ବେଙ୍ଗାଲୁର ଜଗନ୍ନାଥ ମନ୍ଦିରରେ : ସୁନାବେଶ ଅନୁଷ୍ଠିତ

ଓଡ଼ିଶା ତାଜା ନ୍ୟୁଜ୍/୧୧ ଜୁଲାଇ ସୋମବାର/ବେଙ୍ଗାଲୁରୁ :- ବେଙ୍ଗାଲୁର ଠାରେ ପଵିତ୍ର ସୁନାବେଶ ଏବଂ ବାହୁଡା଼ ଯାତ୍ରା ମହୋତ୍ସବ ମହାସମାରୋହରେ ପାଳନ କରାଯାଇଛି । ଦୀର୍ଘ୯ ଦିନ କାଳ ବିତାଇ ଶ୍ରୀ ଗୁଣ୍ଡିଚା ମନ୍ଦିର ରୁ ଚତୁର୍ଦ୍ଧା ମୂର୍ତ୍ତି ଆଗରା ସ୍ଥିତ ମୁଖ୍ୟ ଜଗନ୍ନାଥ ମନ୍ଦିର ସାମ୍ନା କୁ ଫେରିବା ପରେ ରଥାରୂଢ ଦିଅଁ ମାନଙ୍କୁ ସୁନା ବେଶରେ ସଜ୍ଜା ଯାଇଥିଲା । ସୁନ୍ଦର ,ସୁସଜ୍ଜିତ ରଥ ଉପରେ ମହାପ୍ରଭୁଙ୍କ ର ରାଜାଧିରାଜ ରୂପକୁ ଦର୍ଶନ କରି ଶ୍ରଦ୍ଧାଳୁ ମାନେ କୃତ୍ୟ କୃତ୍ୟ ହେଉ ଥିବା ଦେଖା ଯାଉଥିଲା । କରୋନା ବଧକତା ଦୃଷ୍ଟି ରୁ ଦୀର୍ଘ ୨ବର୍ଷ ହେଲା ଭକ୍ତ ମାନେ ଦାରୁ ଦେବତା ଙ୍କର ଦୁର୍ଲଭ ସୁବର୍ଣ୍ଣ ସ୍ୱରୂପ କୁ ଉପଭୋଗ କରିବାର ସୁଯୋଗ ରୁ ବଂଚିତ ହୋଇଥିଲେ ।

ଏଣୁ ଚଳିତ ବର୍ଷ ଦିଅଁ ମାନଙ୍କର ଏହି ବିରଳ ଆବିର୍ଭାବ କୁ ଅବଲୋକନ କରିବା ପାଇଁ ଓଡ଼ିଆ ଓ ଅଣଓଡ଼ିଆ ଦର୍ଶକ ମାନଙ୍କ ମଧ୍ୟରେ ପ୍ରବଳ ଆଗ୍ରହ, ଉତ୍ସାହ ଓ ଉତ୍କଣ୍ଠା ପ୍ରକାଶ ପାଇଥିବା ଲକ୍ଷ କରାଯାଇଥିଲା । ଭକ୍ତ ଓ ଭଗବାନ ଙ୍କ ର ଏହି ଅପୂର୍ବ ମିଳନ ର ଦୃଶ୍ୟ ବେଶ ମନୋରମ ଓ ମର୍ମସ୍ପର୍ଶୀ ଥିଲା । ବାହୁଡା଼ ଯାତ୍ରା ଆରମ୍ଭ ପୂର୍ବରୁ ରାମ ମନ୍ଦିର ଠାରେ ବିରାଜମାନ ଥିବା ଚାରି ଠାକୁର ଙ୍କ ର ସାମ୍ନା ରେ ସ୍ୱତନ୍ତ୍ର ପୂଜାର୍ଚନା ଅନୁଷ୍ଠିତ ହୋଇଥିଲା । ଅପରାହ୍ନରେ ଶ୍ରୀ ଜୀଉ ମାନଙ୍କୁ ବାଦ୍ୟ ଓ କୀର୍ତ୍ତନ ର ତାଳେ ତାଳେ ଧାଡ଼ି ପହଣ୍ଡି କରା ଯାଇ ମନ୍ଦିର ସାମ୍ନା ରେ ଦଣ୍ଡାୟମାନ ରଥ ଉପରକୁ ନିଆଯାଇଥିଲା । ଏହା ପରେ ଜଗନ୍ନାଥ ମନ୍ଦିର ର ଟ୍ରଷ୍ଟି ପ୍ରଫେସର ସିତିକଣ୍ଠ ଷଡ଼ଙ୍ଗୀ ପାରମ୍ପରିକ ଛେରାପହଁରା କାର୍ଯ୍ୟ ସମ୍ପନ୍ନ କରିଥିଲେ ।

