ବାର୍ଦ୍ଧକ୍ୟ ଏକ ଅଭିଶାପ ନୁହେଁ : ଡ଼ ଅରୁଣ କୁମାର ସାହୁ

ଓଡ଼ିଶା ତାଜା ନ୍ୟୁଜ (୩୧ ଜୁଲାଇ ରବିବାର) ଓଡ଼ଗାଁ :- ରଘୁନାଥ ବରିଷ୍ଠ ନାଗରିକ ମଞ୍ଚର ଦ୍ଵିତୀୟ ବାର୍ଷିକ ସାଧାରଣ ଅଧିବେଶନ ବ୍ଲକ ସଦଭାବନା ଗୃହରେ ଅନୁଷ୍ଠିତ ହୋଇଯାଇଛି । ପ୍ରଭୁ ଶ୍ରୀ ରଘୁନାଥଙ୍କ ନିକଟରେ ପ୍ରଦୀପ ପ୍ରଜ୍ଜ୍ୱଳନ ଓ ମାଲ୍ୟାର୍ପଣ ପରେ ସମ୍ପାଦକ ବନମାଳି ଦାସ ବାର୍ଷିକ ବିବରଣୀ ଉପସ୍ଥାପନ କରିଥିଲେ ।

ମଞ୍ଚର ସଭାପତି ବସନ୍ତ କୁମାର ମିଶ୍ରଙ୍କ ଆବାହକତ୍ବରେ ଆୟୋଜିତ କାର‌୍ୟ୍ୟକ୍ରମରେ ମୂଖ୍ୟ ଅତିଥିଭାବେ ନୟାଗଡ଼ ବିଧାୟକ ତଥା ମଞ୍ଚର ମୁଖ୍ୟ ଉପଦେଷ୍ଟା ଡ଼ ଅରୁଣ କୁମାର ସାହୁ ଯୋଗ ଦେଇ ବରିଷ୍ଠ ନାଗରିକମାନେ ଶିକାର ହେଉଥିବା ପାରିବାରିକ ଅବହେଳା ଓ ହିଂସାକୁ ନେଇ ଉଦ୍‌ବେଗ ପ୍ରକାଶ କରିବା ସହ ବାର୍ଦ୍ଧକ୍ୟ ଏକ ଅଭିଶାପ ନୁହେଁ ବରଂ ବରିଷ୍ଠଙ୍କ ଜୀବନ ଭରପୁର ଅନୁଭୂତି ଏବଂ ଅଭିଜ୍ଞତାର ଜୀବନ,ବରିଷ୍ଠଙ୍କ ଅଭିଜ୍ଞତାକୁ ସଠିକ ରୂପେ ବ୍ୟବହାର ହୋଇପାରିଲେ ସମାଜ ନିମନ୍ତେ ଏହା ବରଦାନ ସଦୃଶ ହେବ ବୋଲି କହିଥିଲେ।

ସମାଜରେ ଯେତେ ବରିଷ୍ଠ ନାଗରିକ ଅଛନ୍ତି ସମସ୍ତଙ୍କୁ ନିଜର ପିତାମାତା ଭାବିବାର ଭାବନା ସମସ୍ତ ଯୁବପିଢୀଙ୍କ ନିକଟରେ ରହିବା ଉଚିତ ପରାମର୍ଶ ଦେଇଥିଲେ। ବରିଷ୍ଠ ନାଗରିକ ମଞ୍ଚ ନକାରାତ୍ମକ ଆଲୋଚନାର ମଞ୍ଚ ନୁହେଁ ବରଂ ସକାରାତ୍ମକ ଆଲୋଚନା ଓ ଚିନ୍ତନ ପାଇ ଏ ମଞ୍ଚ ଉଦ୍ଦିଷ୍ଟ। ବରିଷ୍ଠ ନାଗରିକମାନେ ସମାଜ ସଚେତନତା କାର‌୍ୟ୍ୟକ୍ରମରେ ଜଡିତ ରହିବା ସହ ନିଜ ଜୀବନକୁ ହସ, ଖେଳକୁଦରେ ଅତିବାହିତ କରିବା ଉଚିତ। ପରିବାର ଓ ସମାଜର ଅମୂଲ୍ୟ ସମ୍ପଦ ବୋଲି ବକ୍ତବ୍ୟ ପ୍ରଦାନ କରିଥିଲେ।

ମଞ୍ଚର ସଭାପତି ବସନ୍ତ କୁମାର ମିଶ୍ର ମଞ୍ଚର ସ୍ଥାୟୀ କାର‌୍ୟ୍ୟାଳୟ ନିର୍ମାଣ ନିମନ୍ତେ ବିଧାୟକ ଓ ବ୍ଲକ ଅଧ୍ୟକ୍ଷଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ବ୍ଲକ ଅଧ୍ୟକ୍ଷ ଲୋକନାଥ ସାହୁ ଓ ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ବିଭୁପ୍ରସାଦ ସାହୁଙ୍କ ସାହାଯ୍ୟ, ସହାନୁଭୂତି ଏବଂ ସହଯୋଗରେ ବରିଷ୍ଠ ନାଗରିକ ମଞ୍ଚ ଗଠନ ହୋଇଥିବାରୁ ମଞ୍ଚ ତରଫରୁ ଉଭୟଙ୍କୁ କୃତଜ୍ଞତା ଜ୍ଞାପନ କରାଯାଇଥିଲା।ମଞ୍ଚର ଉପସଭାପତି ସୁବାସ ଚନ୍ଦ୍ର ସାହୁ ସ୍ୱାଗତ ଭାଷଣ ପ୍ରଦାନ କରିଥିବାବେଳେ ବନମାଳୀ ପରିଡା ଧନ୍ୟବାଦ ଅର୍ପଣ କରିଥିଲେ।

ଅନ୍ୟତମ ଅତିଥିଭାବେ ଏନ୍.ଏସି କାର‌୍ୟ୍ୟନିର୍ବାହୀ ଅଧିକାରୀ ସନ୍ତୋଷ କୁମାର ଜେନା, ଜିଲ୍ଲା ପରିଷଦ ସଭ୍ୟା ବିରଜାଲକ୍ଷ୍ମୀ ସାହୁ,ବ୍ଲକ ଉପାଧ୍ୟକ୍ଷା ମୀରା ନାୟକ, ପୂର୍ବତନ ସରପଞ୍ଚ ଦିବାକର ନାୟକ, ନୟାଗଡ଼ ବରିଷ୍ଠ ନାଗରିକ ମଞ୍ଚ ସଭାପତି ମଞ୍ଚାସିନ ଥିଲେ।ଏହି ଖୋଲା ଅଧିବେଶନରେ ଓଡ଼ଗାଁ ବିଜ୍ଞାପିତ ଅଞ୍ଚଳ ପରିଷଦ ଓ ବିଭିନ୍ନ ପଞ୍ଚାୟତରୁ ଶତାଧିକ ବରିଷ୍ଠ ନାଗରିକ ଯୋଗଦେଇଥିଲେ।

Exit mobile version