ବିପଦପୂର୍ଣ୍ଣ ଅବସ୍ଥାରେ ଶ୍ରେଣୀଗୃହ : କାଠ ଗଣ୍ଡି ଭରସାରେ ବିଦ୍ୟାଳୟ ଛାତ – ସରକାରଙ୍କ ନଜର ପଡିବ କେବେ…?

ଓଡ଼ିଶା ତାଜା ନ୍ୟୁଜ୍/୧୪,ଜୁଲାଇ,ଗୁରୁବାର/ବୈପାରିଗୁଡା :- ଛାତ୍ରଛାତ୍ରୀଙ୍କ ସୁରକ୍ଷାକୁ ନେଇ ବିଦ୍ୟାଳୟରେ ତାଲା ପକାଇଲେ ଗ୍ରାମବାସୀ । ପିଲାମାନଙ୍କୁ ଉନ୍ନତିମାନର ଶିକ୍ଷା ଯୋଗାଇ ଦେବା ପାଇଁ ରାଜ୍ୟ ସରକାର ବିଦ୍ୟାଳୟ ରୂପାନ୍ତରଣ ଯୋଜନାରେ ସ୍ମାର୍ଟ ସ୍କୁଲ ଖୋଲିବା ଉପରେ ଗୁରୁତ୍ୱ ଦେଉଛନ୍ତି । ଏହାସତ୍ୱେର୍ ରାଜ୍ୟରେ ଏପରି ଅନେକ ସ୍କୁଲ ରହିଛି ଯେଉଁଠି ପିଲାମାନଙ୍କ ସୁରକ୍ଷା ଉପରେ ଧ୍ୟାନ ଦିଆଯାଉ ନାହିଁ ବୋଲି ଅନୁଭବ କରୁଛନ୍ତି ବୈପାରିଗୁଡା ବ୍ଲକର କେତେକ ବିଦ୍ୟାଳୟର ଅଭିଭାବକ ମାନେ । ମରାମତି ଅଭାବରୁ ଶ୍ରେଣୀଗୃହ ଗୁଡିକ ବିପଦସଙ୍କୁଳ ଅବ୍ୟସ୍ଥାରେ ପଡି ରହିଛି । ଏହାର ଏକ ଉଦାହରଣ ବୈପାରିଗୁଡା ବ୍ଲକ ଦଣ୍ଡାବାଡି ପଂଚାୟତର ପୁରୁଡାବେଡା ଗ୍ରାମ ସ୍ଥିତ ସରକାରୀ ପ୍ରାଥମିକ ବିଦ୍ୟାଳୟରେ ଦେଖିବାକୁ ମିଳିଛି ।

ଏହି ବିଦ୍ୟାଳୟର ଶ୍ରେଣୀଗୃହ ଭିତରେ ଏକ ବିରାଟ ଗଛ ଗଣ୍ଡି କୁ ସପୋର୍ଟ କରି ବିଦ୍ୟାଳୟର ଛାତକୁ ଧରି ରହିଥିବା ବେଳେ ସେହି ଛାତ ତଳେ ଶହ ଶହ କମଳମତି ଛାତ୍ରଛାତ୍ରୀ ମାନେ ପ୍ରତିଦିନ ବିଦ୍ୟାଳୟକୁ ଯାଇ ଶିକ୍ଷା ଅଧୟନ କରୁଥିବାର ଦେଖାଯାଇଛି । ଏହା ଯେକୌଣସି ସମୟରେ ଭାଙ୍ଗି ପଡିବାର ସମ୍ଭାବନା ରହିଛି । ଫଳରେ ଏଠାରେ ପାଠ ପଢୁଥିବା ଛାତ୍ରଛାତ୍ରୀଙ୍କ ଜୀବନପ୍ରତି ବିପଦ ରହିଥିବା ଆଶଙ୍କା କରିଛନ୍ତି ଅଭିଭାବକ । ୨୦୧୨ରେ ଏହି ବିଦ୍ୟାଳୟ ସ୍ଥାପନ କରାଯାଇଥିଲା ।  ବିଦ୍ୟାଳୟରେ କଂକ୍ରିଟ ଛାତ ରହିଥିଲେ ମଧ୍ୟ ଅତିନିମ୍ନମାନର କାର୍ଯ୍ୟ ହୋଇଥିବାରୁ ବର୍ଷା ଦିନେ ଏହି ଶ୍ରେଣୀଗୃହ ରେ ବସି ପାଠ ପଢିବା ବଡ କଷ୍ଟକର ବିଷୟ ହୋଇପଡିଛି ।

ଏବେ ଏହା ବିପଦପୂର୍ଣ୍ଣ ଭାବେ ଛାତ ତଳକୁ ଝୁଲି ରହିଥିବା ବେଳେ ତାକୁ ସପୋର୍ଟ କରି ଭରସା ଦେଇଛି କାଠ ଗଣ୍ଡି । ପିଲାଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ବାରମ୍ବାର ଶିକ୍ଷାବିଭାଗର ନଜରକୁ ନେଇଥିଲେ ମଧ୍ୟ କୌଣସି ପ୍ରକାର ପ୍ରଭାବ ନ ପଡିବାରୁ ଶେଷରେ ବିଦ୍ୟାଳୟ ପରିଚାଳନା କମିଟି ଓ ଅଭିଭାବକ ମାନେ ଏକାଠି ହୋଇ ବିଦ୍ୟାଳୟ କବାଟରେ ତାଲା ପକାଇ ଏହାର ପ୍ରତିବାଦ କରିଥିବାର ଦେଖାଯାଇଛି । ଉକ୍ତ ଛାତ ଉପରେ ଥିବା ବିମ୍ କୁ ଧରି ରଖିବା ପାଇଁ କାଠ ଗଣ୍ଡି ସପୋର୍ଟ ଦିଆଯାଇଛି । ଦିନକୁ ଦିନ ପୁରୁଣା ଶ୍ରେଣୀଗୃହ ଗୁଡିକର ସ୍ଥିତି ଦୁର୍ବଳ ହୋଇଯାଉଥିବା ବେଳେ ନୂତନ ଗୃହ ନିର୍ମାଣ ଜରୁରୀ ହୋଇପଡିଛି ।

Exit mobile version