ଦିନ ୩ଟା ବେଳେ ବହୁ ପ୍ରତୀକ୍ଷିତ ବାହୁଡ଼ା ରଥ ଟଣା ପର୍ବ ଆରମ୍ଭ ହୋଇଥିଲା । ଉପସ୍ଥିତ ପ୍ରାୟ ୧୦ହଜାର ଭକ୍ତଙ୍କ ର ହରିବୋଲ, ହୁଳହୁଳି, ଜୟ ଜଗନ୍ନାଥ ଧ୍ୱନି ଏବଂ ଶଙ୍ଖ, ଘଣ୍ଟ ,କରତାଳ, ମର୍ଦଳ,ଝାଞ୍ଜ ଓ ମୃଦଙ୍ଗ ର ଗହ ଗହ ନାଦ ତଥା ଭଜନ ,କୀର୍ତ୍ତନର ମୃଦ୍ୟୁ ମନ୍ଦ ଝଙ୍କାର ମଧ୍ୟରେ ରଥ ଟିକୁ ରାମ ମନ୍ଦିର ନିକଟରୁ ଟଣା ଯାଇ ୬୦୦ମିଟର ଦୂରବର୍ତ୍ତୀ ମୁଖ୍ୟ ଶ୍ରୀ ଜଗନ୍ନାଥ ମନ୍ଦିର ସାମ୍ନା କୁ ଅଣାଯାଇଥିଲା । ମନ୍ଦିର ଅଗଣା କୁ ଫେରିବା ପରେ ରଥ ଉପରେ ବିଦ୍ୟମାନ ଜଗତର ନାଥ ଜଗନ୍ନାଥ, ବଡ଼ ଭାଇ ବଳଭଦ୍ର, ଦେବୀ ସୁଭଦ୍ରା ଓ ପ୍ରଭୁ ସୁଦର୍ଶନ, ନୀଳାଦ୍ରି ବିଜେ ପର୍ଯ୍ୟନ୍ତ ସେହି ଠାରେ ଅବସ୍ଥାନ କରି ସର୍ବସାଧାରଣଙ୍କୁ ଦିବ୍ୟ ଦର୍ଶନ ଦେବେ ବୋଲି ମନ୍ଦିର ର ପରିଚାଳନା କମିଟି ସୂତ୍ରରୁ ପ୍ରକାଶ ।

ରଥ ଓ ବାହୁଡା଼ ଉତ୍ସବ ର ସମଗ୍ର ଆୟୋଜନ କୁ ସୂଚାରୁ ରୂପେ ସମ୍ପାଦନା ଓ ବ୍ୟାପକ ଭାବେ ସଫଳ କରାଇବାରେ ଶ୍ରୀ ଜଗନ୍ନାଥ ମନ୍ଦିର ର ପରିଚାଳନା ଟ୍ରଷ୍ଟି କାମାକ୍ଷୀ ପ୍ରସାଦ ପଣ୍ଡା, ଟ୍ରଷ୍ଟ ବୋର୍ଡ ର ସଦସ୍ୟ ନିହାର ସାମନ୍ତରା, ଡ଼ଃ ପ୍ରତାପ ପାଣି,ଜଷ୍ଟିସ ଜଗନ୍ନାଥ ପ୍ରସାଦ ଉଦ୍ଗାତା, ହର ପ୍ରସାଦ ମହାପାତ୍ର, ମନୋଜ ପାତ୍ର,ପୁଣ୍ୟ ଶ୍ଳୋକ ଖୁଣ୍ଟିଆ, ଚକ୍ରଧର ସ୍ୱାଇଁ ,ଏନ ଆର ବି ପଟନାୟକ,ମନୋଜ ମହାପାତ୍ର ଏବଂ ପ୍ରକାଶ ସାମନ୍ତ ରାୟ ପ୍ରମୁଖ ସକ୍ରିୟ ଭୂମିକା ନିର୍ବାହ କରିଥିଲେ ।

Exit mobile version