ସମ୍ବଲପୁର ମଣ୍ଡଳସ୍ତରୀୟ ରେଳ ଉପଭୋକ୍ତା ପରାମର୍ଶଦାତା ସମିତି ର ବୈଠକ

ଓଡ଼ିଶା ତାଜା ନ୍ୟୁଜ(୨୧ ଜୁଲାଇ ଗୁରୁବାର) ବରଗଡ଼ :- କ୍ଷେତରାଜପୁର ସ୍ଥିତ ସମ୍ବଲପୁର ରେଳ ମଣ୍ଡଳ କାର୍ଯ୍ୟାଳୟର ସମ୍ମିଳନୀ କକ୍ଷରେ ରେଳ ଉପଭୋକ୍ତା ପରାମର୍ଶଦାତା ସମିତି ର ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ସମ୍ବଲପୁର ରେଳମଣ୍ଡଳ ପ୍ରବନ୍ଧକ ଶ୍ରୀ ପ୍ରଦୀପ କୁମାର ଓ ଅନ୍ୟାନ୍ୟ ପଦାଧିକାରୀଙ୍କ ସହିତ ସମ୍ବଲପୁର ମଣ୍ଡଳ ଅଧୀନସ୍ଥ ବିଭିନ୍ନ ଅଞ୍ଚଳରୁ ଆସିଥିବା ରେଳ ପରାମର୍ଶଦାତା ସମିତି ର ସଦସ୍ୟମାନେ ଅଂଶଗ୍ରହଣ କରି ବିଭିନ୍ନ ସମସ୍ୟା ଉପରେ ଆଲୋଚନା କରିଥିଲେ। ବରଗଡ ଜିଲ୍ଲା ରେଳ ଉପଭୋକ୍ତା ସଂଘ ତରଫରୁ ୨୦୨୨ ଓ ୨୦୨୩ ପାଇଁ ସଂଘର ଉପସଭାପତି କୃଷ୍ଣ ଚନ୍ଦ୍ର ପଣ୍ଡାଙ୍କୁ ଉକ୍ତ ସମିତି ରେ ସଦସ୍ୟ ରୂପେ ମନୋନୀତ କରାଯାଇଥିବାରୁ ସେ ଏହି ଅଧିବେଶନରେ ଯୋଗ ଦେଇଥିଲେ।

ଏଥିରେ ସେ ମୁଖ୍ୟତଃ ସମ୍ବଲପୁର-ପୁରୀ ଇଣ୍ଟରସିଟିକୁ ବଲାଙ୍ଗିର ପର୍ଯ୍ୟନ୍ତ ସମ୍ପ୍ରସାରଣ ଏବଂ ସପ୍ତାହରେ ତିନିଦିନ ଚାଲୁଥିବା ବିଶାଖାପାଟଣା-ଅମୃତସର ‘ହୀରାକୁଦ’ ଏକ୍ସପ୍ରେସକୁ ଅବଶିଷ୍ଟ ଚାରିଦିନ ଟିଟିଲାଗଡ ଓ ସମ୍ବଲପୁର ଦେଇ ଚଳାଇବା ପାଇଁ ଦାବି ଜଣାଇଥିଲେ; ଯାହାକୁ ଶ୍ରୀ କୁମାର କାର୍ଯ୍ୟକାରୀ କରାଇବା ପାଇଁ ପୂର୍ବତଟ ରେଳପଥ ମୁଖ୍ୟ କାର୍ଯ୍ୟାଳୟକୁ ପଠାଇଥିବା ଜଣାଇଥିଲେ। ଅନ୍ୟାନ୍ୟ ପ୍ରସଙ୍ଗ ମଧ୍ୟରେ ବରଗଡ ରୋଡ ଷ୍ଟେସନରେ ଲିଫ୍ଟ ତଥା ରେମ୍ପ ସହ ଆଉ ଏକ ପାଦଚଲା ଉପର ରାସ୍ତା ନିର୍ମାଣ, ଦ୍ୱିତୀୟ ପ୍ଲାଟଫର୍ମରେ ପରିସ୍ରାଗାର, ପ୍ଲାଟଫର୍ମରେ ବର୍ଷାଦିନେ ପାଣିଗଳିବା,

ଇସ୍ପାତ ଓ ନାଗାବଳୀ ଏକ୍ସପ୍ରେସର ଏଠାରେ ୫ ମିନିଟ ରହଣୀ, ବରପାଲି ଓଭରବ୍ରିଜ କାର୍ଯ୍ୟ ଅସମ୍ପୂର୍ଣ ରହିଥିବାରୁ ଲୋକଙ୍କ ଦୁର୍ଦ୍ଦଶା, ଅତାବିରାରେ ଦକ୍ଷିଣାଭିମୁଖୀ ଟ୍ରେନଗୁଡିକର ରହଣୀ, ବାଇକ ଷ୍ଟେଣ୍ଡ ରାତିରେ ଅନ୍ଧାର ରହୁଥିବାରୁ ସେଠାରେ ସେମି ହାଇମାଷ୍ଟ ଲାଇଟ ଲଗାଇବା ଏବଂ ବରଗଡ ପ୍ଲାଟଫର୍ମ ବରପାଲି ଦିଗକୁ ବୃଦ୍ଧି କରାଯାଉଥିବାରୁ ପ୍ରବେଶ ପଥକୁ ମଧ୍ୟ ତଦନୁଯାୟୀ ସେଇ ଦିଗରେ ସ୍ଥାନାନ୍ତର କରିବା ସହ ଏହି ଷ୍ଟେସନକୁ ନୂତନରୂପେ ଧନୁଯାତ୍ରାର ରାଜଦରବାର ଢାଞ୍ଚାରେ ପୁନର୍ନିର୍ମାଣକରି ସୌନ୍ଦର୍ଯ୍ୟକରଣ କରାଇବା କଥା ଉଠାଇଥିଲେ। ମଣ୍ଡଳ ପ୍ରବନ୍ଧକ ଶ୍ରୀ କୁମାର ଏହି ସବୁ ବିନଷୟ ଉପରେ ବିଚାର କରିବେ ବୋଲି କହିବା ସହ ଲିପିବଦ୍ଧ କରାଇଥିଲେ।

Exit mobile version