ଭାରତୀୟ ରେଡ଼କ୍ରସ୍‍ ,ଓଡ଼ିଶା ରାଜ୍ୟ ଶାଖା ଜାତୀୟସ୍ତରରେ ପୁରସ୍କୃତ ରାଜ୍ୟପାଳଙ୍କ ପ୍ରଶଂସା

ଓଡ଼ିଶା ତାଜା ନ୍ୟୁଜ୍/୨୦ ଜୁଲାଇ ବୁଧବାର/ଭୁବନେଶ୍ୱର :- ଭାରତୀୟ ରେଡ଼କ୍ରସ୍‍ ,ଓଡ଼ିଶା ରାଜ୍ୟ ଶାଖା ପାଣ୍ଠିସଂଗ୍ରହ, ସଭ୍ୟ ସଂଗ୍ରହ ଓ ସ୍ୱେଚ୍ଛାକୃତ ରକ୍ତଦାନ ସଂଗ୍ରହରେ ୨୦୧୯-୨୦ ଓ ୨୦୨୦-୨୧ ବର୍ଷରେ ପ୍ରଥମ ସ୍ଥାନ ଅଧିକାର କରିଥିବାରୁ ସିଲଡ଼୍ ଓ ପ୍ରଶଂସାପତ୍ର ପାଇଛନ୍ତି । ରାଜ୍ୟପାଳ ତଥା ଭାରତୀୟ ରେଡ଼କ୍ରସ୍‍ , ଓଡ଼ିଶା ରାଜ୍ୟ ଶାଖାର ଅଧ୍ୟକ୍ଷ ପ୍ରଫେସର ଗଣେଶୀ ଲାଲ ରେଡ଼କ୍ରସ୍‍ କାର୍ଯ୍ୟଧାରାର ଭୂୟସୀ ପ୍ରଶଂସା କରିବା ସହ ସେବାର ପରିସର, ଆକାର ଓ ପରିମାଣକୁ ଆହୁରି ବ୍ୟାପକ କରିବାକୁ ପରାମର୍ଶ ଦେଇଛନ୍ତି ।

 

ରାଜଭବନରେ ଆୟୋଜିତ ଏକ ଉତ୍ସବରେ ରାଜ୍ୟପାଳ ପ୍ରଫେସର ଲାଲ ସେବାକୁ ଆଧ୍ୟାତ୍ମିକ ସାଧନା ଭାବରେ ବର୍ଣ୍ଣନା କରି ଏଥିନିମନ୍ତେ ଉତ୍ସଗୀକୃତ ମନୋଭାବ ଓ ନିଷ୍ଠା ଏକାନ୍ତ ଆବଶ୍ୟକ ବୋଲି ପ୍ରକାଶ କରିଥିଲେ । ଅବୈତନିକ ସଚିବ ସିଟିଏମ୍‍ ସୁଗୁଣା ଓଡ଼ିଶାରେ ରେଡ଼କ୍ରସ୍‍ର ବିଭିନ୍ନ କାର୍ଯ୍ୟକ୍ରମ ଓ ଭବିଷ୍ୟତ ଯୋଜନା ସମ୍ପର୍କରେ ସୂଚନା ଦେଇଥିଲେ ।

ରାଜ୍ୟପାଳ ଅବୈତନିକ ସଚିବଙ୍କୁ ସିଲଡ଼୍‍ ପ୍ରଦାନ କରିଥିଲେ । ବୌଦ୍ଧ ଜିଲ୍ଲା ଶାଖାର ଆଜୀବନ ସଭ୍ୟ ପ୍ରବୀର କୁମାର ଦାସଙ୍କୁ ଉଲ୍ଲେଖନୀୟ କୃତି ପାଇଁ ରେଡ଼କ୍ରସ୍‍ ସାର୍ଟିଫିକେଟ୍‍ ଅଫ୍‍ ମେରିଟ୍‍ ପ୍ରଦାନ କରାଯାଇଥିଲା । ଉତ୍ସବରେ ରାଜ୍ୟପାଳଙ୍କ ପ୍ରମୁଖ ସଚିବ ଶାଶ୍ୱତ ମିଶ୍ରଙ୍କ ସମେତ ରାଜଭବନର ଅଧିକାରୀ ଓ ରେଡ଼କ୍ରସ୍‍ର ସ୍ୱେଚ୍ଛାସେବୀମାନେ ଉପସ୍ଥିତ ଥିଲେ ।

Exit mobile version