ଓଡ଼ିଶା ତାଜା ନ୍ୟୁଜ୍/୮ ଜୁଲାଇ ଶୁକ୍ରବାର/ଭୁବନେଶ୍ୱର :- ଜୟଦେବ ବିହାର ବିକାଶ ପରିଷଦ ପକ୍ଷରୁ ସ୍ଥାନୀୟ ଜୟଦେବ ବିହାର ଲେନ୍-ନଂ-୫ଠାରେ ପଞ୍ଚମୁଖୀ ହନୁମାନ ମନ୍ଦିର ସ୍ଥାପନ କରାଯାଇଛି । ଏହି ମନ୍ଦିରରେ ପାଞ୍ଚ ଫୁଟ ଦୁଇ ଇଞ୍ଚ ଉଚ୍ଚତା ବିଶିଷ୍ଟ ବିଗ୍ରହ ସ୍ଥାପିତ ହୋଇଛି । କେନ୍ଦ୍ରାପଡ଼ାର ଯଶୋବନ୍ତ (ବାବୁଲି) ବେହେରାଙ୍କ ଅକ୍ଲାନ୍ତ ପରିଶ୍ରମ ଓ ପ୍ରଗାଢ ଚେଷ୍ଟା ଯୋଗୁ ମାତ୍ର ଏକ ମାସ ସତେଇଶ ଦିନ ମଧ୍ୟରେ ଏହି ପଞ୍ଚମୁଖୀ ହନୁମାନ ମନ୍ଦିର ପ୍ରତିଷ୍ଠା ହୋଇପାରିଛି । ମନ୍ଦିର ପ୍ରତିଷ୍ଠା କାର୍ଯ୍ୟକ୍ରମରେ ରତ୍ନମୁଦ, ଅଙ୍କୁରାରୋପଣ, କଳସ ଯାତ୍ରା ଓ କର୍ମାରମ୍ଭ, ବିଗ୍ରହ ପ୍ରତିଷ୍ଠା, ମନ୍ଦିର ପ୍ରବେଶ ଓ ପୂର୍ଣ୍ଣାହୂତି କାର୍ଯ୍ୟକ୍ରମ ଦୀର୍ଘ ୫ ଦିନ ଧରି ଚାଲିଥିଲା । ମନ୍ଦିର ପ୍ରତିଷ୍ଠା ଦିବସ ମହାସମାରୋହରେ ପାଳନ କରାଯାଇଥିଲା ।

ଏହି କାର୍ଯ୍ୟକ୍ରମରେ ଭୁବନେଶ୍ୱରର ଉତ୍ତର ବିଧାୟକ ସୁଶାନ୍ତ ରାଉତ, ଭୁବନେଶ୍ୱର ମହାନଗର ନିଗମର ମେୟର ଶ୍ରୀମତୀ ସୁଲୋଚନା ଦାସ, ଉପ ମେୟର ମଞ୍ଜୁଲତା କଅଁର, ୨୬ ନମ୍ବର ୱାର୍ଡ଼ର କର୍ପୋରେଟର ଶ୍ରୀମତୀ ଭାରତୀ ସିଂ, ଭୁବନେଶ୍ୱରର ଅତିରିକ୍ତ ଜିଲ୍ଲାପାଳ ପ୍ରଫୁଲ୍ଲ କୁମାର ସ୍ୱାଇଁ, ବରିଷ୍ଠ ସାମ୍ବାଦିକ ତଥା ସ୍ତମ୍ଭକାର ପ୍ରଦୋଷ ପଟ୍ଟନାୟକ, ଜାତୀୟ ସାମ୍ବାଦିକ କଲ୍ୟାଣ ବୋର୍ଡ଼ର ସାଧାରଣ ସମ୍ପାଦକ ସନତ ମିଶ୍ର, ସାପ୍ତାହିକ ସମ୍ବାଦପତ୍ର ‘ଉନ୍ନତି ପଥେ’ର ସମ୍ପାଦକ ପ୍ରଦ୍ୟୁମ୍ନ କୁମାର ମହାନ୍ତି, ଜୟଦେବବିହାର ବିକାଶ ପରିଷଦର ସଭାପତି ମିହିର ରଞ୍ଜନ ରଥ ପ୍ରମୁଖ ଯୋଗଦେଇ ଜୟଦେବ ବିହାର ବାସିନ୍ଦାଙ୍କ ଏଭଳି ଉଦ୍ୟମର ଉଚ୍ଚ ପ୍ରଶଂସା କରିଥିଲେ ।
