ଓଡ଼ିଶା ତାଜା ନ୍ୟୁଜ (୧୦ ଅଗଷ୍ଟ ବୁଧବାର ) ଭୁବନେଶ୍ୱର :- ଓଡିଶାରେ ସମୁଦ୍ର ତଟ ସୁରକ୍ଷା ଓ ଲୁଣିବନ୍ଧ ସୁଦୁଢୀକରଣ ପରିପ୍ରେକ୍ଷୀରେ ରାଜ୍ୟ ଜଳ ସମ୍ପଦ ବିଭାଗ ଏବଂ ରାଷ୍ଟ୍ରୀୟ ସାମୁଦ୍ର ପ୍ରାଦ୍ୟୋଗିକ ସଂସ୍ଥାନ ମଧ୍ୟରେ ଏକ ବୁଝାମଣା ପତ୍ର ଆଜି ଅପରାହ୍ଣରେ ସ୍ୱାକ୍ଷରିତ ହୋଇଯାଇଛି । ବିଭାଗର ସମ୍ମିଳନୀ କକ୍ଷରେ ରାଜ୍ୟ ଜଳ ସଂପଦ, ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ଶ୍ରୀମତୀ ଟୁକୁନି ସାହୁ, ଅତିରିକ୍ତ ମୁଖ୍ୟ ଶାସନ ସଚିବ, ଜଳ ସଂପଦ ବିଭାଗ ଶ୍ରୀମତୀ ଅନୁ ଗର୍ଗଙ୍କ ଉପସ୍ଥିତିରେ ଏହି ବୁଝାମଣା ପତ୍ର ସ୍ୱାକ୍ଷରିତ ହୋଇଥିଲା । ରାଜ୍ୟ ଜଳ ସଂପଦ ବିଭାଗ ତରଫରୁ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ ଇଂ. ବିଜୟ କୁମାର ମିଶ୍ର ଏବଂ ରାଷ୍ଟ୍ରୀୟ ସମୁଦ୍ର ପ୍ରାଦ୍ୟୋଗିକ ସଂସ୍ଥାନ ( ନ୍ୟାସନାଲ ଇନଷ୍ଟିଚ୍ୟୁଟ ଅଫ ଓସେନ୍ ଟେକ୍ନୋଲୋଜି)ର ନିର୍ଦ୍ଦେଶକ ଡଃ. ଜି.ଏ. ରାମଦାସଙ୍କ ମଧ୍ୟରେ ଏହି ବୁଝାମଣା ପତ୍ର ସ୍ୱାକ୍ଷରିତ ହୋଇଥିଲା ।

କାର୍ଯ୍ୟକ୍ରମରେ ଯୋଗଦେଇ ରାଜ୍ୟ ଜଳସଂପଦ ମନ୍ତ୍ରୀ ଶ୍ରୀମତୀ ସାହୁ କହିଲେ ଯେ, ଓଡିଶାକୁ ବନ୍ୟା ଓ ବାତ୍ୟାର ଚିର ସହଚର ବୋଲି କୁହାଯାଇଥାଏ । ପ୍ରାକୃତିକ ବିପର୍ୟ୍ୟୟ ଓ ଜଳବାୟୁ ପରିବର୍ତ୍ତନ ହେତୁ ଓଡିଶାରେ ବିଭିନ୍ନ ସମୟରେ ବନ୍ୟା ବାତ୍ୟା ଲାଗି ରହିଥାଏ । ଏହି ଦୃଷ୍ଟିରୁ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ପ୍ରାକୃତିକ ବିପର୍ୟ୍ୟୟ ପରିଚାଳନାକୁ ସବୁବେଳେ ଗୁରୁତ୍ୱ ଦେଇ ଆସିଛନ୍ତି ଓ ପ୍ରତ୍ୟେକ ଜୀବନ ମୂଲ୍ୟବାନ ବୋଲି କହିଛନ୍ତି । ଏଣୁ ୫ ବର୍ଷ ପାଇଁ ଆଜିର ଏହି ବୁଝାମଣା ପତ୍ର ସ୍ୱାକ୍ଷର ଆଗାମୀ ଦିନରେ ଓଡିଶାର ଉପକୂଳବର୍ତ୍ତୀ ଅଂଚଳ ଅନ୍ତର୍ଗତ ସମୁଦ୍ରର ତଟ ସୁରକ୍ଷା ଓ ଲୁଣିବନ୍ଧ ସୁରକ୍ଷାରେ ସହାୟକ ହେବ ବୋଲି ପ୍ରକାଶ କରିଥିଲେ ।
