ସଂଗ୍ରାମୀ ଚକ୍ରଧର ଥିଲେ କନିକା ପ୍ରଜା ଆନ୍ଦୋଳନର ମହାନାୟକ ବିପ୍ଳବୀ ଚକ୍ରଧର ବେହେରାଙ୍କ ରାଜ୍ୟସ୍ତରୀୟ ଜୟନ୍ତୀ ପାଳିତ

ଓଡ଼ିଶା ତାଜା ନ୍ୟୁଜ୍/୧୮ ଜୁଲାଇ ସୋମବାର/ଭୁବନେଶ୍ୱର :- ସଂଗ୍ରାମୀ ଚକ୍ରଧର ବେହେରା ଥିଲେ କନିକା ପ୍ରଜା ଆନ୍ଦୋଳନର ମହାନାୟକ । ଜାତିର ଜନକ ମହାତ୍ମା ଗାନ୍ଧୀଙ୍କ ଆଦର୍ଶରେ ଅନୁପ୍ରାଣିତ ଏହି ମହାନାୟକଙ୍କ ତ୍ୟାଗ, ତିତିକ୍ଷା, ନିଷ୍ଠା, ଦେଶପ୍ରେମ, ସଂଘର୍ଷ, ସଂଗ୍ରାମ, ସାହସ ଓ ସ୍ୱାଭିମାନର ପଟାନ୍ତର ନାହିଁ । ସେ ଏକାଧାରରେ ଜଣେ ଦରଦୀ, ଧର୍ମପରାୟଣ, ବାଗ୍ମୀ, କବିପ୍ରାଣ ଓ ଗରିବ କୃଷକ ସମାଜର ଶୁଭେଚ୍ଛୁ ଭାବେ ଏ ଜାତିର ଚିରନମସ୍ୟ ଓ ପ୍ରାତଃସ୍ମରଣୀୟ । ଅନ୍ୟାୟ, ଅନୀତି ଓ ଅତ୍ୟାଚାରର ପ୍ରତିବନ୍ଧକ ସତ୍ତେ୍ୱ ସେ ଆଜୀବନ ପ୍ରଜାଙ୍କ ହିତ ପାଇଁ ଲଢ଼େଇ କରିଥିଲେ ।

ଜଣଙ୍କ ହିତ ପାଇଁ ନୁହଁ, ବରଂ ଗଣଙ୍କ ହିତ ପାଇଁ ତାଙ୍କ ଜୀବନ ସମର୍ପିତ ଥିଲା ବୋଲି ବର୍ତ୍ତମାନର ପିଢ଼ି ଜାଣିବା ଉଚିତ ବୋଲି ଆଜି ସନ୍ଧ୍ୟାରେ ସ୍ଥାନୀୟ ଜୟଦେବ ଭବନଠରେ ଆୟୋଜିତ ମହାନ ବିପ୍ଳବୀ ଚକ୍ରଧର ବେହେରାଙ୍କ ରାଜ୍ୟସ୍ତରୀୟ ଜୟନ୍ତୀ ଉତ୍ସବରେ ଅତିଥିମାନେ ମତବ୍ୟକ୍ତ କରିଛନ୍ତି । ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ଆୟୋଜିତ ରାଜ୍ୟସ୍ତରୀୟ ଜୟନ୍ତୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ, ପଞ୍ଚାୟତିରାଜ ଓ ପାନୀୟ ଜଳ ଏବଂ ସୂଚନା ଓ ଲୋକସଂପର୍କ ମନ୍ତ୍ରୀ ଶ୍ରୀ ପ୍ରଦିପ କୁମାର ଅମାତ,

ସମ୍ମାନିତ ଅତିଥି ଭାବେ ପୂର୍ବତନ ମନ୍ତ୍ରୀ ତଥା ବରିଷ୍ଠ ବିଧାୟକ ଶ୍ରୀ ପ୍ରଫୁଲ୍ଲ ସାମଲ, ବିଧାୟକ ଶ୍ରୀ ବିଷ୍ଣୁଚରଣ ସେଠୀ, ବିଧାୟକ ଶ୍ରୀ ବ୍ୟୋମକେଶ ରାୟ, ବିଧାୟକ ଶ୍ରୀ ସଂଜୀବ କୁମାର ମଲ୍ଲିକ, ଉତ୍କଳ ପ୍ରସଙ୍ଗ ଏବଂ ଓଡ଼ିଶା ରିଭୁ୍ୟର ସଂପାଦକ ଡ. ଲେନିନ୍‌ ମହାନ୍ତି ଯୋଗଦେଇ କନିକା ପ୍ରଜା ଆନ୍ଦୋଳନର ମହାନାୟକ ଚକ୍ରଧର ବେହେରାଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ । ସେ ଥିଲେ ସ୍ୱାଧୀନତାର ଯଥାର୍ଥ ପୂଜାରୀ, ସଚ୍ଚା ଦେଶପ୍ରେମୀ ଓ ନିଃସ୍ୱାର୍ଥପର ଦେଶସେବକ । ତାଙ୍କ ଜୀବନର ଅନାଲୋଚିତ ଦିଗଗୁଡ଼ିକୁ ଲୋକଦୃଷ୍ଟିରେ ଆଣିବା ଆମମାନଙ୍କର କର୍ତ୍ତବ୍ୟ ।

