ଅଞ୍ଜଳୀନାମକ କୁକୁର ପାଇଁ କାନ୍ଦିଲା ପାରଳାଖେମୁଣ୍ଡି ସହର ମୃତ୍ୟୁପରେ ମିଳିଲା ସମ୍ମାନ : ଟୁନିଗୌଡ଼ ଏବଂ କୁକୁର ମଧ୍ୟରେ ଥିବା ନିଆରା ସମ୍ପର୍କ ଆଜି ସମସ୍ତଙ୍କୁ ସ୍ତବ୍ଧ କରିଦେଇଛି

ଓଡ଼ିଶା ତାଜା ନ୍ୟୁଜ (୯ ଅଗଷ୍ଟ ମଙ୍ଗଳବାର ) ପାରଳାଖେମୁଣ୍ଡି :- ଅଞ୍ଜଳୀନାମକ କୁକୁର ପାଇଁ କାନ୍ଦିଲା ଗଜପତି ଜିଲ୍ଲାର ସଦର ମହକୁମା ପାରଳାଖେମୁଣ୍ଡି ସହର ମୃତ୍ୟୁପରେ ମିଳିଲା ସମ୍ମାନ । ଟୁନିଗୌଡ଼ ଏବଂ କୁକୁର ମଧ୍ୟରେ ଥିବା ନିଆରା ସମ୍ପର୍କ ଆଜି ସମସ୍ତଙ୍କୁ ସ୍ତବ୍ଧ କରିଦେଇଛି । ଏ ଦୁନିଆରେ ସମସ୍ତଙ୍କ ଠାରୁ ଯଦି କେହି ବଡ ବିଶ୍ବାସୀ ହେଉଛି ସେ ହେଉଛି କୁକୁର ଆଜି ବି ଜୀବନର ଶେଷଯାତ୍ରା ପାଇଁ ମଣିଷକୁ କାନ୍ଧଟିଏ ମିଳୁନି । ମୃତ୍ୟୁ ପରେ ବି ସମାଜର କଳୁଷିତ ପରମ୍ପରାରୁ ମୁକୁଳି ପାରୁନି ସଭ୍ୟ ସମାଜ । ହିଂସା ଓ କ୍ରୋଧରେ ମରିଯାଉଛି ମାନବିକତା । ଏ କ୍ଷେତ୍ରରେ କୁକୁର ଓ ମଣିଷର ନିଃସ୍ବାର୍ଥପର ସମ୍ପର୍କ ଦେଖିଲେ ଆଖିରୁ ଲୁହ ଆସିଯିବ ।

ସେ ବୁଝେନା ଧନି, ଗରିବ ଜାତିଧର୍ମ । କିନ୍ତୁ ସମ୍ପର୍କର ପରିଭାଷାକୁ ସେ ମର୍ମେ ମର୍ମେ ବୁଝିଥାଏ । ଏଭଳି କିଛି ଦୃଶ୍ୟ ଦେଖିବାକୁ ମିଳିଛି ଗଜପତି ଜିଲ୍ଲା ପାରଳାଖେମୁଣ୍ଡିରେ କୁକୁର ଓ ମଣିଷର ନିଃସ୍ବାର୍ଥପର ସମ୍ପର୍କର ନିଦର୍ଶନପାରଳାଖେମୁଣ୍ଡିର ଟୁନି ଗୌଡ ନାମକ ଜଣେ ବ୍ୟକ୍ତି ଏକ ଗରିବ ଘରେ ଜନ୍ମ ଗ୍ରହଣ କରିଥିଲେ । ବାପାଙ୍କ ଦେହାନ୍ତ ପରେ ବିଭିନ୍ନ ଦୋକାନରେ କାମ କରି ପରିବାର ପ୍ରତିପୋଷଣ କରୁଥିଲେ। ଏହି ସମୟରେ ସେ ଏକ ଛୋଟ କୁକୁରକୁ ପାଇଥିଲେ । ଏହାପରେ ତାକୁ ଘରକୁ ଆଣି ପୋଷିଥିଲେ । କୁକୁରଟିର ନାଁ ଦେଇଥିଲେ ଅଞ୍ଜଳୀ । ସେ ଆସିବା ପରଠାରୁ ଟୁନିଙ୍କ ଜୀବନରେ ପରିବର୍ତ୍ତନ ଘଟିଲା ।

