୍ଷରୁ ସମରସଜ୍ଜା

ଓଡ଼ିଶା ତାଜା ନ୍ୟୁଜ (୧୦ ଅଗଷ୍ଟ ବୁଧବାର ) ନୟାଗଡ଼ :- ନୟାଗଡ଼ ଜିଲ୍ଲାରେ ପଞ୍ଚାୟତ ଓ ପୌର ନିର୍ବାଚନରେ ଏଇତରଫା ସଫଳତା ପାଇଥିବା ବିଜେଡି ଆଗାମୀ ୨୦୨୪ ନିର୍ବାଚନ ପାଇଁ ଏବେ ଠାରୁ କସରତ ଆରମ୍ଭ କରିଛି । ଯଦିଓ ସରକାରୀ ସ୍ତରରେ ସାଧାରଣ ନିର୍ବାଚନ ସଂପର୍କୀୟ ବିଧିବଦ୍ଧ ନୋଟିଫିକେସନ ଜାରି ହୋଇନାହିଁ, ତଥାପି ସମଗ୍ର ଜିଲ୍ଲାରେ ବିଜେଡି ଦଳ ପକ୍ଷରୁ କ୍ରମଶଃ ବିଭିନ୍ନ କାର୍ଯ୍ୟକ୍ରମ ମାଧ୍ୟମରେ ଜନ ସାଧାରଣଙ୍କ ନିକଟତର ହେବାକୁ କାର୍ଯ୍ୟକ୍ରମ ଜାରି ରହିଛି । ନୟାଗଡ଼ରେ ତୃଣମୂଳସ୍ତରରୁ ଦଳକୁ ଅଧିକ ଦୃଢ଼ୀଭୁତ କରିବା ଏବଂ ବିରୋଧୀଙ୍କ ମିଥ୍ୟା ଅପପ୍ରଚାରକୁ ପ୍ରତିହତ କରିବା ନିମନ୍ତେ କାର୍ଯ୍ୟ କରିବାକୁ ଅରୁଣ ଲକ୍ଷଭେଦ କରି ଯୋଜନା କରିଥିବା କଥା ବିଜ୍ଞ ମହଲରେ ମତ ବାଢୁଛନ୍ତି ।

ଏ ନେଇ ମଙ୍ଗଳବାର ସିନ୍ଦୁରିଆସ୍ଥିତ ବିଜେଡି କାର୍ଯ୍ୟଳୟରେ ବିଧାୟକ ଡ଼ ଅରୁଣ କୁମାର ସାହୁ ଜିଲ୍ଲାର ଯୁବ,ଛାତ୍ର,ଶ୍ରମିକ ସେଲ ଓ ମହିଳା ସଂଗଠକମାନଙ୍କୁ ନେଇ ପର୍ଯ୍ୟକ୍ରମେ ଦଳୀୟ କାର୍ଯ୍ୟକ୍ରମ ଓ ଦଳୀୟ ସ୍ଥିତି ସମ୍ବନ୍ଧରେ ଆଲୋଚନା କରିଛନ୍ତି । ବରିଷ୍ଠ ନେତୃତ୍ୱମାନଙ୍କ ନିର୍ଦ୍ଦେଶକ୍ରମେ ସମସ୍ତ କାର୍ଯ୍ୟ ସମ୍ପାଦନ କରିବାକୁ ଯୁବ, ଛାତ୍ର ଓ ମହିଳା ସଂଗଠକଙ୍କୁ ପରାମର୍ଶ ମିଳିଛି । ଆଗାମୀ ଦିନରେ ଦଳର ମହିଳା, ଯୁବ ଓ ଛାତ୍ର କର୍ମକର୍ତ୍ତାଙ୍କ ସ୍ତରରେ ଏକ ବଡ଼ ଧରଣର ପରିବର୍ତ୍ତନ କରାଯିବ ବୋଲି ଜଣାପଡିଛି । ଏଥି ନିମନ୍ତେ ବିଜେଡି ପକ୍ଷରୁ ଏକ ସ୍ୱତନ୍ତ୍ର ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରାଯାଇଛି । ମିଳିଥିବା ଖବର ଅନୁଯାୟୀ ଯୁବ ଓ ଛାତ୍ରମାନଙ୍କୁ ନେଇ ଅପପ୍ରଚାର ବିରୁଦ୍ଧରେ ଲଢେଇ କରିବା ନିମନ୍ତେ ଜିଲ୍ଲାସ୍ତରରେ ଏକ ସ୍ୱତନ୍ତ୍ର ସେଲ ଗଠନ ହେବ ।

ଅଧିକରୁ ଅଧିକ ମହିଳାମାନଙ୍କୁ ସ୍ୱୟଂ ସହାୟିକା ଗୋଷ୍ଠୀରେ ସାମିଲ କରିବା ସହ ରାଜ୍ୟ ସରକାରଙ୍କର ବିଭିନ୍ନ ବିକାଶମୂଳକ କାର୍ଯ୍ୟ ତଥା ମହିଳାମାନେ ସ୍ୱାବଲମ୍ବୀ ହେବା ନିମନ୍ତେ ପ୍ରଣୟନ ଯୋଜନା ସମ୍ବନ୍ଧରେ ଅବଗତ କରିବା ସହ ଜନସାଧାରଣଙ୍କ ନିକଟତର ହେବା ପାଇଁ ମହିଳା ସଂଗଠକମାନଙ୍କୁ ନିର୍ଦ୍ଦେଶ ଦିଆଯାଇଥିବା ଜଣାପଡିଛି । ଅନ୍ୟପକ୍ଷେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କର ସ୍ୱଚ୍ଛ ଓ ନିର୍ମଳ ଭାବମୂର୍ତ୍ତି ଓ ପଞ୍ଚାୟତସ୍ତରରେ ଉନ୍ନୟନମୂଳକ କାର୍ଯ୍ୟକ୍ରମକୁ ଭିତ୍ତି କରି ୨୦୨୪ ନିର୍ବାଚନରେ ବିଜେଡି ନିର୍ବାଚନ ରଣାଙ୍ଗନକୁ ଅବତାରଣା କରିବ ବୋଲି ଜଣାପଡିଛି । ସାଧାରଣ ନିର୍ବାଚନ ଯଥେଷ୍ଟ ପୂର୍ବରୁ ଅରୁଣଙ୍କ ଏହିଭଳି ରଣନୀତି ବିରୋଧୀଙ୍କୁ ଝଟକା ଦେବ ବୋଲି ରାଜନୀତିକ ବିଶେଷକମାନେ ମତ ପ୍ରକାଶ କରିଛନ୍ତି ।

Exit mobile version