ବିଶେଷ କରି, ସାହିତି୍ୟକ, ଗବେଷକମାନେ ଏହି ଦିଗରେ କାର୍ଯ୍ୟ କରିବା ଉଚିତ ବୋଲି ଅତିଥିମାନେ ମତପୋଷଣ କରିଥିଲେ । ମୁଖ୍ୟବକ୍ତା ଭାବେ ଯୋଗଦେଇ ବିଶିଷ୍ଟ ସାହିତି୍ୟକ ଡ. ଗୌରହରି ଦାସ କହିଲେ ଯେ ଚକ୍ରଧର ବେହେରା ଥିଲେ କନିକାର ସୂର୍ଯ୍ୟ । କନିକା ମାଟି ଆଜି ବି ତାଙ୍କୁ ପ୍ରତି ମୁହୂର୍ତ୍ତରେ ଝୁରେ । ତାଙ୍କ ନେତୃତ୍ୱରେ ପାଞ୍ଚମୁକାରେ ଆରମ୍ଭ ହୋଇଥିଲା ଅସହଯୋଗ ଆନ୍ଦୋଳନ । କନିକା ପ୍ରଜାମୁକ୍ତି ଆନ୍ଦୋଳନର ମୁଖ୍ୟ ଉଦ୍ଦେଶ୍ୟ ଥିଲା ପାଞ୍ଚମୁକା ଅଞ୍ଚଳର ହଜାର ହଜାର ପ୍ରଜାଙ୍କୁ ସ୍ୱତ୍ତ୍ୱ ପ୍ରଦାନ କରିବା ଏବଂ ସ୍ୱାବଲମ୍ବୀ କରିବା ା ସେ ଥିଲେ ଦୁଃଖିରଙ୍କୀଙ୍କ ସାଥି ।

ସୂଚନା ଓ ଲୋକସଂପର୍କ ବିଭାଗର ନିର୍ଦ୍ଦେଶକ (ବୈଷୟିକ) ଶ୍ରୀ ସୁରେନ୍ଦ୍ରନାଥ ପରିଡ଼ା ସ୍ୱାଗତ ଭାଷଣରେ ବିପ୍ଳବୀ ଚକ୍ରଧର ବେହେରାଙ୍କ ଆଦର୍ଶରେ ଯୁବସମାଜ ଅନୁପ୍ରାଣିତ ହେବା ଉଚିତ ବୋଲି ପ୍ରକାଶ କରିଥିଲେ ା ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ, ୟୁନିଟ୍‌-୪ର ଛାତ୍ରୀମାନେ ଆକର୍ଷଣୀୟ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ । ସେମାନଙ୍କୁ ବିଭାଗ ତରଫରୁ ସମ୍ବର୍ଦ୍ଧିତ କରାଯାଇଥିଲା । ସୂଚନା ଅଧିକାରୀ ପ୍ରମିଳା ମାଝୀ କାର୍ଯ୍ୟକ୍ରମ ସଂଯୋଜନା କରିଥିବା ବେଳେ ବିଭାଗୀୟ ଅତିରିକ୍ତ ନିର୍ଦ୍ଦେଶକ ଶ୍ରୀ ସନ୍ତୋଷ କୁମାର ଦାସ, ସହକାରୀ ନିର୍ଦ୍ଦେଶକ ଶ୍ରୀମତୀ ସୁଚେତା ପ୍ରିୟଦର୍ଶିନୀଙ୍କ ସମେତ ଅନ୍ୟ ବରିଷ୍ଠ ଅଧିକାରୀ,

ବହୁ ବୁଦ୍ଧିଜୀବୀ, ଗଣମାଧ୍ୟମର ପ୍ରତିନିଧି ଏବଂ ଛାତ୍ରଛାତ୍ରୀ ଏହି କାର୍ଯ୍ୟକ୍ରମରେ ଯୋଗଦେଇଥିଲେ । ଆଜି ସକାଳେ ରାଜଭବନ ଛକସ୍ଥିତ ବିପ୍ଳବୀ ଚକ୍ରଧରଙ୍କ ପ୍ରତିମୂର୍ତ୍ତିରେ ବିଭାଗୀୟ ମନ୍ତ୍ରୀ ଶ୍ରୀ ଅମାତ, ବରିଷ୍ଠ ବିଧାୟକ ଶ୍ରୀ ସାମଲ, ବିଧାୟକ ଶ୍ରୀ ମଲ୍ଲିକ, ବିଶିଷ୍ଟ ସାହିତି୍ୟକ ଡ. ଦାସ, ବିଭାଗୀୟ ନିର୍ଦ୍ଦେଶକ (ବୈଷୟିକ) ଶ୍ରୀ ପରିଡ଼ା, ସହକାରୀ ନିର୍ଦ୍ଦେଶକ (କ୍ଷେତ୍ର) ଶ୍ରୀମତୀ ପ୍ରିୟଦର୍ଶିନୀ ଓ ବିଭାଗୀୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ରହି ମାଲ୍ୟାର୍ପଣ କରିଥିଲେ ।

Exit mobile version