ବ୍ୟବସାୟ ବୃଦ୍ଧି ହେବା ସହ ଜୀବନରେ ଅନେକ ଉନ୍ନତି ହୋଇଥିଲା । ଏପରିକି ସମାଜରେ ଏକ ପ୍ରତିଷ୍ଠିତ ମଣିଷ ଭଳି ଟୁନି ଜୀବନ ଅତିବାହିତ କରିବାକୁ ଲାଗିଲେ । ଏହାରି ଭିତରେ ସେ ଅନେକ କୁକୁରଙ୍କୁ ପୋଷିଛନ୍ତି। ହେଲେ ଅଞ୍ଜଳୀ ତାଙ୍କ ଜୀବନରେ ଆସିବା ପରେ ହିଁ ଏହି ଉନ୍ନତି ହୋଇଥିବା ଟୁନିଙ୍କ ବିଶ୍ବାସ । ତେବେ ଆଜି ସକାଳୁ ହଠାତ ଅଞ୍ଜଳୀ ଆଖି ବୁଜିଦେଇଥିଲା। ଜୀବନଠାରୁ ଅଧିକ ଭଲ ପାଉଥିବା ଅଞ୍ଜଳୀର ମୃତ୍ୟୁ ଖବର ଟୁନିଙ୍କୁ ସ୍ପବ୍ଧ କରି ଦେଇଥିଲା । କାନ୍ଦବୋବାଳିରେ ଫାଟି ପଡୁଥିଲା ପୁରା ପରିବେଶ । ଟୁନିଙ୍କ ଘରେ ଥିବା ଅନ୍ୟକୁକୁରମାନେ ନିଜ ସାଥୀକୁ ହରାଇ ସତେ ଯେପରି ଭାଙ୍ଗି ପଡ଼ିଥିଲେ ।

ବାସ୍ତବରେ ଏ ଦୃଶ୍ୟ ଦେଖିଲେ ଅଞ୍ଜଳୀ ପ୍ରତି ଥିବା ଅହେତୁକ ଭଲ ପାଇବା ସ୍ପଷ୍ଟ ବାରି ହେଉଥିଲା । କେବଳ ଟୁନିଙ୍କ ଘରେ ନୁହେଁ ପୁରା ଅଞ୍ଚଳରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିଲା ।ଏହାପରେ ଅଞ୍ଜଳୀର ଅନ୍ତିମ ସଂସ୍କାର କାର୍ଯ୍ୟ ଆରମ୍ଭ ହୋଇଥିଲା । ହିନ୍ଦୁ ରୀତିନୀତି ଅନୁଯାୟୀ ମଣିଷ ଭଳି ହଳଦି ପାଣିରେ ଗାଧୋଇବା ସହ ବିରାଟ ପଟୁଆରରେ ଶେଷଯାତ୍ରା ହୋଇଥିଲା । ବାଜା ବଜାଇ, ବାଣ ଫୁଟାଇ ଏକ ସୁସଜ୍ଜିତ ଗାଡ଼ିରେ ଅଞ୍ଜଳୀକୁ ନିଆଯାଇଥିଲା । ଟୁନି କହିଛନ୍ତି, “ଅଞ୍ଜଳି ମୋ ଜୀବନରେ ଆସିବା ପରଠାରୁ ଅନେକ ଉନ୍ନତି ହୋଇଥିଲା । ତେଣୁ ଉଚିତ ସମ୍ମାନ ପାଇବାର ସେ ହକଦାର।” ତେବେ ପଶୁ ପ୍ରେମକୁ ନେଇ ଟୁନି ପାରଳାଖେମୁଣ୍ଡି ସହରରେ ବେଶ ଚର୍ଚ୍ଚିତ। ତେଣୁ ତାଙ୍କୁ ଅନେକ ଲୋକ ଭଲପାଆନ୍ତି।

ତେଣୁ ଅଞ୍ଜଳୀର ଶେଷଯାତ୍ରାରେ ଅନେକ ଲୋକ ସାମିଲ ହୋଇ ଶେଷ ଦର୍ଶନ କରିବା ସହ ବିଦାୟ ଜଣାଇଥିଲେ। ‘ରାମ ନାମ ସତ୍ୟ ହେ, ହରି ନାମ ସତ୍ୟ ହେ’ ଶବ୍ଦରେ ପ୍ରକମ୍ପିତ ହୋଇଉଠୁଥିଲା ପୁରା ପରିବେଶ । ଏହାପରେ ଶ୍ମଶାନରେ ତାର ଶେଷକୃତ୍ୟ ସମ୍ପନ୍ନ ହୋଇଥିଲା । ମଣିଷ କ୍ଷେତ୍ରରେ ଯେଭଳି କ୍ରିୟାକର୍ମ ହୁଏ ଅଞ୍ଜଳୀର ମଧ୍ୟ ସେଭଳି କରାଯିବ ବୋଲି ଟୁନି କହିଛନ୍ତି । ମଣିଷର ସ୍ନେହ, ପ୍ରେମ, ଭଲପାଇବାକୁ ଅନୁଭବ କରିଥିଲା ଅଞ୍ଜଳୀ । କୁକୁରଟିଏ ହୋଇ ମଧ୍ୟ ମାନବିକତାର ମହାନତାକୁ ସେ ହୃଦୟଙ୍ଗମ କରିପାରିଥିଲା । ସେଥିପାଇଁ ତ ଆଜି ତା ବିୟୋଗରେ ସମଗ୍ର ପାରଳାଖେମୁଣ୍ଡି ସହର କାନ୍ଦି ଉଠିଲା ।

Exit mobile version